କନକ ବ୍ୟୁରୋ: ଭାରତୀୟ ଦକ୍ଷ ବ୍ୟାଟର କରୁଣ ନାୟର ଏବେ ଆଇପିଏଲ ୨୦୨୫ର ପ୍ରସ୍ତୁତିରେ ଅଛନ୍ତି । ସେ ଦିଲ୍ଲୀକୁ ପ୍ରଥମ ଟ୍ରଫି ଦେବାରେ ପ୍ରମୁଖ ଭୂମିକା ବହନ କରିବାକୁ ଚାହୁଁଛନ୍ତି । ଘରୋଇ କ୍ରିକେଟରେ ଧମାଲ ମଚାଇବା ପରେ ଏବେ ସେ ଆଇପିଏଲରେ ନିଜର ଦମ ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି । ୨୦୨୪-୨୫ ଘରୋଇ ସିଜିନରେ ନିଜର ପାରଦର୍ଶିତା ଦେଖାଇ ସାରିଛନ୍ତି କରୁଣ ନାୟର । ଯେଉଁଥିରେ ତାଙ୍କର ୯ ଶତକ ସାମିଲ ଅଛି । ଏତେ ଭଲ ପ୍ରଦର୍ଶନ କରି ବି ସେ ଆଇପିଏଲ ଅକ୍ସନରେ ଏତେ ପ୍ରଭାବ ଦେଖାଇ ପାରିନଥିଲେ । ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୫୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା ।
୩୩ ବର୍ଷୀୟ କରୁଣ ନାୟର ଘରୋଇ କ୍ରିକେଟରେ ବିଦର୍ଭ ପାଇଁ ସଫଳ ଖେଳାଳି ସାବ୍ୟସ୍ତ ହୋଇଥିଲେ । ୫୦ ଓଭରର ଫର୍ମାଟରେ ଖେଳା ଯାଇଥିବା ବିଜୟ ହଜାରେ ଟ୍ରଫିର ୮ ମ୍ୟାଚରେ ୩୮୯.୫୦ ହାରରେ ୭୭୯ ରନ୍ କରିଥିଲେ । ଯେଉଁଥିରେ ୫ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସାମିଲ ଅଛି । ସେ ବିଜୟ ହଜାରେ ଟ୍ରଫିର ଏହି ସିଜିନରେ ସର୍ବାଧିକ ରନ କରିଥିବା ଖେଳାଳି ସାବ୍ୟସ୍ତ ହୋଇଥିଲେ । କେବଳ ବିଜୟ ହଜାରେ ନୁହେଁ ରଣଜୀରେ ବି ତାଙ୍କର ଦମଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ସେ ୫୩.୯୩ ଆଭରେଜରେ ୮୬୩ ରନ କରିଥିଲେ ଯେଉଁଥିରେ ୪ ଶତକ ସାମିଲ ଅଛି । ରଣଜୀ ଟ୍ରଫି ଫାଇନାଲରେ ୧୩୫ ରନର ଦମଦାର ଇଂନିସ ଖେଳି ସେ ନିଜ ଟିମକୁ ଚାମ୍ପିୟନ କରିବାରେ ପ୍ରମୁଖ ଭୂମିକା ବହନ କରିଥିଲେ । ତେବେ ଏତେ ଭଲ ଫର୍ମରେ ଥାଇ ବି ସେ ଆଇପିଏଲରେ କାହାର ବି ଦୃଷ୍ଟି ଆକର୍ଷଣ କରିପାରିନଥିଲେ । ଦିଲ୍ଲୀ ତାଙ୍କୁ ମାତ୍ର ୫୦ ଲକ୍ଷ ଟଙ୍କାରେ କିଣିଥିଲା ।
ଚଳତି ବର୍ଷ ଆଇପିଏଲକୁ କମବ୍ୟାକ କରିଥିବା କରୁଣ ନାୟରଙ୍କୁ ନିଶ୍ଚିତ ଭାବେ ଭଲ ଷ୍ଟାର୍ଟ ମିଳିବ । ୨୦୨୨ ପରଠୁ ଆଇପିଏଲରେ ବେଶ୍ ସକ୍ରିୟ ନଥିବା କରୁଣ ଏଥର ଜଲୱା ଦେଖାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ୨୦୧୩ ମସିହାରେ ଆଇପିଏଲରେ ଡେବ୍ୟୁ କରିଥିବା କରୁଣ ନାୟର ବେଙ୍ଗାଲୁରୁ, ପଞ୍ଜାବ, କୋଲକାତା, ରାଜସ୍ଥାନ ଖେଳି ସାରିଛନ୍ତି । ଆଉ ଏବେ ଦିଲ୍ଲୀ ଟିମରେ ଚୟନ ହୋଇଛନ୍ତି । ଆଇପିଏଲରେ ତାଙ୍କର ଏତେ ଭଲ ରେକର୍ଡ ନଥିଲେ ବି ଟିମ୍ ଇଣ୍ଡିଆ ପାଇଁ ରେକର୍ଡ ସୃଷ୍ଟି କରିଥିଲେ । ୨୦୧୬ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ସେ ତ୍ରିଶତକ ହାସଲ କରିଥିଲେ । ସେ ଏମିତି ଜଣେ ଭାରତୀୟ ଯିଏ ନିଜ ଡେବ୍ୟୁ ମ୍ୟାଚରେ ହିଁ ଏହି ରେକର୍ଡ କରିଥିଲେ ।
ଆଇପିଏଲରେ ଦିଲ୍ଲୀ ଏମିତି ଏକ ଦଳ ଯିଏ କି ଆଜି ଯାଏଁ ଟ୍ରଫି ଜିତି ପାରିନି । ତେବେ ଦଳ ଏଥର ନିଶ୍ଚିତ ଭାବରେ ଟ୍ରଫି ହାତେଇବାକୁ ଚେଷ୍ଟା କରିବ । କରୁଣ ନାୟର ଏଥର ଭଲ ଫର୍ମରେ ରହିଛନ୍ତି । ଯାହା ତାଙ୍କ ରେକର୍ଡ କହୁଛି । ତେଣୁ ଏଥର ଦିଲ୍ଲୀ ପାଇଁ କରୁଣ କିଛି କମାଲ କରିପାରନ୍ତି । ଆଉ ଦଳ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇପାରନ୍ତି ।