କନକ ବ୍ୟୁରୋ : ଓଡ଼ିଶା ଆସିବେ ଆଉ ୩ ମହାବଳ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ସୂଚନା ଅନୁସାରେ, ଓଡ଼ିଶାକୁ ଆଉ ୩ଟି ମହାବଳ ବାଘ ଆସିବେ । ପୂର୍ବରୁ ୫ଟି ମହାବଳ ବାଘ ଆସିବାର ଥିଲା । ତା ଭିତରୁ ଯମୁନା ଓ ଜିନ୍ନତ ଆସି ସାରିଛନ୍ତି । ଏମାନେ ସମ୍ପୂର୍ଣ୍ଣ ଖାପ ଖୁଆଇ ସାରିବା ପରେ ଆଉ ୩ଟି ମହାବଳ ବାଘ ଆଣିବାକୁ ସରକାର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି ।
ଗତ କିଛି ମାସ ହେବ ଜିନ୍ନତ ଶିମିଳିପାଳରୁ ଝାଡଖଣ୍ଡ ଏବଂ ପରେ ପଶ୍ଚିମବଙ୍ଗ ପଳାଇଥିବା ବେଳେ ଜିନ୍ନତକୁ ଧରିବା ପାଇଁ ନାକେଦମ୍ ହୋଇଥିଲା ବନ ବିଭାଗ । ଅନେକ ଦିନ ଜିନ୍ନତ ଉପରେ ନଜର ରଖିବା ପରେ ଶେଷରେ ବାଘୁଣୀ ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରି ଓଡିଶା ଅଣାଯାଇଛି । ବାଘୁଣି ଜିନ୍ନତ୍ର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି । ଓଡ଼ିଶା ଆସିବା ପରେ ବର୍ତ୍ତମାନ ଏନକ୍ଲୋଜରରେ ରହିଛି । ବର୍ତ୍ତମାନ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ହେଉଛି । ପରବର୍ତ୍ତୀ ମୁହୂର୍ତ୍ତରେ ଦକ୍ଷିଣ କିମ୍ବା ଉତ୍ତର ପାର୍ଶ୍ଵରେ କେଉଁଠି ଛଡାଯିବ, ସେନେଇ ନିଷ୍ପତ୍ତି ହେବ ।