କନକ ବ୍ୟୁରୋ :  ସମସ୍ତେ ଉଚ୍ଚଶିକ୍ଷିତ । ଜଣେ ଚାଟାର୍ଡ ଆକାଉଣ୍ଟାଂଟ, ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଓ ଆଉ ଜଣେ ବନ୍ଧୁ ଶିକ୍ଷକ । ତିନି ବନ୍ଧୁଙ୍କ ମିଳିତ ଉଦ୍ୟମରେ ଜମିରେ ଫଳିଛି ସୁନାର ଫସଲ । ବିଦେଶୀ ପିଜୁଳି ଠାରୁ ଆରମ୍ଭ କରି ଗୁଆ, ନଡ଼ିଆ, ମାଛ ଚାଷ ସହ ଅତ୍ୟାଧୁନିକ ବ୍ରଏଲର ଫାର୍ମ ହୋଇଛି । ସୁଶାନ୍ତ କୁମାର ସାହୁ ପେଶାରେ ଜଣେ ଚାଟାର୍ଡ ଆକାଉଣ୍ଟାଂଟ, ହେଲେ ନିଶା ତାଙ୍କ ନୂଆ ପ୍ରଣାଳୀରେ ଚାଷ କରିବା ।  ସେହିପରି ତାଙ୍କ ସାଙ୍ଗ ତପନ କୁମାର ଭୂୟାଁ ବ୍ୟାଙ୍କ ଚାକିରି ପରେ ଅବସର ସମୟକୁ ଅପବ୍ୟୟ ନକରି ଚାଷ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।  ୨୦୨୧ରୁ ୨୦ ଏକର ଜମିରେ ଆରମ୍ଭ କରିଛନ୍ତି ଅତ୍ୟାଧୁନିକ ଚାଷ । ଫଳରେ ସେମାନଙ୍କୁ ଭଲ ଦୁଇ ପଇସା ରୋଜଗାର ମିଳିପାରୁଛି । ଏଥିପାଇଁ ସରକାରୀ ସହାୟତା ମଧ୍ୟ ମିଳିଛି । ଚାଷ ଆରମ୍ଭ କରିବାର ୨ରୁ ୩ ବର୍ଷ ଭିତରେ ଉତ୍ପାଦନ ଆରମ୍ଭ ହୋଇଛି । ପିଜୁଳି ଚାଷ ପାଇଁ ବାହାର ରାଜ୍ୟର ଜଣେ ଗବେଷକଙ୍କ ସହ ପରାମର୍ଶ କରିଛନ୍ତି । ବିଶେଷକରି ୨ ପ୍ରକାରର ପିଜୁଳି ଯଥା ଭିଏନଆର, ତାଇୱାନ ପିଙ୍କ ପିଜୁଳି ଚାଷ ହୋଇଛି । ସୁଦୂର ବନାରସରୁ ଚାରା ଆଣି ଚାଷ କରୁଛନ୍ତି ତିନି ସାଙ୍ଗ । 

Advertisment

ଅଳ୍ପ ଉଚ୍ଚତା ବିଶିଷ୍ଟ ଏହି ଗଛରେ ଫଲୁଛି ଅଜସ୍ର ପିଜୁଳି କ୍ଷ ଖାଲି ସେତିକି ନୁହେଁ ପିଜୁଳି ଚାଷ ସହିତ ଅମୃତଭଣ୍ଡା, ସପେଟା, ଜାମୁ, ଆମ୍ବ ସହିତ ବିଭିନ୍ନ ପ୍ରକାରର ଫୁଲ ଚାଷ କରିଛନ୍ତି । ପିଜୁଳିକୁ କଲମିକରି ଅନ୍ୟ ଚାଷୀଙ୍କ ପାଇଁ ଚାରା ପ୍ରସ୍ତୁତ କରୁଛନ୍ତି । ସ୍ଥାନୀୟ ଲୋକମାନେ ମଧ୍ୟ ଏହାଦ୍ବାରା ଉପକୃତ ହୋଇପାରୁଛନ୍ତି । ସେମାନଙ୍କୁ ରୋଜଗାର ମିଳିପାରୁଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଫିସରି, ଏଗ୍ରିକଲଚର, ହର୍ଟିକଲଚର, ଆଗ୍ରୋର ସହାୟତାରେ ସେମାନେ ଚାଷ କରିଛନ୍ତି । ପ୍ରାୟ ୩ କୋଟି ଟଙ୍କା ବିନିଯୋଗ ହୋଇଛି । ପିଜୁଳି ଚାଷ ସହିତ ଗୁଆ ମଧ୍ୟ ଏକ ଲାଭ ଜନକ ଫସଲ। ଅନ୍ୟପଟେ ମାଛଚାଷ ପାଇଁ ୫ଟି ବଡ଼ ବଡ଼ ପୋଖରୀ ଖୋଳି ମାଛଚାଷ ହେଉଛି । ସବୁ ଚାଷରୁ ବାର୍ଷିକ ୨୦ରୁ ୨୫ ଲକ୍ଷ ଟଙ୍କା ରୋଜଗାର ହେବ ବୋଲି ସେମାନେ ଆଶା ରଖିଛନ୍ତି । 

ଯୁବପିଢ଼ି ମାନେ ଚାକିର ପଛରେ ନପଡ଼ି ଅତ୍ୟାଧୁନିକ ପ୍ରଣାଳୀରେ ଚାଷ କଲେ ଭଲ ରୋଜଗାର କରିପାରିବେ ବୋଲି ସେମାନେ ପରାମର୍ଶ ଦେଇଛନ୍ତି ।