କନକ ବ୍ୟୁରୋ : ରଥଯାତ୍ରା ସମୟରେ ରଥ ଉପରେ ମୋବାଇଲ୍ ବ୍ୟବହାର ମନା । ଆଜି ଦଇତାପତି ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଯଦି କେହି ଅଣସେବାୟତ ଚିହ୍ନଟ ହୁଅନ୍ତି, ତେବେ ସେମାନଙ୍କ ବିରୋଧରେ ଏତଲା ଦିଆଯିବ । ଏପରିକି ଫୌଜଦାରୀ ମକଦ୍ଦମା ରୁଜୁ କରାଯିବ । ଗତବର୍ଷ ରଥ ଉପରକୁ ମୋବାଇଲ୍ ନେଇ କଟକଣା ଥିଲା । ଏହାସତ୍ତ୍ୱେ କିଛି ସେବାୟତ ରଥ ଉପରକୁ ମୋବାଇଲ୍ ନେଇଥିଲେ । ତେଣୁ ଏଥର ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି କିଭଳି କାର୍ଯ୍ୟକାରୀ ହେଉଛି, ତାକୁ ନେଇ ଉଠିଛି ପ୍ରଶ୍ନଚିହ୍ନ ।

Advertisment

ଗତବର୍ଷ ଭଳି ଏବର୍ଷ ମଧ୍ୟ ସେବାୟତମାନେ ମୋବାଇଲ ନେଇ ରଥ ଉପରକୁ ଚଢ଼ିପାରିବେ ନାହିଁ । ରଥ ଉପରେ ଏବଂ ପହଣ୍ଡି ସମୟରେ ମୋବାଇଲ ସମ୍ପୂର୍ଣ୍ଣ ବାରଣ ହେବ । ଆଜି ଦଇତାପତି ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଛଦ୍ମବେଶଧାରୀ ବା ଅଣସେବାୟତ ଚିହ୍ନଟ ହେଲେ ସେମାନଙ୍କ ବିରୋଧରେ ଏତଲା ଦିଆଯିବ । ଏମିତିକି ଫୌଜଦାରୀ ମକଦ୍ଦମା କରିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।

ଗତବର୍ଷ ରଥଯାତ୍ରା ବେଳେ ମୋବାଇଲ୍ ବାରଣ ସତ୍ତ୍ୱେ, କିଛି ସେବାୟତ ରଥ ଉପରେ ସେଲଫି ନେଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେଣୁ ଚଳିତବର୍ଷ ମୋବାଇଲ୍ ବାରଣ ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି କିଭଳି କାର୍ଯ୍ୟକାରୀ ହେବ ? ସେବାୟତମାନେ ପ୍ରଶାସନର ନିଷ୍ପତ୍ତିକୁ ଠିକ୍ ଭାବେ ଅନୁପାଳନ କରିବେ ତ ? ସେନେଇ ଉଠିଛି ପ୍ରଶ୍ନ ।

ଗତବର୍ଷର ପହଣ୍ଡି ଅଘଟଣ ଏଡ଼ାଇବାକୁ ଏବର୍ଷ ଶ୍ରୀମନ୍ଦିର ପ୍ରଶାସନ କିଛି ଠୋସ୍ ନିଷ୍ପତ୍ତି ନେଇଛି । ସ୍ୱତ୍ତ୍ୱଲିପି ଅନୁଯାୟୀ, ସେବାରେ ସଂପୃକ୍ତ ସେବକଙ୍କୁ ନେଇ ଗଠିତ ହୋଇଛି ପହଣ୍ଡି ଟିମ୍ । ୩ ଜଣିଆ କମିଟିର ପରାମର୍ଶ ଅନୁସାରେ ହେବ ପହଣ୍ଡି । ଉତ୍ତମ ସମନ୍ୱୟ, ଶୃଙ୍ଖଳିତ ନୀତି, ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ଓ ବ୍ୟବସ୍ଥାବଳୀ ଅନୁପାଳନ ପାଇଁ ପ୍ରତିଶ୍ରୁତି ଦେଇଛି ଦଇତାପତି ନିଯୋଗ ।

ଶ୍ରୀମନ୍ଦିର ଓ ପାର୍ଶ୍ୱ ଦେବଦେବୀ ମନ୍ଦିର ଆଲୋକୀକରଣ ହେବ । ଶ୍ରୀଗୁଣ୍ଡିଚା ମନ୍ଦିରରେ ନୂଆକରି ଲାଗିବ ଏଲଇଡି ଲାଇଟ୍ । ଦିବ୍ୟାଙ୍ଗଙ୍କ ଦର୍ଶନ ବ୍ୟବସ୍ଥିତ କରିବାକୁ ଉତ୍ତରଦ୍ୱାରରେ ସରିଛି ରାମ୍ପ । ସମ୍ପୃକ୍ତ ନିଯୋଗ ସହ ଆଲୋଚନା ଓ ପରାମର୍ଶ ପରେ ବ୍ୟବସ୍ଥା ଲାଗୁ ହେବ । ଆବଶ୍ୟକ ପଡ଼ିଲେ ଅଧିକରୁ ଅଧିକ ସ୍ୱେଚ୍ଛାସେବୀ ନିୟୋଜିତ ହେବେ । ଶ୍ରୀମନ୍ଦିର ନାଟମଣ୍ଡପରେ ଖୁବ୍‌ଶୀଘ୍ର ଏସି ବ୍ୟବସ୍ଥା କରାଯିବ । ୨୮ ଜୁନରୁ ୬ ଜୁଲାଇ ମଧ୍ୟରେ ସମସ୍ତ ସଂରକ୍ଷଣ କାର୍ଯ୍ୟ ଶେଷ ପାଇଁ ଏଏସ୍‌ଆଇକୁ ଚିଠି ହୋଇଛି ।

ଚଳିତବର୍ଷ ଗୋଟିଏ ଦିନରେ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପଡୁଥିବାରୁ ଶୃଙ୍ଖଳିତ ନୀତି ଓ ଭକ୍ତଙ୍କ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି ।