କନକ ବ୍ୟୁରୋ: ଆଇପିଏଲ ଅକ୍ସନର ପ୍ରଥମ ଦିନ ଶେଷ ହୋଇଯାଇଛି । ଏଥିରେ ଭାରତୀୟ ଖେଳାଳିଙ୍କ ଉପରେ ପ୍ରବଳ ଟଙ୍କା ବର୍ଷା ହୋଇଛି । ଟପ ୫ ଦାମୀ ଖେଳାଳି ଲିଷ୍ଟରେ ଏଥର ରହିଛନ୍ତି ସମସ୍ତ ଭାରତୀୟ । ଋଷଭ ପନ୍ତ ଆଇପିଏଲ ଇତିହାସର ସମସ୍ତ ରେକର୍ଡ କାଟି ବନିଛନ୍ତି ସବୁଠୁ ଦାମୀ ଖେଳାଳି । ତାଙ୍କୁ ଲକ୍ଷ୍ନୌ ୨୭ କୋଟି ଟଙ୍କାରେ ଦଳରେ ସାମିଲ କରିଛି । ତେବେ ଦ୍ୱିତୀୟ ଦିନର ଅକ୍ସନ ଆଜି ଆରମ୍ଭ ହେବ । ପ୍ରଥମ ଦିନ ଅକ୍ସନରେ ୩ ବଡ ଖେଳାଳି ଯେଉଁମାନେ ଆଇପିଏଲରେ ପୂର୍ବରୁ ବିସ୍ଫୋରକ ବ୍ୟାଟିଂ କରି ଆସିଛନ୍ତି, ସେମାନେ ଅନସୋଲ୍ଡ ରହିଛନ୍ତି । ତାଙ୍କୁ କୌଣସି ଦଳ କିଣିବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି ।
ଡେଭିଡ ୱାର୍ଣ୍ଣର
ଆଇପିଏଲ ମେଗା ଅକ୍ସନର ପ୍ରଥମ ଦିନରେ ସବୁଠାରୁ ଆଶ୍ଚର୍ଯ୍ୟକର ଘଟଣା ହେଉଛି ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣରଙ୍କୁ କୌଣସି ଦଳ କିଣି ନାହାନ୍ତି । ଡେଭିଡ ୱାର୍ଣ୍ଣର ଏମିତି ଜଣେ ଖେଳାଳି ଯିଏ ଏକାକି ମ୍ୟାଚ ଜିତାଇବାର କ୍ଷମତା ରଖୁଛନ୍ତି । ଗତ ବର୍ଷ ଆଇପିଏଲରେ ୱାର୍ଣ୍ଣର ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଥିଲେ । ହେଲେ ଅକ୍ସନ ପୂର୍ବରୁ ଦଳ ତାଙ୍କୁ ରିଲିଜ କରିଦେଇଥିଲା । ଡେଭିଡ ୱାର୍ଣ୍ଣର ଆଇପିଏଲ ଇତିହାସରେ ୧୮୪ ମ୍ୟାଚ କେଳି ୫ ହଜାରରୁ ଅଧିକ ରନ କରିସାରିଛନ୍ତି । ଫ୍ୟାନମାନେ ଆଶା ରଖିଛନ୍ତି କି ୱାର୍ଣ୍ଣରଙ୍କ ଉପରେ ଦ୍ୱିତୀୟ ଦିନ ନିଲାମ ଲାଗି ପାରେ ।
ଜନି ବେୟାରଷ୍ଟୋ
ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ବି ଆଇପିଏଲ ମେଗା ଅକ୍ସନରେ ଅନସୋଲ୍ଡ ରହିଛନ୍ତି । ବେୟାରଷ୍ଟୋଙ୍କ ବେସ ପ୍ରାଇସ ୨ କୋଟି ଟଙ୍କା ରହିଥିଲା ହେଲେ କୌଣସି ଦଳ ତାଙ୍କୁ କିଣିବାକୁ ଆଗ୍ରହ ଦେଖାଇନଥିଲେ । ଏବେ ଦେଖିବା ବାକି ରହିଲା ଦ୍ୱିତୀୟ ଦିନରେ ତାଙ୍କୁ କେଉଁ ଟିମ ନିଜ ଦଳରେ ସାମିଲ କରୁଛନ୍ତି । ଗତ ଆଇପିଏଲରେ ସେ ପଞ୍ଜାବ ଦଳରେ ରହିଥିଲେ ତାଙ୍କ ପାଖରେ ଆଇପିଏଲ ସମେତ ଟି-୨୦ରେ ଭଲ ରେକର୍ଡ ରହିଛି ।
ଦେବଦତ୍ତ ପାଡିକଲ
ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ ଦେବଦତ୍ତ ପାଡିକଲଙ୍କୁ କିଣିବାକୁ କୌଣସି ଟିମ ଆଗ୍ରହ ଦେଖାଇ ନାହାନ୍ତି । ତାଙ୍କ ବେସ ପ୍ରାଇସ ୨ କୋଟି ଟଙ୍କା ଥିଲା ହେଲେ ପ୍ରଥମ ଦିନ ତାଙ୍କୁ କୌଣସି ଦଳ କିଣିନାହାନ୍ତି । ଦ୍ୱିତୀୟ ଦିନରେ ତାଙ୍କୁ କୌଣସି ଦଳ କିଣି ପାରନ୍ତି ବୋଲି ସେ ଆଶା ରଖିଛନ୍ତି । ପାଡିକଲ ଆଇପିଏଲରେ ଅନେକ ଟିମ ପାଇଁ ଖେଳିସାରିଛନ୍ତି । ବାଙ୍ଗାଲୋର ପକ୍ଷରୁ ଖେଳି ସେ ଚର୍ଚ୍ଚାକୁ ଆସିଥିଲେ । ହେଲେ ଅକ୍ସନରେ ତାଙ୍କୁ କୌଣସି ଦଳ ନକିଣିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।