କନକ ବ୍ୟୁରୋ : ସମ୍ବଲପୁର ହୀରାକୁଦ ଝାଙ୍କରପଡ଼ା ଅଞ୍ଚଳର ଦିଲ୍ଲୀପ ପ୍ରଧାନଙ୍କ ଗ୍ୟାରେଜରୁ ପାଣି ମୋଟର ଚୋରି ଅଭିଯୋଗରେ ଖ୍ରୀଷ୍ଟିଆନ ପଡ଼ାର କାଦିର ମହମ୍ମଦ ଶେଖଙ୍କୁ ହୀରାକୁଦ ଥାନା ପୁଲିସ ଗିରଫ କରିଥିଲା । କୋର୍ଟ ଚାଲାଣ ବେଳେ କାଦିରଙ୍କର ମୃତ୍ୟୁ ହୋଇଛି । ହାଜତରେ କାଦିରଙ୍କୁ ଥାର୍ଡ ଡିଗ୍ରୀ ଯୋଗୁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପ୍ରତିବାଦରେ ଲୋକ ହୀରାକୁଦ ଥାନା ଘେରିଥିଲେ । ଥାନାର ସିସିଟିଭି ଯାଞ୍ଚ ଓ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରାଯାଇଛି ।
ଏହି ମାମଲା ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଛି । ପୁଲିସ ମାଡ଼ରେ କାଦିରଙ୍କ ମୃତ୍ୟୁ ହୋଇଥିବା ଜାତୀୟ ମାନବାଧିକାର କମିଶନରେ ମାନବାଧିକାର କର୍ମୀ ଜୟନ୍ତ ଦାସ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି କମିଶନ ରିପୋର୍ଟ ମାଗିଛନ୍ତି । ତେବେ ପୁଲିସ କହିଛି, କୋର୍ଟ ଚାଲାଣ ବେଳେ କାଦିର ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ପ୍ରଶ୍ନ ଉଠୁଛି, କାଦିରଙ୍କୁ କୋର୍ଟ ଚାଲାଣ ପୂର୍ବରୁ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ନଥିଲା କି? ତାଙ୍କ ପରିବାରକୁ ନ୍ୟାୟ ମିଳିବ ତ? ତେବେ ଏହି ଘଟଣାରେ ହୀରାକୁଦ ପୁଲିସ ସନ୍ଦେହ ଘେରକୁ ଆସିଛି ।