କନକ ବ୍ୟୁରୋ : ୧୦ ବର୍ଷ ପରେ ଜମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ହେଲେ ପ୍ରଥମଥର ପାଇଁ ରାଜ୍ୟର ତିନି ପୂର୍ବତନ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢିବେ ନାହିଁ । ଗୁଲାମନବୀ ଆଜାଦ, ମହବୁବା ମୁଫତି ଓ ଫାରୁକ ଅବଦୁଲ୍ଲା ନିର୍ବାଚନ ମଇଦାନରୁ ଦୂରେଇ ଯାଇଛନ୍ତି । 

Advertisment

ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମଧ୍ୟରେ ମେଣ୍ଟର ମୁଖ୍ୟ ସୂତ୍ରଧର ସାଜିଥିବା ଫାରୁକ୍ ଅବଦୁଲ୍ଲା ନିଜେ ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହାସହ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଆସନରୁ ବିଧାୟକ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମହବୁବା ମୁଫତି ନିର୍ବାଚନ ଲଢିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ।

ମହବୁବା ମୁଫତି ୨୦୧୬ ମସିହାରେ ଜମ୍ମୁ-କାଶ୍ମୀରର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ । ବିଜବିହାଡା ଆସନରୁ ସେ ବିଧାୟକ ଭାବେ ୧୯୯୬ ମସିହାରେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ଚଳିତ ଥର ଏହି ଆସନରୁ ତାଙ୍କ ଝିଅ ଇତଲିଜା ମୁଫତି ନିର୍ବାଚନ ଲଢିବାକୁ ଯାଉଛନ୍ତି । 

ସେହିଭଳି ୨୦୦୮ ମସିହାରେ କଂଗ୍ରେସ ଟିକେଟରୁ ଭଦ୍ରବାହ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଗୁଲାମନବୀ ଆଜାଦ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ଏବେ ସେ କଂଗ୍ରେସ ଛାଡି ନିଜର ରାଜନୈତିକ ଦଳ ଗଠନ କରିଛନ୍ତି । ହେଲେ ସେ ନିଜେ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି ।