କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ଉପରେ ଏବେ ୩ ଦଳର ଆଖି। କାରଣ ସବୁଦଳର ସଙ୍ଗଠନ ଏବେ ବି ଅଧପନ୍ତରିଆ ହୋଇ ପଡି ରହିଛି। ଏଭଳି ସ୍ଥିତିରେ ହେବାକୁ ଥିବା ପଞ୍ଚାୟତ ପରୀକ୍ଷାରେ କିଏ ପାସ୍ ହେବ କିଏ ଫେଲ ହେବ ତାହା ଉପରେ ପୂରା ରାଜ୍ୟର ନଜର ରହିଛି।

Advertisment

ସାଧାରଣ ନିର୍ବାଚନର ୧୦ ମାସ ପରେ ତୃଣମୂଳସ୍ତରରେ କେଉଁ ଦଳ କେତେ ମାତ୍ରାରେ ବିଶ୍ବାସଭାଜନ ହୋଇଛି ।  ତାହାର ପ୍ରମାଣପତ୍ର ଆଗକୁ ହେବାକୁ ଥିବା ପଞ୍ଚାୟତ ଉପନିର୍ବାଚନର ଫଳାଫଳ ହିଁ ବୟାନ କରିବ । ଯେଉଁଥିପାଇଁ ୩ ପ୍ରମୁଖ ଦଳ ପକ୍ଷରୁ ଆରମ୍ଭ ହୋଇଛି ପଞ୍ଚାୟତ ଦଖଲ ରଣନୀତି । କିନ୍ତୁ ଶାସକ ବିଜେପି କାହା ନେତୃତ୍ବରେ ପଞ୍ଚାୟତ ପରୀକ୍ଷା ଦେବ ତାହା ଏଯାଏଁ ସସପେନ୍ସ ଭିତରେ ? କାରଣ ସମ୍ବଲପୁର ଜିଲ୍ଲା ସଭାପତି ସମେତ ରାଜ୍ୟ ମୁଖିଆ ଚୟନ ନେଇ ଦଳ ଭିତରେ ଅଙ୍କ ଛିଣ୍ଡୁନି । ଦଳରେ ଥିବା ଗୋଷ୍ଠୀ ବିବାଦ ଦୂର କରିବାକୁ ରାଷ୍ଟ୍ରୀୟ ସଭାପତି ତାଗିଦ କରି ଫେରିଛନ୍ତି । ଏସବୁ ଭିତରେ ପଞ୍ଚାୟତ ପରୀକ୍ଷାରେ ପ୍ରଦର୍ଶନ ଭଲ ନକଲେ ବିଜେପି ପାଇଁ ବିପଦ ବଢ଼ିବ । ତେଣୁ ଏକାଠି ହୋଇ ସଙ୍ଗଠନକୁ ସଜାଡିବା ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ।  

ଶାସକ ବିଜେପି ଭଳି ବିରୋଧୀ ବିଜେଡି ଓ କଂଗ୍ରେସ ପାଇଁ ମଧ୍ୟ ପଞ୍ଚାୟତ ଉପ-ନିର୍ବାଚନ ସେତେଟା ସହଜ ନୁହେଁ । ବିଜେଡି କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। କାହା ତୁଣ୍ଡରେ ଲଗାମ ନାହିଁ । ଏସବୁ ଭିତରେ ବିଜେଡିର ୧୫ ସାଂଗଠନିକ ଜିଲ୍ଲାରେ ଏବେ ବି ସଭାପତିଙ୍କ ନାଁରେ ମୋହର ବାଜିପାରୁନି । ସଙ୍ଗଠନରେ ବରିଷ୍ଠଙ୍କୁ ଅଣଦେଖା କରାଗଲେ କନ୍ଦଳ ବଢିବା ନେଇ ଚର୍ଚ୍ଚା ହେଉଛି । ଏଭଳି କଠିନ ସ୍ଥିତିରେ ପଞ୍ଚାୟତ ପରୀକ୍ଷାରେ ଭଲ ପ୍ରଦର୍ଶନ ନକଲେ ବ୍ୟାକଫୁଟକୁ ଠେଲି ହୋଇଯିବ ବିଜେଡି । 

ପିସିସି ସଭାପତି ଭାବେ ଭକ୍ତ ଦାୟିତ୍ବ ନେବା ପରେ କଂଗ୍ରେସ ସଙ୍ଗଠନ ସକ୍ରିୟ ହୋଇଛି । ନାରୀ ସୁରକ୍ଷା ପ୍ରସଙ୍ଗରେ ବିରୋଧ କରି କଂଗ୍ରେସ ଚର୍ଚ୍ଚାକୁ ଆସିଛି । ସେହିଭଳି ଅନ୍ୟ ପ୍ରସଙ୍ଗକୁ ନେଇ ଆଗକୁ ବଢିବାକୁ ଦଳ ଲକ୍ଷ୍ୟ ରଖିଛି । କିନ୍ତୁ ଭକ୍ତ ଏଯାଏଁ ଜିଲ୍ଲାସ୍ତରରେ ନିଜର ଟିମ୍ ଗଠନ କରିନଥିବାରୁ ପଞ୍ଚାୟତ ପରୀକ୍ଷାରେ ଭୋଟରଙ୍କ ବିଶ୍ବାସ ଜିତିବା କଂଗ୍ରେସ ପାଇଁ ସହଜ ହୋଇନପାରେ ।

ପଞ୍ଚାୟତ ଉପ-ନିର୍ବାଚନର ଫଳାଫଳ ହିଁ ରାଜ୍ୟ ରାଜନୀତିର ମୋଡ ବଦଳାଇବ । ଆଗାମୀ ପଞ୍ଚାୟତ ନିର୍ବାଚନର ସଂକେତ ଦେବ । କିନ୍ତୁ ପାଗ ଭିଡୁ ଭିଡୁ କଚେରୀ ବରଖାସ୍ତ ଭଳି ସଙ୍ଗଠନ ସଜାଡୁ ସଜାଡୁ ପଞ୍ଚାୟତ ପରୀକ୍ଷାରେ ଫେଲ୍ ମାରିଲେ ପୁଣିଥରେ କମବ୍ୟାକ୍ କରିବା ୩ ଦଳ ପାଇଁ କଷ୍ଟକର ହୋଇପାରେ।