କନକ ବ୍ୟୁରୋ: ଥାରେ ଅଛି ଦୃଢ ମନୋବଳ ଆଉ କଠିନ ପରିଶ୍ରମ  ସଫଳତା ଆଣେ । ହେଲେ ସତ କହିଲେ କେତେଜଣ ଏହାକୁ ସତ କରି ଦେଖାନ୍ତି । ବଡ ବଡ ପାଠୁଆ ହାର ମାନି ଯାଆନ୍ତି ଟ୍ଟହେଲେ ଗାଁର ଜଣେ ସାଧାରଣ ମହିଳା କିନ୍ତୁ ଏହାକୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କରି ଦେଖାଇଛନ୍ତି, ଯାହାଙ୍କୁ ଆଜି ସାରା ଦେଶ ପ୍ରଶଂସା କରୁଛି । ତାଙ୍କ କାହାଣୀ ଆଜି ସାରା ସମାଜ ପାଇଁ ଏକ ବାଟ ଦେଖାଉଥିବା ଅମରାବତୀ ପାଲଟିଛି ।
 
କର୍ଣ୍ଣାଟକ ଉତ୍ତର କନ୍ନଡ ଗଣେଶ ନଗର , ସିରିଶ  ତାଲୁକ ବାସିନ୍ଦା ଗୌରୀ ନାୟକ, ବୟସ ୫୨, ଶିକ୍ଷାଗତ ଯୋଗ୍ୟତା ମାତ୍ର ଦ୍ବିତୀୟ ପାସ୍। ହେଲେ ବଡ ବଡୁଆଙ୍କୁ ବି ସେ ପଛରେ ପକାଇଦେଇଛନ୍ତି। ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି , ଅକଳନୀୟ ପରିଶ୍ରମ ତାଙ୍କୁ ଖାଲି ସଫଳତା ଦେଇନି ସାରା ଦେଶରେ ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି । ତାଙ୍କ କାହାଣୀ ଯେ ଆପଣ ସମସ୍ତଙ୍କ ଆଖି ଖୋଲିଦେବ ଏହା ଆମର ଦୃଢ ବିଶ୍ବାସ । ତେଣୁ ଅନୁରୋଧ ଏହି ପୁରା ଭିଡିଓଟିକୁ ଦେଖିବେ ଆଉ ମନ ଦେଇ ଶୁଣିବେଟ୍ଟ

Advertisment

ଅପଣଙ୍କର କୂଅ କିମ୍ବା ଟ୍ୟୁବୱେଲ ଖୋଳିବାକୁ ଦରକାର ପଡିଲେ ଅପଣ କାହାକୁ ଡାକିବେ ? ନିଶ୍ଚୟ ଜଣେ ପୁରୁଷ ଲୋକଙ୍କୁ ଡାକିବେ । କିନ୍ତୁ ପୁରୁଷ କନସେପ୍ଟକୁ ପଛରେ ପକାଛନ୍ତି ଗୌରୀ । କାହାଣୀର ଆରମ୍ଭ କିଛି ଏମିତିଟ୍ଟ ଖୁବ କମ୍ ବେଳୁ ଘୋର ଅଭାବକୁ ସହିଥିବା ଗୌରୀ ନିଜ ଘରକୁ ଲାଗିଥିବା ୬ ଗୁଣ୍ଠ ଜାଗାରେ ଲଗାଇଛନ୍ତି ଗୁଆ ଆଉ କଦଳୀ ଗଛ । ହେଲେ ଖରାଦିନ  ହେବାରୁ ଚାରିଆଡେ ଏବେ ହାହାକାର । ଲୋକେ ପାଣି ପିଇବାକୁ ପାଉନଥିବାବେୋବେଳେ ଗଛ ସବୁ ଝାଉଁଳିବା ଦେଖି ଗୌରୀଙ୍କ ଚିନ୍ତା କହିଲେ ନସରେ । ତାଙ୍କୁ ଗୋଟିଏ ଚିନ୍ତା ଘାରିଲା । ସତରେ କ’ଣ ଏ ଗଛଗୁଡା ମରିଯିବେ, ତାଙ୍କ ଆଖିରୁ ନିଦ ହଜିଗଲା ।  ୟା ଭିତରେ ତାଙ୍କ ମୁଣ୍ଡକୁ ଗୋଟେ ବୁଦ୍ଧି ଜୁଟିଲା , କୂଅଟେ ଖୋଳିବେ । ବାସ୍ ଏହାକୁ ହିଁ ଗଣ୍ଠି କଲେ । କୂଅ ଖୋଳିବା ଯେମିତି ତାଙ୍କ ପାଇଁ ତପସ୍ୟା ପାଲଟିଗଲା । 

ଡେରି ନକରି ତା ପରଦିନ ହିଁ ବଜାରକୁ ଯାଇ କୋଡି କୋଦାଳ, ଚିଜେଲ, ଦୌଡି କିଣି ଆଣିଥିଲେ । ଆଉ ଆରମ୍ଭ କରିଥିଲେ । ଗୌରୀଙ୍କର ବୁଦ୍ଧି ବି ବିଚକ୍ଷଣ ।  ଯେମିତି ଦୁଇ ପଟକୁ ଗୋଡ ପାଇବ ତେଣୁ କୂଅର ଗୋଲେଇ ରଖିଲେ ୫ ଫୁଟ  ଆଉ ଆରମ୍ଭ କଲେ ଖୋଳା ।  ପୁଅ କାମକୁ ଚାଲିଗଲା ପରେ ଇଷ୍ଟଦେବୀ ମା’ ମାରିକାମ୍ବାଙ୍କୁ ମୁଣ୍ଡିଆ  ମାରି ଗୌରୀ ବାହାରିପଡନ୍ତି କୂଅ ଖୋଳିବାକୁ । ପ୍ରତିଦିନ ୩ରୁ ୪ ଘଣ୍ଟା ମାଟି ଖୋଳନ୍ତି , କିଛି ଗଭୀର ଖୋଳିବା ପରେ କୂଅର ଦୁଇ ପଟେ ଦୁଇଟି ମୋଟା ଖୁଣ୍ଟ ପୋତି ତା ଉପରେ ବହ୍ଲା ପକାଇ ସେଥିରେ ପୁଲି ଲଗାଇ ଦୌଡି ବାନ୍ଧିଲେ ।  ଗୌରୀ କୁହନ୍ତି, ସେ କୂଅ ଥିଲା ତାଙ୍କ ପାଇଁ ମନ୍ଦିର । ତେଣୁ ଦେବୀଙ୍କୁ ପ୍ରଣାମ ଜଣାଇ ତା ଭିତରକୁ ପଶୁଥିଲେ । ତାଙ୍କ ମନରେ ଟିକେ ବି ଭୟ ନଥିଲା । ଯେତେବେଳେ କୂଅ ୪୦ ଫୁଟ ଗଭୀର ହେଲା ତାଙ୍କ ତପସ୍ୟା ଆହୁରି କଠିନ ହେଲା କାରଣ ସେଇଠି ଥିଲା ଦୁଇଟି ପଥର ଚଟାଣ ସ୍ତର । ତଥାପି ସେ ହଟିନଥିଲେ । ଚିଜେଲରେ ଖୋଳିବା ଆରମ୍ଭ କରିଥିଲେ। କାଳେ ନାକ ଆଖିରେ ଧୂଳି ପଶିଯିବ ନିଜ ପଣତ କାନିରେ ମୁହଁ ଘୋଡାଇ ରଖୁଥିଲେ। 

ଏହି ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଡାକ୍ତରଙ୍କ ପାଖକୁ ଯାଇଥିଲେ ବି ତାଙ୍କୁ ନିଜ କାମ ବାବଦରେ କିଛି ବି କହିନଥିଲେ । ତାଙ୍କ ମନରେ ଗୋଟିଏ ଚିନ୍ତା ଯଦି ପାଣି ନପଡେ, କିନ୍ତୁ ଚେଷ୍ଟା ଜାରି ରଖିଲେ । ପଥର ଚଟ୍ଟାଣ ପରେ ଆସିଲା ନାଲି ମାଟିର ସ୍ତର । ସେଠାରୁ ୨୦ ଫୁଟ ଖୋଳିବା ପରେ ତାଙ୍କୁ ନିଃଶାସ ନେବାରେ କଷ୍ଟ ହୋଇଥିଲା । ତେଣୁ ପ୍ରତି ୨/୩ ମିନିଟରେ ସେ ଉପରକୁ କୁଣ୍ଡ କରନ୍ତି। ୬୦ ଫୁଟ ଖୋଳିବା ପରେ ମାଟି ଓଦା ଥିବା ଦେଖିଥିଲେ, ଆଶାର କିରଣ ତାଙ୍କ ମନରେ ହସ ହୋଇ ଛାଇଥିଲା। ଆହୁରି ୧୫ ଫୁଟ ଖୋଳିଥିଲେ। ତା ପରଦିନ ସକାଳୁ ଯାହା ଦେଖିଥିଲେ ସେଥିରେ ତାଙ୍କ ଖୁସିର ସୀମା ନଥିଲା। ତାଙ୍କୁ ଯେମିତି ସୃଷ୍ଟିର ସବୁଠୁ ଶ୍ରେଷ୍ଠ ସମ୍ପତ୍ତି ମିଳିଯାଇଥିଲା । କୂଅରେ ପାଖାପାଖି ୧୫ ଫୁଟର ପାଣିଥିବା ସେ ଜାଣିଥିଲେ। ଆଉ ପୁଲିରେ ପାଣି ଉଠାଇ ମନ ଖୁସରେ ସବୁ ଗଛରେ ପାଣି ମଡାଇଥିଲେ।

ସବୁଠୁ ଆଶ୍ଚର୍ୟ୍ୟର କଥା ଜାଣିଛନ୍ତି?  ୩ମାସ ଧରି ୭୫ ଫୁଟ ଗଭୀରର କୂଅ ଖୋଳିଦେଲେ ଗୌରୀ। ହେଲେ  କେହି କିଛି ଜାଣିପାରିଲେନି। ଦିନେ ଝିଅ ଶାଶୁଘରୁ ବୁଲିବାକୁ ଆସିଥିଲେ। ବାରିପଟକୁ ଯିବା ବେଳେକୁ ତାଙ୍କ ଆଖିରେ ପଡିଥିଲା ଏ କୂଅ। ଆଉ ସେ ଭାଇକୁ ଡାକି ଦେଖାଇଥିଲେ। ସମସ୍ତେ ଆଶ୍ଚର୍ୟ୍ୟ। ତା’ ପରେ ଏକଥା ବିଜୁଳି ବେଗରେ ଚାରିଆଡେ ଖେଳିଗଲା । ଗୌରୀଙ୍କୁ ଏହି ଗଭୀର କୂଅକୁ ଦେଖିବାକୁ ଗାଁଠୁ ସହରର ଲୋକେ ଛୁଟିଆସିଥିଲେ । ତାଙ୍କ ଘର ଆଗରେ ଗଣମାଧ୍ୟମର ଗାଡିର ଲମ୍ବା ଲାଇନ୍।  ହେଲେ ଗୌରୀଙ୍କ ମନରେ ତିଳେ ହେଲେ ଅହଂର ଚିହ୍ନବର୍ଣ୍ଣ ନଦଥିଲା । ଅତି ସରଳ ଭାବେ ନିଜର  ଏ ସାଧନାର କାହାଣୀକୁ ଗଣମାଧ୍ୟମ ଆଗରେ ବଖାଣିଦେଇଥିଲେ । ଆଜି ସାରା ଦେଶ ଗୌରୀଙ୍କୁ ’ଲେଡି ଭାଗୀରଥ’ ଭାବେ ଜାଣୁଛି ।

ଗୌରୀଙ୍କ କାହାଣୀ ଯଦିଓ ଏତିକିରେ ସରୁନି ହେଲେ ଆମ ପାଖରେ ସୀମିତ ସମୟ । ତେବେ  ଆଜିକା ଦିନରେ ଯେଉଁମାନଙ୍କୁ  ’ମୁଁ କିଛି କରିପାରିବିନି ’ବୋଲି  ପ୍ରଶ୍ନ ଅସ୍ତବ୍ୟସ୍ତ କରିପକାଉଛି  ସେମାନଙ୍କୁ ଗୌରୀ ନାୟକଙ୍କ କାହାଣୀ ନିଶ୍ଚୟ ସଫଳତାର ବାଟ ଦେଖାଇବ ଏଥିରେ ଦ୍ବିମତ ନାହିଁ।