ପାଟିକୁ ଚଟପଟା ଏବଂ କୁଡକୁଡ୍ ଲାଗୁଥିବା ଚିପ୍ସ କାହାକୁ ବା ପସନ୍ଦ ନୁହଁ । କିନ୍ତୁ ବାହାରୁ କିଣୁଥିବା ପ୍ୟାକେଟବନ୍ଦ ଚିପ୍ସ ଶରୀର ପାଇଁ କେତେ ହାନିକାରକ ଏହା ଆମେ ଜାଣି ସୁଦ୍ଧା ପିଲାଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼େ । ଘର ଖାଇବାକୁ ନାକ ଟେକୁଥିବା ପିଲା ବାହାରକୁ ଗଲେ ଚିପ୍ସ ଖାଇବା ପାଇଁ ଯେମିତି ଜିଦ୍ ଧରୁଛନ୍ତି ବାପରେ କିଏ ଏତେ ଲୋକଲଜ୍ଜା ହେବ । ଧରେଇଦିଅ ହାତରେ ଚିପ୍ସ , ଗୋଟିଏ ପ୍ୟାକେଟ୍ ଚିପ୍ସର ତ କଥା କ’ଣ ହୋଇଯିବ ଭାବି ଆମେ ଚିପ୍ସ ପ୍ୟାକେଟଟି କିଣି ପିଲାଙ୍କ ହାତରେ ଦେଇଦେଉ । ହେଲେ ଏହି ଗୋଟିଏ ପ୍ୟାକେଟ୍ ଚିପ୍ସ କେତେ ରୋଗଙ୍କୁ ନିମନ୍ତ୍ରଣ ଦିଏ କେବେ ଭାବିଛନ୍ତି? 

Advertisment

chips

ଗବେଷଣାରୁ ଜଣାପଡ଼ିଛି,ମେଦବହୁଳତା,ଡାଇବେଟିସ୍ ଠାରୁ ଆରମ୍ଭ କରି କ୍ୟାନ୍ସର ପର୍ଯ୍ୟନ୍ତ ଏହି ପ୍ୟାକେଟବନ୍ଦ ଚିପ୍ସ ଶରୀରରେ କ୍ଷୀପ୍ର ଗରଳ ଭଳି କାମ କରିଥାଏ । ଷ୍ଟଡିରୁ ଏହା ମଧ୍ୟ ଜଣାପଡ଼ିଛି ଯେ ହୃଦୟ ସହିତ ଜଡ଼ିତ ରୋଗର ବିଭିନ୍ନ କାରଣ ମଧ୍ୟରୁ ଚିପ୍ସ ଖାଇବା ଅନ୍ୟତମ । ତେବେ ଆସନ୍ତୁ ଜାଣିବା ପାଟିକୁ ସୁଆଦିଆ ଲାଗୁଥିବା ଏହି ଚିପ୍ସ ଆପଣଙ୍କ ପିଲାର ଶରୀରରେ କିପରି ପ୍ରଭାବ ପକାଉଛି । 

pc

ଚିପ୍ସରେ ଫ୍ୟାଟ୍ ଏବଂ କ୍ୟାଲୋରିଜର ମାତ୍ରା ଅତ୍ୟଧିକ ଥିବାରୁ କମ୍ ବୟସରେ ଓଜନ ବଢିବା ତଥା ମେଦବହୁଳତାର ଶିକାର ମଧ୍ୟ ହେବାକୁ ପଡ଼ିଥାଏ । ୨୮ ଗ୍ରାମ୍ ଆଳୁ ଚିପ୍ସରେ ୧୫ ରୁ ୨୦ ଗ୍ରାମ୍ ଫ୍ୟାଟ୍ ଏବଂ ୧୫୪ ଗ୍ରାମ୍ କ୍ୟାଲୋରିଜ୍ ରହିଥାଏ । ୨୦୧୫ ରେ ହୋଇଥିବା ଏକ ଗବେଷଣା ଅନୁସାରେ , ତେଲରେ ଡିପ୍ ଫ୍ରାଏ ହୋଇଥିବା ଆଳୁ ଚିପ୍ସ ଓଜନ ବଢିବାର ପ୍ରମୁଖ କାରଣ ହୋଇଥାଏ । ଏଥିରେ ଡାଇବେଟିସ୍ , ହୃଦୟ ଜନିତ ସମସ୍ୟା ଏମିତିକି କର୍କଟ ଭଳି ଦୁଃସାଧ୍ୟ ରୋଗ ହେବାର ମଧ୍ୟ ସମ୍ଭାବନା ରହିଛି । 

ପିଲା ଯଦି ଲଗାତାର ପ୍ୟାକେଟବନ୍ଦ ଚିପ୍ସ ଖାଉଛନ୍ତି ତାଙ୍କ ପୋଷଣରେ ମଧ୍ୟ ଅଭାବ ଦେଖାଯାଏ । ଭିଟାମିନ୍ ଏବଂ ମିନେରାଲ୍ ନଥିବାରୁ ପୋଷଣ ତତ୍ତ୍ୱ ମଧ୍ୟ ଶରୀରକୁ ମିଳେନାହିଁ । ସୋଡିୟମର ମାତ୍ରା ଅଧିକ ଥିବାରୁ ସ୍ୱାସ୍ଥ୍ୟ ପାଇଁ ଚିପ୍ସ ଆଦୌ ଭଲ ନୁହଁ । ଉଚ୍ଚ ରକ୍ତଚାପ,ଷ୍ଟ୍ରୋକ୍,ହାର୍ଟ ଏବଂ କିଡନୀ ରୋଗ ପାଇଁ ସୋଡିୟମ୍ ଦାୟୀ । ୨୮ ଗ୍ରାମ୍ ଆଳୁ ଚିପ୍ସରେ ୧୨୦ ମିଲିଗ୍ରାମରୁ ଆରମ୍ଭ କରି ୧୮୦ ମିଲିଗ୍ରାମ୍ ସୋଡିୟମ୍ ରହିଥାଏ । ୨୦୧୦ ମସିହାରେ ଆମେରିକାରେ ଏକ ଗାଇଡଲାଇନ୍ ଜାରି ହୋଇଥିଲା । ଯେଉଁଥିରେ ସାରାଦିନରେ କେତେ ପରିମାଣରେ ଲୁଣ ଖାଇହେବ ସୂଚନା ଦିଆଯାଇଥିଲା । ଏହି ଗାଇଡଲାଇନ୍ ଅନୁସାରେ ଦିନକୁ ୨୩୦୦ ମିଲିଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ  । ଯଦି ଅଧିକ ଲୁଣ ଖାଇବେ ଉଚ୍ଚ ରକ୍ତଚାପରୁ ଆରମ୍ଭ କରି କିଡନୀ ଜନିତ ରୋଗ ମଧ୍ୟ ହୋଇପାରେ । ପ୍ୟାକେଟବନ୍ଦ ଚିପ୍ସ ପିଲାଙ୍କ କୋଲେଷ୍ଟ୍ରୋଲ୍ ମାତ୍ରାକୁ ମଧ୍ୟ ବଢାଇଥାଏ । ଚିପ୍ସରେ ଅତ୍ୟଧିକ ପରିମାଣରେ ଥିବା ଫ୍ୟାଟ୍ ପିଲାଙ୍କ କୋଲେଷ୍ଟ୍ରୋଲ୍ ସ୍ତରକୁ ବିଗାଡିଦିଏ । ତେଣୁ ପିଲା ତ ଜିଦ୍ କରିବେ ହେଲେ ଜାଣିଶୁଣି କେମିତି ପିଲାଙ୍କ ଦେହ ଖରାପ କରିବା? ଚିପ୍ସର ବିକଳ୍ପ ବାହାର କରନ୍ତୁ , ପିଲାଙ୍କୁ ରୋଗମୁକ୍ତ ଜୀବନ ଦେବା ପାଇଁ ଚେଷ୍ଟା କରନ୍ତୁ ।