ୟୁନିଭର୍ସିଟିରେ ପଢାଯାଉଛି ଚୋରି ପାଠ ! ଡକାୟତି-ରାହାଜାନୀ ପାଇଁ ଦେଉଛନ୍ତି ଶିକ୍ଷା ।
ଚୋରି ଡକାୟତି ଭଳି ଅପରାଧ ଶିଖିବାକୁ ସ୍କୁଲ୍ ବା ୟୁନିଭର୍ସିଟିରେ ନାମ ଲଖାଉଛନ୍ତି ପିଲାଏ । ଶୁଣିବାକୁ ଟିକିଏ ଅଜବ ଲାଗୁଥିଲେ ବି କଥା ଟି ସତ । ମଧ୍ୟ ପ୍ରଦେଶର କାଡିଆ, ଗୁଲଖେଡି ଓ ହୁଲଖେଡି ଗ୍ରାମରେ ଏଭଳି ସ୍କୁଲ ବା ୟୁନିଭର୍ସିଟି ରହିଥିବା ନେଇ କୁଖ୍ୟାତି ଲାଭ କରିଛି ।
ରାଜଧାନୀ ଭୋପାଳଠାରୁ ୧୧୭ କିମି ଦୁରରେ ଥିବା ରାଜଗଡ଼ ଜିଲ୍ଲାରେ ରହିଛି କାଡିଆ, ଗୁଲଖେଡି ଓ ହୁଲଖେଡି ଗ୍ରାମ । ଏହି ଗ୍ରାମରେ କିଶୋରମାନଙ୍କୁ ଚୋରି, ଡକାୟତି,ରାହାଜାନି, ପିକ୍ ପକେଟିଂ ଭଳି ଅପରାଧ ଶିକ୍ଷା ଦିଆଯାଏ । ଏଠାରେ ୧୨ରୁ ୧୩ ବର୍ଷର ପିଲାଙ୍କୁ ବାପାମାଆ ଟଙ୍କା ଦେଇ ଗ୍ୟାଙ୍ଗରେ ସାମିଲ କରାଇ ଥାଆନ୍ତି । ଏଥିପାଇଁ ପ୍ରଥମେ ବାପା ମାଆଙ୍କ ସହ ଗ୍ୟାଙ୍ଗ ଲିଡରଙ୍କ ଏକ ମିଟିଂ ହୋଇଥାଏ ।
ପିଲାଏ କାହାଠୁ ଚୋରି ଶିଖିବେ ତାହା ଏହି ମିଟିଂରେ ଫାଇନାଲ କରାଯାଇଥାଏ । ୨ରୁ ୩ ଲକ୍ଷ ଟଙ୍କା ଡୋନେସନ ନେଇ ଗ୍ୟାଙ୍ଗରେ ସେମାନଙ୍କ ନାମ ଲେଖାଇ ଥାଆନ୍ତି ଗ୍ୟାଙ୍ଗ ଲିଡର । ଏହାପରେ ଆରମ୍ଭ ହୋଇଯାଏ ସିଲାବସ୍ । ଚୋରି ଡକାୟତି ସହ ପୋଲିସି ଗୋଡାଇଲେ କିଭଳି ଦୌଡ଼ିବେ ? ଧରା ପଡ଼ିଗଲେ କଣ କରିବେ ? ପୁଲିସର ମାଡ଼ କିଭଲି ସହିବେ ତାହାକୁ ନେଇ ଶିକ୍ଷା ଦେଉଛନ୍ତି ଏହି ତିନି ଗାଁରେ ଥିବା ଅପରାଧୀ ।
ଏଥିପାଇଁ ଆଖପାଖ ଅଞ୍ଚଳରେ ଅଧିକାଂଶ ଅପରାଧରେ ନାବାଳକମାନେ ସାମିଲ ଥିବା ଦେଖାଯାଇଥାଏ । ଏଣୁ କାଡିଆ, ଗୁଲଖେଡି ଓ ହୁଲଖେଡି ଗ୍ରାମକୁ ପୁଲିସ ଅପରାଧୀଙ୍କ ସ୍କୁଲ ବା ୟୁନିଭର୍ସିଟି ବୋଲି ବି କହିଥାଏ । ପିଲାଏ ଚୋରି ବିଦ୍ୟାରେ ଦକ୍ଷ ହେବାପରେ ଗ୍ୟାଙ୍ଗ ଲିଡର ବାପାମାଆଙ୍କୁ ୩ରୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଥାଆନ୍ତି । ଏହାପରେ ପିଲାଙ୍କୁ ଗ୍ୟାଙ୍ଗ ଛାଡ଼ିବାକୁ ପଡ଼ିଥାଏ। ସାରା ଦେଶରେ ଏବେ ଅପରାଧର ହଟ୍ ସ୍ପଟ୍ ପାଲଟିଛି ଏହି ତିନି ଗାଁ । ଆଜିର ତାରିଖରେ ଏହି ସବୁ ଗ୍ରାମର ୩୦୦ ପିଲା ଅପରାଧ କାର୍ୟ୍ୟରେ ଲିପ୍ତ ଥିବା ରେକର୍ଡ ରହିଛି ।
ଦକ୍ଷ ଅପରାଧୀଙ୍କୁ ନିଜ ଗ୍ୟାଙ୍ଗରେ ସାମିଲ କରାଇବାକୁ ନିଲାମୀ ମଧ୍ୟ ଡାକି ଥାଆନ୍ତି । ଜଣେଜଣେ ଅପରାଧୀ ୨୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ବିକ୍ରି ହୋଇ ଏକରୁ ଦୁଇ ବର୍ଷ ପାଇଁ ଗ୍ୟାଙ୍ଗ ପାଇଁ କାମ କରି ଥାଆନ୍ତି । ଏବେ ପୁଲିସର ସୂଚନା ମୁତାବକ ଏହି ତିନି ଗ୍ରାମ ୨୦୦୦ ଲୋକଙ୍କ ଉପରେ ୮୦୦୦ ଅପରାଧିକ ମାମଲା ରହିଛି ।
ଅଧିକାଂଶ ଗରିବ ସୀମା ରେଖା ତଳେ ଥିବା ପରିବାର ପିଲାଏ ଏଭଳି ଜୀବନଧାରାକୁ ବାଛି ନେଉଛନ୍ତି । ସେମାନଙ୍କୁ ଶିକ୍ଷାର କୌଣସି ଆଧାର ମିଳିପାରେନାହିଁ । ଅଜଣା ବ୍ୟକ୍ତି ଗାଁ ଭିତରକୁ ଆସିଲେ ଆଲର୍ଟ ହୋଇ ଯାଆନ୍ତି ଗାଁ ଲୋକେ । ବିଶେଷ କରି କ୍ୟାମେରା ଗାଁ ଭିତରକୁ ପ୍ରବେଶ କରିବା ଉପରେ ଗ୍ରାମବାସୀ କଟକଣା କରିଛନ୍ତି । ସାରା ଦେଶର ପୁଲିସ ପାଇଁ ଏହି ଗ୍ରାମର ଲୋକେ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ।