କନକ ବ୍ୟୁରୋ : ଆଜିଠୁ ପୁଣି ଆରମ୍ଭ ହେଉଛି ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ। ଶୁକ୍ରବାର ସରକାରଙ୍କୁ ଗୋଟିଏ ଦିନ ଦେଇଥିଲା ଚାଷୀ ସଂଗଠନ। ସରକାର ଚାଷୀଙ୍କ ଦାବି ପୂରଣ କରି ନଥିବାରୁ ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତି ନେଇଛନ୍ତି ଚାଷୀ। ଅମ୍ବାଲା, ହରିୟାଣା ଓ ଦିଲ୍ଲୀ-ହରିୟାଣାର ଶମ୍ଭୁ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଚାଷୀଙ୍କୁ ଅଟକାଇବାକୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି। କଣ୍ଟା ଦିଆଯାଇ ବ୍ରେକର ଓ ବ୍ୟାରିୟର ଲଗାଯାଇଛି। ବର୍ଷ ଆରମ୍ଭରୁ ଯେତେବେଳେ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଥିଲା ତାଙ୍କୁ ରୋକିବାକୁ ଠିକ୍ ଏପରି ବ୍ୟବସ୍ଥା କରାଯାଇଥିଲା। ଶମ୍ଭୁ ସୀମାରେ ନିଜର ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛନ୍ତି ଚାଷୀ। ଏହାରି ଭିତରେ ଚାଷୀ ଆନ୍ଦୋଳନକୁ ୩୦୦ଦିନ ପୂରଣ ହେଉଥିବା କହିଛନ୍ତି ଚାଷୀ ନେତା ସରୱନ ସିଂହ ପଣ୍ଢେର। ଆଜି ଦିନ ୧୨ଟାରେ ପୁଣି ଥରେ ଆନ୍ଦୋଳନ ଓ ପଦଯାତ୍ରା ଆରମ୍ଭ କରିବାକୁ ଚେତାବନୀ ଦେଇଥିଲେ ଚାଷୀ। ଶୁକ୍ରବାର ଦିଲ୍ଲୀ ଚଲୋ ଡାକରା ଦେଇ ପଦଯାତ୍ରାରେ ଆସି ହରିୟାଣାରେ ପହଞ୍ଚିବା ପରେ ସେମାନଙ୍କୁ ପୋଲିସ ଅଟକାଇଥିଲା। ଚାଷୀଙ୍କ ଉପରକୁ ଲୁହବୁହା ଗ୍ୟାସ୍ ମାଡ଼ କରାଯାଇଥିଲା। ଏହି ଘଟଣାରେ ୮ ଜଣ କୃଷକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏହା ପରେ ଚାଷୀମାନେ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି। ହେଲେ ଶମ୍ଭୁ ସୀମାରେ ଅଟକି ରହିଛନ୍ତି ଚାଷୀ।
ଚାଷୀଙ୍କ ଦାବି
ଏମଏସପି ପାଇଁ ବିଧିବଦ୍ଧ ଆଇନ
ଚାଷୀଙ୍କ ଋଣ ଛାଡ଼ କରିବାକୁ ବି ଦାବି
ଚାଷୀଙ୍କ ପାଇଁ ପେନସନ ବ୍ୟବସ୍ଥା
ବିଦ୍ୟୁତ ଶୁଳ୍କ ନବଢ଼ାଇବାକୁ ଦାବି
ଚାଷୀଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର
୨୦୧୩ ଜମି ଅଧିଗ୍ରହଣ ଧାରାର ପୁନଃସ୍ଥାପନ
Follow Us