କନକ ବ୍ୟୁରୋ: ଭୁବନେଶ୍ୱରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୩ ଗିରଫ । ଲଜ୍ ଭିତରେ ଜଣେ ଯୁବତୀଙ୍କୁ ନିଶାଦ୍ରବ୍ୟ ଖୁଆଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ଲଜ୍ କର୍ମଚାରୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ । ଗିରଫ ପରେ ଅଭିଯୁକ୍ତମାନେ ସେମାନଙ୍କ ଦୋଷ ସ୍ବୀକାର ବି କରିଛନ୍ତି । ଗିରଫ ୩ ଅଭିଯୁକ୍ତଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣା ପଡ଼ିଛି । ଅଭିଯୁକ୍ତ ଚନ୍ଦନ ହାତୀ ଓ ପ୍ରସନ୍ନ କୁମାର ଆଚାର୍ଯ୍ୟ ଜଗତସିଂହପୁର ବିରିଡ଼ି ଥାନା ଚାଷୀଖଣ୍ଡ ଅଞ୍ଚଳର । ସେହିପରି ଲଜ୍ରେ କାମ କରୁଥିବା ଜଗତସିଂହପୁର ଅଞ୍ଚଳର ରାଜେଶ ଦାଶକୁ ମଧ୍ୟ ଗିରଫ କରିଛି ପୁଲିସ । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି । ଆଉ କେଉଁମାନେ ଏଥିରେ ସାମିଲ ଅଛନ୍ତି କି ନାହିଁ ତାହାର ଛାନଭିନ କରୁଛି ପୁଲିସ ।
ସଂଗୀତ ନିର୍ଦ୍ଦେଶକଙ୍କୁ ଭେଟାଇବାକୁ କହି ପୀଡ଼ିତାଙ୍କୁ ଲଜ୍କୁ ନେଇଥିଲେ ଅଭିଯୁକ୍ତ । ସୁଯୋଗ ଦେବା ବଦଳରେ ନିଶା ଦେଇ ଅମାନବୀୟ କାଣ୍ଡ ଘଟାଇଥିଲେ । ପୀଡ଼ିତାଙ୍କ ଅଭିଯୋଗ ପରେ ଘଟଣାକୁ ନେଇ ଚନ୍ଦ୍ରଶେଖରପୁର ପୁଲିସ ଖୋଳତାଡ଼ କରିଥିଲା । ଏହାପରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମହିଳା ଥାନା ପୁଲିସ । ଗତ ସେପ୍ଟେମ୍ବର ୧୦ ତାରିଖରେ ପୀଡ଼ିତାଙ୍କୁ ସଂଗୀତଜ୍ଞଙ୍କ ସହ ଭେଟ କରାଇବେ ବୋଲି କହିଥିଲେ ଅଭିଯୁକ୍ତ । ସେହି ଦିନ ପ୍ରାୟ ୧୨ଟାରେ ଏକ ଲଜ୍କୁ ନେଇଯାଇଥିଲେ । ଏହାପରେ ଚନ୍ଦନ ଏବଂ ସହଯୋଗୀ ତାଙ୍କୁ ନିର୍ଯାତନା ଦେଇଥିଲେ । ନିଶାଦ୍ରବ୍ୟ ଖୁଆଇ ବଳପୂର୍ବକ ଏକ ଲଜ୍ ରୁମରେ ବନ୍ଦୀ କରି ରଖିଥିଲେ । ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ ।