କୁମ୍ଭମେଳାରେ ହୃଦଘାତରେ ଗଲା ନେତାଙ୍କ ଜୀବନ ; ପ୍ରବଳ ଥଣ୍ଡା ଯୋଗୁଁ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପ୍ରୟାଗରାଜ ମହାକୁମ୍ଭ ମେଳାରେ କାଳ ସାଜିଛି ପ୍ରବଳ ଥଣ୍ଡା । ଦୁଇ ଦିନରେ ହୃଦଘାତରେ ଗଲାଣି ୩ ଜଣଙ୍କ ଜୀବନ। ଗାଧୋଇ ସାରିବା ପରେ ହଠାତ୍ ହେଉଛି ହୃଦ୍‌ଘାତ । ସତର୍କ ରହିବାକୁ ଡାକ୍ତରଙ୍କ ପରାମର୍ଶ ।

maha-kumbh--1323361046

କନକ ବ୍ୟୁରୋ:  କୁମ୍ଭମେଳାରେ ପ୍ରବଳ ଶୀତଲହରୀର ପ୍ରଭାବ । ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ହଜାରରୁ ଉର୍ଦ୍ଧ୍ବ ଲୋକ ବେମାରରେ ପଡ଼ିଲେଣି । ୧୧ଉର୍ଦ୍ଧ୍ବ ରୋଗୀ ହୃଦରୋଗ ଜନିତ ସମସ୍ୟା ନେଇ ମେଡ଼ିକାଲକୁ ଯାଇଥିବା ବେଳେ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । 

ଜାନୁଆରୀ ୧୩ ତାରିଖରୁ ଉତ୍ତରପ୍ରଦେଶ ପ୍ରୟାଗରାଜରେ ଆରମ୍ଭ ହୋଇଛି ପ୍ରସିଦ୍ଧ ପୂର୍ଣ୍ଣ ମହାକୁମ୍ଭ ମେଳା । ଦେଶ ବିଦେଶରୁ ଏଠାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଏହାରି ମଧ୍ୟରେ ପ୍ରବଳ ଥଣ୍ଡା କାରଣରୁ ଅନେକ ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡୁଥିବା ବେଳେ କିଛି ଜଣଙ୍କର ମୃତ୍ୟୁ ଘଟିସାରିଲାଣି । ମଙ୍ଗଳବାର ସନ୍ଧ୍ୟାରେ ଏନସିପି ନେତା ଗଙ୍ଗାରେ ସ୍ନାନ ପକାଇବା ପରେ ମହେଶ କୋଠେଙ୍କର ମୃତ୍ୟୁ ଘଟିଛି। ଏହା ସହିତ କୋଟା ରାଜସ୍ଥାନର ଆଉ ଜଣେ ବ୍ୟକ୍ତି ସୁଦର୍ଶନ ସିଂହ ପନୱାରଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସୁଦର୍ଶନ ସିଂହ ମଧ୍ୟ ତାଙ୍କ ବନ୍ଧୁମାନଙ୍କ ସହିତ ମହାକୁମ୍ଭରେ ସ୍ନାନ କରିବାକୁ ଆସିଥିଲେ। ଗାଧୋଇବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କ ବନ୍ଧୁମାନେ ତାଙ୍କୁ ଝୁନସିର ସବ ସେଣ୍ଟ୍ରାଲ ହସ୍ପିଟାଲକୁ ନେଇଗଲେ । ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । 

ଏହା ବ୍ୟତୀତ, ୮୫ ବର୍ଷୀୟ ଅର୍ଜୁନ ଗିରିଙ୍କୁ ହୃଦଘାତ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଉଥିଲା, ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ସୂଚନା ଦେଇ ସେଣ୍ଟ୍ରାଲ୍ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୌଶିକ କହିଛନ୍ତି, ଜାନୁଆରୀ ୧୩, ୨୦୨୫ରେ ୩ ହଜାରରୁ ଅଧିକ ଲୋକ ଚିକିତ୍ସା ପାଇଁ ଓପିଡିରେ ପହଞ୍ଚିଥିଲେ । ଏଥିମଧ୍ୟରୁ ୨୬୨ ଜଣ ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା ଏବଂ ୩୭ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ପଠାଯାଇଥିଲା। ଏହି ଲୋକମାନଙ୍କୁ ମେଳା ଅଞ୍ଚଳର ଝୁନସି ଏବଂ ଆରାଇଲ ହସ୍ପିଟାଲରୁ ଏସଆରଏନକୁ ରେଫର କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe