କନକ ବ୍ୟୁରୋ : ମଣିଷର  ସର୍ବନିମ୍ନ ଆବଶ୍ୟକତା ଖାଦ୍ୟ, ବସ୍ତ୍ର, ବାସଗୃହ । ସ୍ୱାଧିନ ଭାରତରେ ଏହା ପ୍ରତି ନାଗରିକଙ୍କ ମୌଳିକ ଅଧିକାର ମଧ୍ୟ । ହେଲେ ଆଜି ବି ଅନେକ ପରିବାର ସେଥିରୁ ବଞ୍ଚିତ । ଭୋଟ୍‌ ଆସିଲେ ନେତା ଆସନ୍ତି, ଘରଟିଏ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଅନ୍ତି, ଆଉ ପରେ ଭୁଲିଯାଆନ୍ତି । ନେତା ବାଛିଥିବା ଭୋଟରଙ୍କ ଜୀବନ ସେହି ଭଙ୍ଗା ଘରେ ଛିଣ୍ଡା ପଲିଥିନ ତଳେ ବିତୁଛି । ଭାଗ୍ୟକୁ ଆଦରି ଗୁମୁରୀ ଗୁମୁରୀ କାନ୍ଦନ୍ତି ତାଙ୍କ ପିଲାଛୁଆ । 

Advertisment

କେଇଖଣ୍ଡ ଭଙ୍ଗା ଆଜବେଷ୍ଟସ୍‌ର ଛାତକୁ ଝାଟିମାଟିର କାନ୍ଥ , ତା’ ପୁଣି ଦଦରା । ଏମିତି ଘରେ ବିତିଲାଣି ୨୫ ବର୍ଷ । ଦିନରେ ଖରା, ରାତିରେ ତରା ଦେଖୁଛନ୍ତି ଗୋଟିଏ ପରିବାରର ୧୩ ଜଣ ସଦସ୍ୟ। , ବର୍ଷା ହେଲେ କଥା ସରିଲା । ଘରେ ପଶିଯାଏ ପାଣି, ରୋଷେଇବାସ ବନ୍ଦ ହୋଇଯାଏ , କାନ୍ଥରୁ ମାଟି ଖସିଯାଏ । ଆଉ ଖରା ହେଲେ ଚିରା ଲୁଗା ଟାଣି ଗରମରୁ ବଞ୍ଚିବାକୁ ଚେଷ୍ଟା କରନ୍ତି ନିଆଳି ବ୍ଲକ କୂଳପିତାପଡ଼ା ଗାଁର ଶ୍ରୀଚରଣ ରାଉତଙ୍କ ପରିବାର । 

ଶ୍ରୀଚରଣଙ୍କର ୩ ପୁଅ, ସେମାନେ ଭାଗ ଚାଷୀ । ସେଥିରୁ ଯାହା ମିଳୁଛି ସେଥିରେ ପିଲାଛୁଆ ବର୍ଷଯାକ ପେଟପୁରା ପୂ ରିବା ମଧ୍ୟ କଷ୍ଟକର । ଘର ତିଆରି କଥା ପଚାରେ କିଏ। ନିଜର ସାମର୍ଥ୍ୟ ନଥିବାରୁ ସରକାରୀ ଯୋଜନାରେ ଘର ଖଣ୍ଡେ ପାଇଁ ବାରମ୍ବାର ଆବେଦନ କରିଛନ୍ତି । ହେଲେ ଏଥିପ୍ରତି କେହି କେବେ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ସାନ ଭାଇର ରାସନ୍‌ କାର୍ଡ ନାହିଁ । ଫଳରେ ଅତ୍ୟନ୍ତ ଦୁର୍ବିସହ ଅବସ୍ଥାରେ ଜୀବନ ବଞ୍ଚୁଛନ୍ତି ଏହି ପରିବାର ।