କନକ ବ୍ୟୁରୋ: ନୂଆ ଡ୍ରେସ ପିନ୍ଧି କରୁଥିଲେ ଚୋରି  । ବ୍ୟବସାୟୀଙ୍କୁ ଟାର୍ଗେଟ କରି ଦାମୀ କାର ଆସୁଥିଲେ ଚୋରି କରି ପୁଣି ଫେରାର ହେଇଯାଉଥିଲେ  । ଏମିତି ଏକ ଅନ୍ତଃରାଜ୍ୟ ଚୋର ଗ୍ୟାଙ୍ଗକୁ କାବୁ କରିଛି ଖଲ୍ଲିକୋଟ ପୋଲିସ ।  ଚୋରଙ୍କ ନୂଆ ସଉକ । ଲୋକଙ୍କ ଆଖିରେ ଧୂଳି ଦେଇ ଦାମୀ କାରରେ ଆସୁଥିଲେ, ବଡ଼ ବଡ଼ ମଲରୁ ଦାମୀ ଡ୍ରେସ୍ କିଣି ଚୋରି କରିବା ପରେ ସେହି ଡ୍ରେସ୍ ଫିଙ୍ଗିଦେଉଥିଲେ । ବ୍ୟବସାୟୀଙ୍କୁ ଟାର୍ଗେଟ କରି ଚୋରି କରି ଫେରାର ମାରୁଥିଲେ । ତେବେ ଚୋରି ଉଦ୍ଦେଶ୍ୟରେ ବ୍ରହ୍ମପୁର ଆସିଥିବା ୪ଜଣ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଏକ ମଲରୁ ଗିରଫ କରି ଖଲ୍ଲିକୋଟ ପୋଲିସ କୋର୍ଟ ଚାଲାଣ କରିଛି ।

Advertisment

୪ ଲୁଟେରା ମଧ୍ୟପ୍ରଦେଶ ଧର ଜିଲ୍ଲାର । ଜୁଲାଇ ୨୬ରେ ବ୍ରହ୍ମପୁରରୁ କୋଲକାତା ଯାଉଥିବା ଖମ୍ବେଶ୍ୱରୀ ବସରୁ ଚୋରି ହୋଇଥିଲା । କୋଲକାତାର ଜଣେ ରୂପା ବ୍ୟବସାୟୀଙ୍କ ୪୦ କିଲୋ ରୂପା ଓ ୪ ଲକ୍ଷ ଟଙ୍କା ଥିବା ବ୍ୟାଗ୍ ନେଇ ଫେରାର ମାରିଥିଲେ ଲୁଟେରା । ଏମାନଙ୍କ ଠାରୁ ଗୋଟିଏ ଦାମୀ ମହିନ୍ଦ୍ରା ଏକ୍ସୟୁଭି-୩୦୦ କାର, ୫ଟି ମୋବାଇଲ ଓ ୬୫,୬୦୦ ଟଙ୍କା ଜବତ କରିଛି ଖଲ୍ଲିକୋଟ ପୋଲିସ  । ବସଟି ୧୬ ନଂ ଜାତୀୟ ରାଜପଥ ଭେଜିପୁଟ ନିକଟରେ ଅଟକିଥିବା ବେଳେ ସମସ୍ତ ଯାତ୍ରୀ ଜଳଖିଆ ଖାଇବାକୁ ଯାଇଥିଲେ । ଏହି ସମୟରେ ଲୁଟେରା ମାନେ କାରରେ ଆସି ରୂପା ଓ ଟଙ୍କା ଥିବା ବ୍ୟାଗ୍ ନେଇ ଚମ୍ପଟ ମାରିଥିଲେ । ଏନେଇ ଖଲ୍ଲିକୋଟ ଭେଜିପୁଟ ଫାଣ୍ଡିରେ ରୂପା ବ୍ୟବସାୟୀ ମିଥୁନ ମଣ୍ଡଳ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ଏମାନଙ୍କୁ ଗିରଫ କରିଛି ।

ଏହି ଲୁଟେରା ମାନେ କେବଳ ଖଲ୍ଲିକୋଟ ନୁହେଁ କିଛିଦିନ ତଳେ ଢେଙ୍କାନାଳରୁ ମଧ୍ୟ ଏକ ଡଲଫିନ ବସରୁ ଜଣେ ରୂପା ବ୍ୟବସାୟୀଙ୍କ ୪୦ କେଜି ରୁପା ଚୋରୀ କରିଥିବା ମାନିଛନ୍ତି । ଚୋର ଯେତେ ଚାଲାକ ହେଲେ ମଧ୍ୟ ପୋଲିସର ସନ୍ଦେହି ଆଖିରୁ ବଂଚିବା ମୁସ୍କିଲ ହୋଇପଡ଼ିଛି । ତେବେ ଏମାନଙ୍କ ସହିତ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାର କାରଣ ଖୋଜୁଛି ପୋଲିସ ।