କନକ ବ୍ୟୁରୋ : ୧୬ବର୍ଷ ପରେ ସଅଳ କେରଳ ଛୁଇଁଲା ମୌସୁମୀ । ହେଲେ ଓଡ଼ିଶା ପାଇଁ ଏହା ଖୁସି ଆଣିବ, ନା ବିଳମ୍ବିତ ହେବ ବର୍ଷା । ୨୦୦୯ରେ ସଅଳ ମୌସୁମୀର ପ୍ରଭାବ ଦେଖିଥିବା ରାଜ୍ୟବାସୀ ଏବେ ଏହି ଚିନ୍ତାରେ । ପାଣିପାଗ ବିଶେଷଜ୍ଞ ସ୍ଥିତି ଆକଳନ କରୁଥିଲାବେଳେ ସରକାର ବି ସବୁ ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ଥିବା କହିଛନ୍ତି ।
ମନସୁନ ଆସିଲାଣି ହେଲେ ପ୍ରାୟ ଅଧିକାଂଶ ସ୍ଥାନରେ ମୁକୁଳା ପଡିଛି ଡ୍ରେନ୍ । କେଉଁଠି ଡ୍ରେନ ଭାଙ୍ଗିଯାଇଛି , କେଉଁଠି ପୂରା ପୋତି ହୋଇପଡିଲାଣି ତ ଆଉ କେଉଁଠି ଡ୍ରେନର ମରାମତି କାମ ଏଯାଏଁ ସରିନି । ଦୁର୍ଘଟଣା ଏଡ଼ାଇବା ପାଇଁ ଘେରା ଯାଇଥିବା ସବୁଜ ରଙ୍ଗର କପଡା ଜାଲି ବି ନଷ୍ଟ ହୋଇଗଲାଣି । ତେଣୁ ଆଗୁଆ ମୌସୁମୀକୁ ନେଇ ଲୋକେ ଖୁସି ଥିବାବେଳେ ରାଜ୍ୟର ପ୍ରମୁଖ ସ୍ଥାନମାନଙ୍କରୁ ଆସିଥିବା ଏହି ସବୁ ଦୃଶ୍ୟ ମନରେ ଛନକା ଭରିଛି । ଅସରାଏ ବର୍ଷା ହେଲେ ପୁଣି ଯେ ଅଘଟଣ ନଘଟିବ ସେ କଥାକୁ ଏଡ଼ାଇ ଦିଆଯାଇନପାରେ ।
ଖାଲି ଡ୍ରେନ୍ ନୁହେଁ କେନାଲର ଅବସ୍ଥା ଅତି ଶୋଚନୀୟ । ଯେଉଁ ସବୁ କେନାଲ ଦେଇ ପାଣି ନିଷ୍କାସନ ହୋଇଥାଏ ତାହା ପୋତି ହୋଇଯାଇଛି । ପିପିଲି ଅଂଚଳରେ କେନାଲ ଭିତର ଗଛଲତାରେ ଭର୍ତ୍ତି ହୋଇ ରହିଛି । ତେବେ ବର୍ଷା ଆସୁଥିବାରୁ ଭୁବନେଶ୍ବର ଦୟା ଓ ଗଂଗୁଆ ନାଳ ନିକଟକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ ଉଷା ପାଢ଼ୀ ।