କନକ ବ୍ୟୁରୋ: ଭିଡ ଲାଗିଛି ପୁଲିସ ବିଭାଗର ହୋମଗାର୍ଡ ଚାକିରି ପାଇଁ । ଦରମା ବେଶି ନୁହେଁ, ଚାକିରି ବି ସ୍ଥାୟୀ ନୁହେଁ । ପୋଷ୍ଟ ମାତ୍ର କେଇ ଶହ ଭିତରେ ସୀମିତ । କିନ୍ତୁ ଆଶାୟୀଙ୍କ ସଂଖ୍ୟା ହଜାର ହଜାର । ପଞ୍ଚମ ଶ୍ରେଣୀ ପାସ୍ କରିଥିଲେ ଏହି ଚାକିରି ପାଇଁ ଆବେଦନ କରିପାରିବେ । କିନ୍ତୁ ହୋମ୍‌ଗାର୍ଡ ପୋଷ୍ଟ ପାଇଁ ଆବେଦନ କରିଛନ୍ତି ଅତି ଉଚ୍ଚଶିକ୍ଷିତ ଏମ୍‌ବିଏ, ଏମ୍‌ସିଏ, ବି.ଟେକ୍ ଡିଗ୍ରିଧାରୀ । ଓଡ଼ିଶାର ଅନେକ ଜିଲ୍ଲାରେ ଗୃହରକ୍ଷୀ ଚାକିରି ପାଇଁ ହେଉଥିବା ପରୀକ୍ଷାରେ ଏଭଳି ଚିତ୍ର ସାମ୍ନାକୁ ଆସିଛି । 
ହୋମଗାର୍ଡଙ୍କ କାର୍ଯ୍ୟକାଳ କେବଳ ୩ ବର୍ଷ
ମାସିକ ୧୮ ହଜାର ୩୬୦ ଟଙ୍କା, ଦୈନିକ ପାରିଶ୍ରମିକ ୬୧୨ ଟଙ୍କା
ଗୃହ ବିଭାଗ ଅଧୀନସ୍ଥ ଏକ ଅସ୍ଥାୟୀ ଚାକିରି 

Advertisment

ଏହାସତ୍ତ୍ବେ ହଜାର ହଜାର ସଂଖ୍ୟାରେ ଉଚ୍ଚଶିକ୍ଷିତ ହୋମଗାର୍ଡ ଚାକିରି ପାଇଁ ଆବେଦନ କରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କମ ଦରମା, ଅସ୍ଥାୟୀ ଚାକିରି ପାଇଁ ହଜାର ହଜାର ଉଚ୍ଚଶିକ୍ଷିତ ଆବେଦନ କରିବା ଏବେ ଶିକ୍ଷା ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନବାଚୀ ଛିଡା କରିଛି । ଏମ୍‌ବିଏ, ଏମ୍‌ସିଏ, ବି.ଟେକ୍, ଡିପ୍ଲୋମା ଡିଗ୍ରିଧାରୀଙ୍କୁ କାହିଁକି କର୍ପୋରେଟ୍‌ କମ୍ପାନିରେ ମିଳୁନି ଚାକିରି ? ବଡ଼ ବଡ଼ ଶିଳ୍ପର ସ୍ବପ୍ନ ଦେଖାଉଥିବା ସରକାର ଉଚ୍ଚଶିକ୍ଷିତଙ୍କୁ ନିଯୁକ୍ତି ଦେବାକୁ କାହିଁକି ଭିତ୍ତିଭୂମି ସୃଷ୍ଟି କରିପାରୁନାହାନ୍ତି ? କେବଳ ଡିଗ୍ରି ବାଣ୍ଟିବାକୁ ଓଡ଼ିଶାରେ ଖୋଲିଛି କି ଶହ ଶହ ଶିକ୍ଷାନୁଷ୍ଠାନ ? ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ପ୍ଲେସମେଣ୍ଟ ଦେବାରେ ବିଫଳ ହେଉଛନ୍ତି କି ଶିକ୍ଷାନୁଷ୍ଠାନ ? ନା ଚାକିରି ଅଭାବ ଓ ବେକାରି ବୃଦ୍ଧି ଏଭଳି ବିକଟ ସ୍ଥିତି ସୃଷ୍ଟି କରିଛି ? କେବଳ ସାର୍ଟିଫିକେଟ୍‌ ଧରି ବସିଥିବା ଡିଗ୍ରିଧାରୀ ନିଜକୁ ଦକ୍ଷ କରିବାରେ କାହିଁକି ବିଫଳ? ହୋମଗାର୍ଡ ଚାକିରି ପାଇଁ ୬୦ ବର୍ଷ ଯାଏଁ ଆବେଦନ କରିପାରିବେ ଆଶାୟୀ । ଅର୍ଥାତ ଅବସର ବୟସରେ ଆବେଦନ ପାଇଁ ସୁଯୋଗ ମିଳୁଛି । ଯାହା ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପଛର ବଡ କାରଣ ।