କନକ ବ୍ୟୁରୋ : ଆଳୁକୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି । ବିଧାନସଭାରେ ମୁଖ୍ୟ ପ୍ରସଙ୍ଗ ପାଲଟିଛି ରାଜ୍ୟର ଆଳୁ ସମସ୍ୟା । ଶାସକ ବିରୋଧୀ ଏବେ ମୁହାଁମୁହିଁ ଅବସ୍ଥାରେ । ଏଭଳି ପରିସ୍ଥିତିରେ ଖାଉଟି ଓ କୃଷକଙ୍କ ପାଇଁ ସାମାନ୍ୟ ଆଶ୍ବାସନା ଆଣିଛି ଉତରପ୍ରଦେଶରୁ ଆସିଥିବା ଆଳୁ । ଗଂଜାମ ଜିଲ୍ଲା ଭଂଜନଗରରେ ଆଳୁଚାଷକୁ ପ୍ରୋତ୍ସାହିତ କରିବାପାଇଁ ପଂଜାବ ଓ ଉତରପ୍ରଦେଶରୁ ଆସିଛି ଉନ୍ନତମାନର କୁଫ୍ରି ଓ ପୋଖରାଜ ବିହନ । 

Advertisment

ବେଶ କିଛି ଦିନ ହେବ ଆଳୁକୁ ନେଇ ଗୋଳମାଳିଆ ରାଜ୍ୟ ରାଜନୀତି । ବର୍ଦ୍ଧିତ ଆଳୁ ଦର ଖାଉଟିଙ୍କୁ ଅସନ୍ତୁଷ୍ଟ କରୁଛି । ସେପଟେ ଦର ନିୟନ୍ତ୍ରଣ ପାଇଁ ସରକାର ବି ଦୀର୍ଘମିଆଦୀ ଯୋଜନା ଉପରେ ଗୁରୁତ୍ବ ଦେଉଛନ୍ତି । ହାଣ୍ଡିଶାଳରେ କମ ଦରରେ ଆଳୁ ପହଂଚାଇବା ନେଇ ଉଦ୍ୟମ ଆରମ୍ଭ ହୋଇଛି । ପ୍ରଥମ ପଦକ୍ଷେପ ସ୍ବରୂପ ଚାଷୀଙ୍କୁ ଉନ୍ନତ ମାନର ଆଳୁ ବିହନ ଯୋଗାଇବା ଆରମ୍ଭ କରିଛନ୍ତି । ଗଂଜାମ ଜିଲ୍ଲାର ଭଞ୍ଜନଗର ବ୍ଳକକୁ ଦୁଇଟି ପର୍ଯ୍ୟାୟରେ ଆସିଛି ୬୨୦ କ୍ବିଣ୍ଟାଲ ଆଳୁ ବିହନ । ଉତ୍ତରପ୍ରଦେଶରୁ ଆସିଥିବା କୁଫ୍ରି ଓ ପୋଖରାଜ ଆଳୁ ବିହନ ଉନ୍ନତମାନର ବୋଲି କହିଛନ୍ତି ଆଳୁ ଚାଷୀ ।

ଚଳିତ ବର୍ଷ ରବିଋତୁରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସମେତ ୯ଟି ବ୍ଲକରେ ଆଳୁ ଚାଷ କରିବାକୁ ଚିହ୍ନଟ କରିଛି ଜିଲ୍ଲା କୃଷି ବିଭାଗ । କେବଳ ଭଞ୍ଜନଗର ଉପଖଣ୍ଡରେ ୧୮୦ ହେକ୍ଟର ଜମିରେ ହେବ ନୂଆ ପ୍ରଜାତିର ଆଳୁଚାଷ । ତେଣୁ ଚାଷୀଙ୍କୁ ରିହାତି ଦରରେ ବିହନ ଯୋଗାଇ ଦେଉଛି ପ୍ରଶାସନ । ପୂର୍ବରୁ ଆଳୁଚାଷରୁ କମ ଲାଭ ମିଳୁଥିବାରୁ ମୁହଁ ଫେରାଉଥିଲେ ଚାଷୀ । କିନ୍ତୁ ଏବେ ପ୍ରଶାସନର ସହଯୋଗ ମିଳିବା ପରେ ପୁଣିଥରେ ଅଣ୍ଟା ଭିଡ଼ିଛନ୍ତି । ଭଂଜନଗର କୃଷିବିଜ୍ଞାନ କେନ୍ଦ୍ରୁରୁ ଦୁଇଟି ଦଳ ଯାଇ ଉଭୟ ପ୍ରଜାତିର ଆଳୁର ମାନକୁ ପରଖିଛନ୍ତି ।