କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଓହ୍ଲାଇ ଆସିବେ ମହାମାୟା । ସାରା ରାଜ୍ୟରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ସେପଟେ କିନ୍ତୁ ଏଥର ଦୁର୍ଗାପୂଜାକୁ ଫିକା କରିପାରେ ଲଘୁଚାପ ବର୍ଷା । ପାଣିପାଗ ବିଭାଗର ସୂଚନା ଅନୁସାରେ, ୨୬ ତାରିଖରୁ ବଦଳିବ ପାଗ । ୨୯ ଯାଏଁ ସାରା ଓଡ଼ିଶାରେ ପ୍ରବଳ ବର୍ଷା ରହିଛି । ବିଶେଷ କରି ୨୭ ଓ ୨୮ରେ ଅଧିକ ବର୍ଷିବା ସମ୍ଭାବନା ରହିଛି ।
୨୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ପ୍ରଥମ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ୨୬ ବେଳକୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧିବ । ୨୭ ତାରିଖ ବେଳକୁ ଏହା ଘନୀଭୂତ ହୋଇ ଅବପାତ ରୂପ ନେବ ଏବଂ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗରେ ପ୍ରବେଶ କରିବ ବୋଲି ପୂର୍ବାନୁମାନ କରିଛି ବିଭାଗ ।
ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଲାଗିରହିବ ଗରମ ଓ ଗୁଳୁଗୁଳିର ପ୍ରଭାବ । ସାଧାରଣ ତାପମାତ୍ରା ଠାରୁ ୨ରୁ ୩ ଡିଗ୍ରି ବଢ଼ିବ ଦିନ ତାପମାତ୍ରା । ହେଲେ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆକଳନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଦୁର୍ଗାପୂଜାକୁ ନେଇ ରାଜ୍ୟ ସାରା ଉତ୍ସବର ପରିବେଶ ଥିବାବେଳେ ପାଣିପାଗ ବିଭାଗର ଏଭଳି ପୂର୍ବାନୁମାନ, ପୂଜା କମିଟି ଗୁଡିକୁ ଚିନ୍ତାରେ ପକାଇଛି ।