କନକ ବ୍ୟୁରୋ : ଆଜି ଜେଲରୁ ମୁକୁଳିବେ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଜିଜିଏମ୍‌ ଚଞ୍ଚଲ ମୂଖାର୍ଜୀ । ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଗିରଫ ହୋଇଥିଲେ ଚଞ୍ଚଲ । ତାଙ୍କ ସହ ଅନ୍ୟ ୨ ଅଭିଯୁକ୍ତ ଦେବଦତ୍ତ ମହାପାତ୍ର ଓ ସନ୍ତୋଷ ମହାରଣା ମଧ୍ୟ ଜେଲରୁ ମୁକୁଳିବେ । ଗତକାଲି ୩ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜମିନ୍ ପ୍ରଦାନ କରିଥିଲେ ସିବିଆଇ ସ୍ୱତନ୍ତ୍ର କୋର୍ଟ । 

Advertisment

ଅଭିଯୁକ୍ତ ଚଞ୍ଚଲ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର, ସନ୍ତୋଷ ମହାରଣାଙ୍କୁ ଜାମିନ୍ ମିଳିଛି । ୧ ଲକ୍ଷ ଟଙ୍କା ସହ ୨ଜଣ ଜମିନଦାର ବଳରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଏହାସହ ସର୍ତ ଅନୁସାରେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ । କୌଣସି ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିବେ ନାହିଁ । ସହର ବାହାରକୁ ଗଲେ କୋର୍ଟଙ୍କ ପାଖରୁ ଅନୁମତି ନେବାକୁ କୁହାଯାଇଛି । ୧୦ ଲକ୍ଷ ଲାଞ୍ଚ କାରବାର ମାମଲାରେ ସମନ କରି ଜଣକ ପରେ ଜଣକୁ ଜେରା କରୁଛି ସିବିଆଇ । ହେଲେ ହାଜର ହେଉନାହାନ୍ତି ବିବାଦୀୟ ଆଇଏଏସ ବିଷ୍ଣୁପଦ ସେଠୀ । ଲୋକ ପ୍ରଶ୍ନ ପଚାରିବା ଆରମ୍ଭ କଲେଣି, ଦୁର୍ନୀତିଗ୍ରସ୍ତକୁ କିଏ ଦେଉଛି ସୁରକ୍ଷା । ବିବାଦ ବଢିବା ପରେ ସରକାର ତାଙ୍କୁ ବଦଳି କରି ସାଧାରଣ ପ୍ରଶାସନ ବିଭାଗର ଓଏସଡି ନିଯୁକ୍ତ କରିଛନ୍ତି ।