କନକ ବ୍ୟୁରୋ: ସ୍ପେଶାଲ ସ୍କ୍ବାଡ ସହାୟତରେ ବାଇକ ଲୁଟେରା ଗ୍ୟାଙ୍ଗକୁ ଠାବ କଲା ଲିଙ୍ଗରାଜ ଥାନା ପୋଲିସ।  ୪ ପେଶାଦାର ବାଇକ ଲୁଟେରାଙ୍କୁ ଗିରଫ ସହ ୧୨ଗାଡି ଜବତ କରିଛି ପୋଲିସ ।  ଗିରଫ ୪ ଜଣଙ୍କ ମଧ୍ୟରେ ରହିଛନ୍ତି ଦୁଇ ପ୍ରଫେସ୍ନାଲ ଚୋର। ଚୋରା ଗାଡି କିଣୁଥିବା ଦୁଇ ଜଣଙ୍କୁ ବି ଗିରଫ କରିଛି କମିଶନରେଟ୍ ପୋଲିସ।  

Advertisment

ପାର୍କିଂ ଏରିଆରେ ଗାଡି ରଖୁଛନ୍ତି କି ? ବଜାର ବୁଲିବାବେଳେ ରାସ୍ତାକଡରେ ଗାଡି ରଖି ଜିନିଷ ପତ୍ର କିଣୁଛନ୍ତି କି । ଯଦି ଆପଣ ଏଭଳି କାମରେ ଅଭ୍ୟସ୍ତ ତେବେ ହୋଇଯାନ୍ତୁ ସଜାଗ । କାରଣ ମାତ୍ର କେଇ ମିନିଟରେ ହୋଇପାରେ ଆପଣଙ୍କ ଗାଡି ଚୋରି। କେବଳ ଏତିକି ନୁହଁ ଆପଣଙ୍କ ଘର ବାହାରୁ ବି ହୋଇପାରେ ଗାଡି ଚୋରି । ପାର୍କିଂ ଏରିଆ, ବଜାର ଓ ଘର ବାହାରେ ରହିଥିବା ଗାଡିକୁ ଚୋରୀ କରୁଥିବା ଏକ ରାକେଟର ପର୍ଦ୍ଦାପାସ କରିଛି କମିଶନରେଟ ପୋଲିସ । 

ଭୁବନେଶ୍ୱରରୁ ଗାଡି ଚୋରୀ କରି ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ଗାଡି ବିକ୍ରି କରାଯାଉଥିଲା। ଦିପୁନା ମଲ୍ଲିକ ଓ ବିଜୟ ଖଟେଇ ଗାଡି ଚୋରୀ କରି ପୁରୀରେ ବିକ୍ରି କରୁଥିଲେ । ଏହି ଦୁଇ ପେଶାଦାର ଚୋରଙ୍କ ନାଁରେ ଅନେକ ମାମଲା ରହିଥିବା ଭୁବନଶ୍ୱର ଡିସିପି ସୂଚନା ଦେଇଛନ୍ତି । କାକଟପୁରର ତସଲିମ ଖାନ୍ ଓ ଅସ୍ତରଙ୍ଗର ଦୀପକ କୁମାର ଦାସ ଚୋରା ଗାଡି କିଣିଥିବାରୁ ତାଙ୍କୁ ଗିରଫ କରିଛି ପୋଲିସ । 

ଏହି ଘଟଣାରେ ୧୨ଟି ଗାଡି ସହ ଚାବି ଗୁନ୍ଥା ଜବତ ହୋଇଛି । ଗାଡିର ମାଲିକଙ୍କୁ ଖୁବ ଶୀଘ୍ର ଗାଡି ଫେରାଇଦିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।