କନକ ବ୍ୟୁରୋ: ଆପଣ ଅନେକ ଅନ୍ତର୍ଜାତୀୟ ମ୍ୟାଚ ଦେଖିଥିବେ । ଅନେକ ବ୍ୟାଟ୍ସମ୍ୟାନ, ବୋଲରଙ୍କ ଖେଳ ବି ଦେଖିଥିବେ । କିଏ ବାମ ହାତରେ ବୋଲିଂ କରେ ତ କିଏ ଡାହାଣ ହାତରେ ହେଲେ ଆପଣ ଏମିତି କେବେ ଦେଖିନଥିବେ ଯିଏ ଉଭୟ ବାମ ଓ ଡାହାଣ ହାତରେ ବୋଲିଂ କରୁଥିବ । ଏହା ଶୁଣି ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ । ଆମକୁ ବି ଲାଗିଥିଲା । କାରଣ ଯିଏ ଡାହାଣ ହାତରେ ବୋଲିଂ କରନ୍ତି ସେ ବାମ ହାତରେ କଲେ ତାଙ୍କୁ କଷ୍ଟ ହୋଇଥାଏ ବା ସେମାନେ ଲାଇନ ଭୁଲି ଯାଆନ୍ତି । ହେଲେ ଆଇପିଏଲରେ ଏମିତି ଜଣେ ବିରଳ ବୋଲରଙ୍କୁ ଦେଖିବାକୁ ମିଳିଛି, ଯିଏ ଉଭୟ ହାତରେ ବୋଲିଂ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ।
ଏହି ଖେଳାଳି ଜଣକ ହେଉଛନ୍ତି ଶ୍ରୀଲଙ୍କାର କାମିନ୍ଦୁ ମେଣ୍ଡିସ୍, ଯିଏ କୋଲକାତା ବିପକ୍ଷରେ ଆଇପିଏଲରେ ଡେବ୍ୟୁ କରିଥିଲେ । ସେ ନିଜ ଡେବ୍ୟୁ ମ୍ୟାଚରେ ହିଁ ଦୁଇ ହାତରେ ବୋଲିଂ କରି କୋଲକାତା ବ୍ୟାଟ୍ସମ୍ୟାନଙ୍କୁ ଚମକାଇ ଦେଇଥିଲେ । ଏହି ମ୍ୟାଚରେ କାମିନ୍ଦୁ ମେଣ୍ଡିସ ଗୋଟିଏ ଓଭର ବୋଲିଂ କରି ୪ ରନ ଦେଇ ଗୋଟିଏ ଓ୍ୱିକେଟ ନେଇଥିଲେ । ତାଙ୍କ ବଲକୁ ବୁଝିବା କୋଲକାତା ବୋଲରଙ୍କ ପକ୍ଷରେ କଷ୍ଟକର ହୋଇପଡ଼ିଥିଲା ।
କୋଲକାତା ଓ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଉଥିବା ଏହି ମ୍ୟାଚରେ କୋଲକାତା ବିଜୟୀ ହୋଇଛି । ଟସ ଜିତି ହାଇଦ୍ରାବାଦ ଏହି ମ୍ୟାଚରେ ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ପାଇଁ ମୈଦାନକୁ ଆସିଥିବା କୋଲକାତାର ଦୁଇ ଓପନର ବିଫଳ ହୋଇଥିଲେ । ଏହାପରେ ଅଙ୍ଗକ୍ରିସ ରଘୁବଂଶୀ ଓ ଭେଙ୍କଟେଶ ଆୟର ଦମଦାର ପାର୍ଟନରସିପ କରିଥିଲେ । ଅଙ୍ଗକ୍ରିସ ୫୦ ରନରେ ଖେଳୁଥିଲା ବେଳେ ସେ ବିରଳ ବୋଲର କାମିନ୍ଦ ମେଣ୍ଡିସଙ୍କ ଶିକାର ହୋଇଥିଲେ । କୋଲକାତା ଏହି ମ୍ୟାଚରେ ୨୦୦ ରନ କରିଥିଲା । ହେଲେ ହାଇଦ୍ରାବାଦ ଏହି ବିଜୟ ଲକ୍ଷ୍ୟକୁ ପୂରା କରିପାରିନଥିଲା । ଫଳରେ ୮୦ ରନରେ ପରାଜିତ ହୋଇଥିଲା । ହାଇଦ୍ରାବାଦ ପକ୍ଷରୁ କାମିନ୍ଦ କେବଳ ବୋଲିଂରେ ନୁହେଁ ବ୍ୟାଟିଂରେ ବି କମାଲ କରିଥିଲେ । ସେ ୨୦ ବଲରେ ୨୭ ରନ ହାସଲ କରିଥିଲେ ଯେଉଁଥିରେ ୧ ଚୌକା ଓ ୨ ଛକା ସାମିଲ ଅଛି ।
କାମିନ୍ଦୁ ମେଣ୍ଡିସ୍ ଶ୍ରୀଲଙ୍କାର ଜଣେ ବ୍ୟାଟିଂ ଅଲରାଉଣ୍ଡର । ସେ ଶ୍ରୀଲଙ୍କା ପାଇଁ ୧୨ ଟେଷ୍ଟ ମ୍ୟାଚ ଖେଳି ୧ ହଜାର ୧୮୪ ରନ କରିଛନ୍ତି । ସେହିପରି ୧୯ ଦିନିକିଆରେ ୪୮୦ ରନ ଓ ୨୩ ଟି-୨୦ ମ୍ୟାଚରେ ୩୮୧ ରନ କରିଛନ୍ତି । ଆଉ ବୋଲିଂରେ ବି ଶ୍ରୀଲଙ୍କା ପାଇଁ ସେ ଦମଦାର ପ୍ରଦର୍ଶନ କରିଛନ୍ତି । ଚଳିତ ଆଇପିଏଲରେ ହାଇଦ୍ରାବାଦ ତାଙ୍କୁ ୭୫ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା । ତାଙ୍କୁ ବୁଝିବା ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ଏତେ ସହଜ ବି ନୁହେଁ । ସେ ଅମ୍ପୟାରଙ୍କଠାରୁ ଅନୁମତି ନେଇ ନିଜ ବୋଲିଂ ଷ୍ଟାଇଲ ପରିବର୍ତ୍ତନ କରିଥାନ୍ତି ।
ତେବେ ପୂର୍ବରୁ ଆଇପିଏଲରେ ଏଭଳି କୌଣସି ବୋଲର ବୋଲିଂ କରୁଥିବାର ନଜିର ନଥିଲା । ମେଣ୍ଡିସ ଆଇପିଏଲ ଇତିହାସର ପ୍ରଥମ ବୋଲର ଯିଏ ଦୁଇ ହାତରେ ବୋଲିଂ କରି ଇତିହାସ ରଚିଛନ୍ତି ।