କନକ ବ୍ୟୁରୋ: ସୁହାଉଛି ପାଗ, ଏଥର ଆଗୁଆ ଆସିବ ମୌସୁମୀ । ୧୩ ମେ' ରେ ଦକ୍ଷିଣ ଆଣ୍ଡାମାନ ଛୁଇଁବ ମୌସୁମୀ । ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗରର କିଛି ଅଞ୍ଚଳ ଏବଂ ନିକୋବର ଦୀପପୁଞ୍ଜ ଅଞ୍ଚଳକୁ ମେ ୧୩ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ଅଗ୍ରସର ହେବାକୁ ପାଗ୍ ସାଥ ଦେଉଛି । ପ୍ରତିବର୍ଷ ମେ ୧୮ ରୁ ୧୯ ମଧ୍ୟରେ ପ୍ରାୟତଃ ଆଣ୍ଡାମାନ ଛୁଇଁଥାଏ ମୌସୁମୀ ବାୟୁ । ଏହା ପରେ ଆଗକୁ ବଢ଼ି କେରଳ ନିକଟରେ ଜୁନ୍ ପ୍ରଥମ ସପ୍ତାହରେ ପହଞ୍ଚିଥାଏ । କେରଳ ଛୁଇଁବାର ୧୦ ରୁ ୧୨ ଦିନ ମଧ୍ୟରେ ଓଡିଶାକୁ ଅଗ୍ରସର ହୋଇଥାଏ ମୌସୁମୀ । କିନ୍ତୁ ଚଳିତବର୍ଷ ଏହି ପ୍ରକ୍ରିୟା ସହଳ ହେବ। ଏପରିକି ସ୍ବାଭାବିକ ଠାରୁ ଅଧିକ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।
କାଳବୈଶାଖୀ ପାଇଁ ଗତ କିଛି ଦିନ ହେବ ରାଜ୍ୟରେ ତାତି କମିଛି। କିନ୍ତୁ ଏହି ପାଗ ବେଶି ଦିନ ରହିବନି। ରାଜ୍ୟକୁ ପୁଣି ଫେରିବ ତାତି, ୮ରୁ ବଢିବ ଗ୍ରୀଷ୍ମପ୍ରବାହ । ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିବା ସହ ପଶ୍ଚିମ ଓଡିଶାରେ ତାଉ ଦେଖାଇବ ତାତି । ଉପକୂଳ ଓଡିଶାରେ ଗରମ ସହ ଭୀଷଣ ଗୁଳୁଗୁଳି ହେବ । ହିଟ ୱେଭ ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୮ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଅଚାନକ କାଳବୈଶାଖୀରେ ପ୍ରବଳ ପବନ ଓ କୁଆପଥର ବର୍ଷା ନାକେଦମ କରି ବ। ତେଣୁ ମୟୂରଭଞ୍ଜ, ବାଲେଶ୍ବର, ଗଞ୍ଜାମ,ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି
Follow Us