କନକ ବ୍ୟୁରୋ : ଭୋର ୫ଟା ସମୟ । ସମ୍ବଲପୁର ସିଟି ଷ୍ଟେସନ। ଆଗରେ ଯାଉଥିଲା କଳା ରଙ୍ଗର ଦାମୀ କାର। ଆଉ ପଛରେ ନିର୍ଭୟରେ ଯାଉଥିଲା ଗୋରୁ ବୋଝେଇ କଣ୍ଟେନର । ୨ଟି ଗାଡିରେ ଏସକର୍ଟ କରି କଣ୍ଟେନରକୁ ସମ୍ବଲପୁର ବାହାରେ ଛାଡିବାକୁ ହୋଇଥିଲା ମସୁଧା । କିନ୍ତୁ ସମ୍ବଲପୁର ସିଟି ଷ୍ଟେସନ ନିକଟରେ ହଠାତ୍ ପୋଲିସ ପିସିଆର ଟ୍ରକକୁ ଅଟକାଇବାକୁ ଚେଷ୍ଟା କରିଥିଲା । ଟ୍ରକ୍ ଅଟକିବା ପୂର୍ବରୁ ଏସକର୍ଟ କାର ଭିତରୁ ଆରମ୍ଭ ହୋଇଥିଲା ଫାୟାରିଂ। ଅନ୍ୟପଟେ ପ୍ରତିଜବାବରେ ପୋଲିସ ପକ୍ଷରୁ ଫାୟାରିଂରେ ଆହତ ହୋଇଥିଲେ କାର ଭିତରେ ଥିବା ୨ ଯୁବକ। କଣ୍ଟେନର ଭିତରୁ ୩୦ ଗୋରୁ ଉଦ୍ଧାର ହୋଇଥିବା ବେଳେ ଗୋଚାଲାଣର ପଶ୍ଚିମବଙ୍ଗ ଲିଙ୍କ୍ ସାମ୍ନାକୁ ଆସିଛି।
ପୋଲିସ ଗୁଳିରେ ଆହତ ୨ ଯୁବକ ପଶ୍ଚିମବଙ୍ଗର ହୋଇଥିବା ବେଳେ ଦେଶୀ ପିସ୍ତଲ ଓ ଗୁଳି ଜବତ ହୋଇଛି। ଏସକର୍ଟ କରୁଥିବା ଅନ୍ୟ ଏକ କାର ପୋଲିସକୁ ଚକମା ଦେଇ ଫେରାଇ ହୋଇଯାଇଛି। କିନ୍ତୁ ଏ ପୂରା ଗୋଚାଲାଣ ସିଣ୍ଡିକେଟରେ ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତିର ପ୍ରମାଣ ପାଇଛି ପୋଲିସ। ବରଗଡ ଓ ସୁବର୍ଣ୍ଣପୁରରୁ ଗୋଚାଲଣ ହେଉଥିବା ବେଳେ ଆହତ ଯୁବକଙ୍କ କଲ ରେକର୍ଡରୁ ପ୍ରଚ୍ଛଦପଟ୍ଟରେ ଥିବା ଗୋମାଫିଆଙ୍କ ବାବଦରେ ସୂଚନା ହାତେଇଛି ପୋଲିସ
।
ଗୋଚାଲଣକୁ ନେଇ ସମ୍ବଲପୁର ପୋଲିସ ଏବେ ଆକ୍ସନ ମୋଡରେ । ୭ ଦିନ ମଧ୍ୟରେ ଦ୍ବିତୀୟ ଥର ଏନକାଉଣ୍ଟର କଲାଣି ସମ୍ବଲପୁର ପୋଲିସ । ତେବେ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋଚାଲାଣ ପଛରେ କିଏ ସେହି କରିତକର୍ମା? ତାହା ଉପରୁ ପରଦା ହଟିନି ।