କନକ ବ୍ୟୁରୋ: ଧରା ପଡ଼ିଲା ଚତୁର ଚୋରଙ୍କ ଚାଲାକି। ନକଲି ସୁନା ବନ୍ଧା ରଖି ବ୍ୟାଙ୍କରୁ ଲୁଟୁଥିଲେ ଋଣ ଟଙ୍କା। ନକଲି ସୁନା ଦେଇ ଲୁଟିଛନ୍ତି ୨୪ ଲକ୍ଷ। ସୁନା ନିଲାମ ବେଳେ ଜଣା ପଡିଲା ଏସବୁ ନକଲି। ଅଭିଯୋଗ ପାଇବା ପରେ ବାନ୍ଧିଲା ପୁଲିସ। 

Advertisment

ଚୋର ଚାର ସୋ ବିଶ। ଭଦ୍ରମୁଖା ତଳେ କେମିତି ଲୁଚିଛି ସଇତାନର ଚେହେରା। ବ୍ୟାଙ୍କରେ ନକଲି ସୁନା ବନ୍ଧା ରଖି ଲୁଟି ନେଇଛନ୍ତି ୨୪ ଲକ୍ଷ। ଅଭିଯୋଗ ପାଇବା ପରେ ଚୋରଙ୍କୁ ବାନ୍ଧିଛି ବୈଦ୍ୟନାଥପୁର ପୁଲିସ। ବିଶ୍ୱଜିତ କର, ଅଭିନବ ଶ୍ରୀବାସ୍ତବ, ଏସ.କେ ମନ୍‌ଜୁର୍‌ । ଗତ ଜାନୁଆରୀ ମାସରେ ଏମାନେ ଆସିଥିଲେ ବ୍ରହ୍ମପୁର। ଏଠାରେ ରଙ୍ଗୁଣିପାଲିର ପି ପୁରୁଷୋତ୍ତମଙ୍କୁ ଭେଟିଥିଲେ। ନିଜର ସିବିଲ ସ୍କୋର ଭଲ ନଥିବାରୁ, ତାଙ୍କ ନାଁରେ ବ୍ୟାଙ୍କରୁ ସୁନା ଋଣ ନେଇ କମିଶନ ଯାଚିଥିଲେ। ଲୋଭରେ ପଡ଼ି ପୁରୁଷୋତ୍ତମ ରାଜିହେବା ପରେ, ଆରମ୍ଭ ହେଲା ଅସଲ ଖେଳ। ନକଲି ସୁନା ବନ୍ଧକ ରଖି ଏମାନେ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରରୁ ୩ ଲକ୍ଷ ୫୦ ହଜାର, ଫେଡେରାଲ୍‌ ବ୍ୟାଙ୍କରୁ ୩ ଲକ୍ଷ ୫୦ ହଜାର ଓ ହିଞ୍ଜିଳିକାଟୁ ଆକ୍ସିସ ବ୍ୟାଙ୍କରୁ ୩ ଲକ୍ଷ ୩୫ ହଜାର ଉଠାଇଥିଲେ। ବଦଳରେ ବନ୍ଧକ ରଖିଥିଲେ ୪ଟି ସୁନା ଚୁଡ଼ି ଓ ୨ ଯୋଡ଼ା କାନଫୁଲ। 

ଋଣ ଟଙ୍କା ଜମା ନହେବାରୁ ବ୍ୟାଙ୍କ ବନ୍ଧକ ସୁନା ନିଲାମ କରିଥିଲା। ନିଲାମ ନେଇଥିବା ବ୍ୟକ୍ତି ସୁନା ସବୁ ନକଲି ବା ଇମିଟେସନ ଜାଣିବା ପରେ ଆରମ୍ଭ ହୋଇଥିଲା ଖୋଳତାଡ଼। ପୁରୁଷୋତ୍ତମ ଥାନାରେ ଏନେଇ ଅଭିଯୋଗ ପରେ, ପୁଲିସ ଜାଲରେ ପଡିଥିଲେ ୩ ଲୁଟେରା। ମଞ୍ଜୁର ଘଟଣାର ମାଷ୍ଟରମାଇଣ୍ଡ ଥିବା ବେଳେ ବିଶ୍ୱଜିତ ଓ ଅଭିନବ ଦୁହେଁ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ। ସେମାନଙ୍କ ପାଖରୁ ୬୨ ଗ୍ରାମ ନକଲି ସୁନା ଚୁଡ଼ି, ୧୨ ଗ୍ରାମର ନକଲି ସୁନା କାନଫୁଲ ଓ ୬୧ ଗ୍ରାମର ନକଲି ରୁପା ଅଳଙ୍କାର ଜବତ ହୋଇଛି। 
ନକଲି ସୁନା ବନ୍ଧକ ରଖି ୨୪ ଲକ୍ଷ ଚଳୁ କରିଦେଲେ। ବାରମ୍ୱାର ଏପରି କରୁଥିଲେ ମଧ୍ୟ କେହି କେମିତି ଜାଣିପାରିଲେନି ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।