କନକ ବ୍ୟୁରୋ: ଭାରତକୁ ପୁଣି ଫମ୍ପା ଧମକ ଦେଇଛନ୍ତି ପାକିସ୍ତାନ ସେନା ମୁଖପାତ୍ର । ରାଜନେତାଙ୍କ ପରେ ଏବେ ପାକ୍ ସେନା ସିନ୍ଧୁ ଜଳ ବିବାଦ ଉପରେ ମତ ରଖିଛି । ଆତଙ୍କୀ ହାଫିଜ ସୟିଦ ସହ ସ୍ବର ମିଶାଇଛନ୍ତି ସେନା ମୁଖପାତ୍ର । ସିନ୍ଧୁ ଜଳ ସନ୍ଧି ନେଇ ଆତଙ୍କବାଦୀ ହାଫିଜ ସୟିଦଙ୍କ ଭାଷାରେ ଚେତାବନୀ ଦେଇ ପାକିସ୍ତାନ ସେନାର ମୁଖପାତ୍ର ଲେଫ୍ଟେନାଣ୍ଟ ଜେନେରାଲ ଅହମଦ ସରିଫ୍ ଚୌଧୁରୀ ସିନ୍ଧୁ ଜଳ ସନ୍ଧିକୁ ନେଇ ଭାରତକୁ ଏକ ନୂଆ ଧମକ ଦେଇଛନ୍ତି । 

Advertisment

ଆତଙ୍କବାଦୀ ହାଫିଜ ସୟିଦଙ୍କ ଭାଷାକୁ ଅନୁକରଣ କରି କହିଛନ୍ତି, ’ଯଦି ତୁମେ ଆମକୁ ପାଣି ବନ୍ଦ କରିବ, ଆମେ ତୁମର ନିଃଶ୍ବାସ ବନ୍ଦ କରିଦେବୁ’ । ଏହି ବିବାଦୀୟ ବୟାନ ଏକ ସର୍ବସାଧାରଣ ସଭାରେ ଦିଆଯାଇଛି, ଯେଉଁଠାରେ ସେନା ମୁଖପାତ୍ର ଭାରତର ସିନ୍ଧୁ ଜଳ ସନ୍ଧି ସ୍ଥଗିତ ନିଷ୍ପତ୍ତିକୁ ଟାର୍ଗେଟ କରିଥିଲେ । 

୧୯୬୦ରେ ବିଶ୍ୱ ବ୍ୟାଙ୍କ ଦ୍ୱାରା ମଧ୍ୟସ୍ଥତା କରାଯାଇଥିବା ଜଳ ସନ୍ଧି ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ନଦୀ ଓ ତାହାର ସହାୟକ ନଦୀଗୁଡିକର ଜଳ ବଣ୍ଟନ ନିୟନ୍ତ୍ରଣ କରେ । ଭାରତର ଏହି ନିଷ୍ପତ୍ତି ପାକିସ୍ତାନର ଜଳ ସୁରକ୍ଷାକୁ ବିପଦରେ ପକାଇଛି, କାରଣ ପାକିସ୍ତାନ ତା’ର କୃଷି ପାଇଁ ସିନ୍ଧୁ ନଦୀ ଉପରେ ପ୍ରାୟ ୮୦% ନିର୍ଭର କରେ । ଭାରତୀୟ ଅଧିକାରୀମାନେ ପାକିସ୍ତାନର ଏହି ବୟାନକୁ ’ଆତଙ୍କବାଦୀ ମାନସିକତାର ପ୍ରତିଫଳନ’ ବୋଲି ସମାଲୋଚନା କରିଛନ୍ତି ।