କନକ ବ୍ୟୁରୋ: ପହଲଗାମ୍ ଆତଙ୍କୀ ହମଲା ପରେ ଏୟାରଷ୍ଟ୍ରାଇକ୍ । ଆଉ ଏହାପରେ ପରେ ପାକିସ୍ତାନର ଆକ୍ରମଣକୁ ଭାରତୀୟ ସେନାର ପ୍ରତିରୋଧକୁ ନେଇ ଏବେ ସବୁଠି ଚର୍ଚ୍ଚା । ଖାସ୍ କରି ପାକିସ୍ତାନ ପଠାଇଥିବା ଡ୍ରୋନ୍ ଏବଂ ମିସାଇଲକୁ ଭାରତ ଆକାଶରେ ହିଁ ଧ୍ୱଂସ କରିବା ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି । ଆଉ ଏହାରି ଭିତରେ ଭାରତୀୟ ବାୟୁସେନାକୁ ଆଗାମୀ ଦିନରେ ଆହୁରି ଅଧିକ ପ୍ରତିରୋଧ ଶକ୍ତି ମିଳିବ ବୋଲି ସୂଚନା ମିଳୁଛି ।
ମିଳିଥିବା ସୂଚନା ମୁତାବକ, ପ୍ରୋଜେକ୍ଟ କୁଶା ପରେ ଭାରତ ଏବେ ନିଜର ବାୟୁ ରକ୍ଷା ପ୍ରଣାଳୀରେ ତିନୋଟି ସ୍ୱଦେଶୀ ପ୍ରଣାଳୀ ସାମିଲ କରିବାକୁ ଯୋଜନା କରୁଛି । ଏହା ହେଲା QR-SAM, VL-SRSAM ଏବଂ ଆକାଶ-NG ।
ସୂଚନାଯୋଗ୍ୟ ଯେ, ମେ ୭ ଏବଂ ୮ ରାତିରେ, ପାକିସ୍ତାନ ଶ୍ରୀନଗର, ପଠାନକୋଟ, ଜମ୍ମୁ, ଅମୃତସର ଏବଂ ଭୁଜ ଭଳି ୧୫ଟି ଭାରତୀୟ ସାମରିକ ଘାଟି ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା । ଏହି ଆକ୍ରମଣ, ଭାରତର ଅପରେସନ ସିନ୍ଦୂରର ଜବାବରେ କରିଥିଲା ପାକିସ୍ତାନ । ଯେଉଁଥିରେ କି ଭାରତ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (POK)ରେ ନଅଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ହେଲେ ପାକିସ୍ତାନର ଆକ୍ରମଣ କିନ୍ତୁ ଭାରତ ଉପରେ ସେତେଟା ପ୍ରଭାବ ପକାଇ ପାରିନଥିଲା । କାହିଁକି ନା, ପାକିସ୍ତାନୀ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦେଇଥିଲା ଭାରତୀୟ ସେନା ।
ପ୍ରୋଜେକ୍ଟ କୁଶା କଣ?
ପ୍ରୋଜେକ୍ଟ କୁଶା ହେଉଛି DRDO ଦ୍ୱାରା ବିକଶିତ ହୋଇଥିବା ଏକ ପ୍ରଣାଳୀ, ଯେଉଁଥିରେ ଭୂ-ପୃଷ୍ଠରୁ ଆକାଶକୁ ମିସାଇଲ୍ ମାଡ଼ କରାଯାଇପାରିବ । ଏହାର ଲକ୍ଷ୍ୟଭେଦ କ୍ଷମତା ହେଉଛି ୩୫୦ କିଲୋମିଟର । ଏହି ସିଷ୍ଟମ ୨୦୨୮-୨୯ ସୁଦ୍ଧା ନିୟୋଜିତ ହେବାନେଇ ଆଶା କରାଯାଉଛି । କୁଶା, ଯୁଦ୍ଧ ବିମାନ, କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାକୁ ସକ୍ଷମ ହେବ । ଏହା ଭାରତର ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ବାହ୍ୟସ୍ତରକୁ ସୁଦୃଢ଼ କରିବ ।
QR-SAM
QR-SAM ହେଉଛି DRDO ଦ୍ୱାରା ବିକଶିତ ଏକ ଦ୍ରୁତ ପ୍ରତିକ୍ରିୟା ପ୍ରଣାଳୀ । ଏହାକୁ ଡ୍ରୋନ୍, କ୍ରୁଜ୍ ମିସାଇଲ୍ ଏବଂ ଲଢ଼ୁଆ ବିମାନ ଭଳି ନିମ୍ନ-ସ୍ତରୀୟ ବାୟୁ ବିପଦକୁ ପ୍ରତିହତ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହି ସିଷ୍ଟମର ରାଡାରଗୁଡ଼ିକ ୩୬୦-ଡିଗ୍ରି କଭରେଜ ପ୍ରଦାନ କରେ । ଏହା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ ପ୍ରଣାଳୀ ସହିତ ସଜ୍ଜିତ ।
VL-SRSAM
DRDO ଏବଂ ଭାରତୀୟ ନୌସେନାର ସହଯୋଗରେ ବିକଶିତ, VL-SRSAM ହେଉଛି ଏକ ଭୂ-ଲମ୍ବ ଭାବରେ ଲଞ୍ଚ ହୋଇଥିବା ପ୍ରଣାଳୀ, ଯାହା ଭାରତୀୟ ବାୟୁସେନା ଏବଂ ନୌସେନା ଉଭୟ ପାଇଁ ଡିଜାଇନ୍ କରାଯାଇଛି । ଡ୍ରୋନ୍, ହେଲିକପ୍ଟର ଏବଂ କ୍ରୁଜ୍ ମିସାଇଲ୍ ଭଳି ନିମ୍ନ-ସ୍ତରୀୟ ବିପଦକୁ ନଷ୍ଟ କରିବାରେ ଏହା ସକ୍ଷମ ।
AKASH NG
ଆକାଶ-NG ହେଉଛି DRDO ଦ୍ୱାରା ବିକଶିତ ପୂର୍ବ ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀର ଏକ ଉନ୍ନତ ସଂସ୍କରଣ । ଏହି ମଧ୍ୟମ ଦୂରଗାମୀ ପ୍ରଣାଳୀ ଯୁଦ୍ଧ ବିମାନ, କ୍ରୁଜ୍ ମିସାଇଲ୍ ଏବଂ ଡ୍ରୋନ୍ ଧ୍ୱଂସ କରିବାକୁ ସକ୍ଷମ । ତେବେ ଆକାଶ-ଏନଜି ୨୦୨୪ ମସିହାରେ ଅନେକ ସଫଳ ପରୀକ୍ଷଣ ସମାପ୍ତ କରିଛି । ଏହି ସିଷ୍ଟମ ୨୦୨୫-୨୬ ସୁଦ୍ଧା ନିୟୋଜିତ ହେବା ପାଇଁ ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି ।