କନକ ବ୍ୟୁରୋ : କମୁଛି ବନ୍ୟା କିନ୍ତୁ କମିନି ଦୁର୍ଦ୍ଦଶା। ସୁବର୍ଣ୍ଣରେଖା ଓ ବୈତରଣୀ ନଦୀରେ ଜଳସ୍ତର ଖସିଥିଲେ ବି କମିନି ଭୟ । ଏବେବି ପାଣି ଘେରରେ ହଜାର ହଜାର ଲୋକ ରହିଛନ୍ତି । ବାଲେଶ୍ବର ଜିଲ୍ଲାର ଭୋଗରାଇ, ବସ୍ତା, ବାଲିଆପାଳ ଓ ଜଳେଶ୍ବରରେ ୫୦ ରୁ ଅଧିକ ଗାଁ ପ୍ରଭାବିତ ହୋଇଛନ୍ତି । ଗାଁ ଦାଣ୍ଡରେ ଲହଡ଼ି ମାରୁଛି ବନ୍ୟା ଜଳ । ଘର ଭିତରେ ପାଣି ପଶିଯାଇଛି । ଅଙ୍ଗନବାଡ଼ି କେନ୍ଦ୍ରଠୁ ଆରମ୍ଭ କରି ସ୍କୁଲ, ରାସ୍ତା ଘାଟ ସବୁ ପାଣି ଘେରରେ ରହିଛି । ଗାଁ ବାହାରକୁ ବାହାରିଲେ ଚାଷ ଜମି ନଈର ଭ୍ରମ ସୃଷ୍ଟି କରୁଛି । ହଜାର ହଜାର ହେକ୍ଟର ଚାଷ ଜମି ପାଣି ଭିତରେ ଲୁଚି ଯାଇଛି ।
ଲଗାଣ ବର୍ଷାରେ ଘରେ ପଶିଲା ପାଣି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ବର୍ଷା ଫଳରେ ଉପାନ୍ତ ଗାଁଗଣ୍ତାରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ବ୍ଲକ ଅଧିନ ମହୁପଦର, କମାରପାଲି ଏବଂ କିଆଙ୍ଗ ଅଞ୍ଚଳର ବିଭିନ୍ନ ଗାଁରେ ସାବେରୀ ନଦୀ ଫୁଲିବା ଫଳରେ ମାଡ଼ି ଆସିଛି ବନ୍ୟା ଜଳ । କୁଡୁକୁଗୁଡ଼ା ଗାଁରେ ଲୋକେ ପାଣି ଘେରରେ ରହିଛନ୍ତି । ରାତିସାରା ଉଜାଗର ରହି ପରିବାର ଲୋକେ ପଡ଼ୋଶୀ ଘରେ ଆଶ୍ରୟ ନେଇଛନ୍ତି । ସେହିପରି କମାରପାଲି , ମହୁପଦର ଏବଂ କିଆଙ୍ଗରେ ମଧ୍ୟ ସମାନ ଅବସ୍ଥା । ସାବେରୀ ନଦୀ ଫୁଲି ରାସ୍ତା ଉପରେ ପାଣି ଆସିବାରୁ ରାତିରେ ଯାଇନପାରି କିଆଙ୍ଗ ପଞ୍ଚାୟତରେ ଆଶ୍ରୟ ନେଇଛନ୍ତି ବ୍ଲକକୁ ଆସିଥିବା ଲୋକେ । ରାତିରେ ସମସ୍ତଙ୍କୁ ଉଦ୍ଧାର କରି କିଆଙ୍ଗଠାରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି ।