କନକ ବ୍ୟୁରୋ:  ମାଗଣା ରାସନ୍ ଚାଉଳ ନେବାକୁ ଖର୍ଚ ହେଉଛି ପାଂଚଶହ ଟଙ୍କା। ପୁଣି ଚାଉଳ ନେବାକୁ ବିତି ଯାଉଛି ଗୋଟିଏ ଦିନ। ତଥାପି ପେଟର ଭୋକ ଦୁର ପାଇଁ କାଳେ ରାସନ୍ ଚାଉଳ ନ ନେଲେ ନାମ କଟି ଯିବ ସେହି ଭୟରେ ଚାଉଳ ନେବା ପାଇଁ   ସଂଘର୍ଷ କରୁଛନ୍ତି  ଝିରଝିରା ଗ୍ରାମବାସି। । ଧରାକୋଟ ବ୍ଲକ ବଳରାମପୁର ପଞ୍ଚାୟତର ଉପାନ୍ତ ଗାଁ ଝିରଝିରା। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୫୦ କିମି ଦୂରରେ ରୁହନ୍ତି ୩୦ଟି ପରିବାର। ଅତିଅନୁନ୍ନତ ଅଞ୍ଚଳ। ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ ପିଲାଛୁଆଙ୍କୁ ଧରି ମାଟି ଘରେ ରହୁଛନ୍ତି। ପିଲାମାନଙ୍କ ଶରୀର ଅତି ଦୁର୍ବଳ। ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରିଖିଛି କନକ ନ୍ୟୁଜ। ରାସ୍ତାଘାଟ ନାହିଁ, କାହାରିକୁ ପକ୍କାଘର ମିଳିନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏମିତି ଯେ, କୁନି ପିଲାଟିର ହାତ ଭାଙ୍ଗି ଯାଇଥିବା ବେଳେ ତାକୁ କପଡ଼ାରେ ଗୁଡ଼େଇ ରଖିବାକୁ ପଡୁଛି। ଜଙ୍ଗଲ ଭିତରେ ପାହାଡ଼ି ରାସ୍ତା ଚାଲିଲେ ମିଳୁଛି ରାସନ ସାମଗ୍ରୀ। ଯଦି କିଏ ଅଟୋ କରି ପଞ୍ଚାୟତ ଅଫିସ ଯାଏଁ ଯାଆନ୍ତି ତେବେ ତାଙ୍କ ପାଇଁ ଘୋଡ଼ା ଛ' ଟଙ୍କାକୁ ଦାନା ନଅ ଟଙ୍କା। ଦିଗପହଣ୍ଡି ଦେଇ ଗଲେ ମାଗଣା ଚାଉଳ ପାଇଁ ବାଟଖର୍ଚ୍ଚ ବାବଦକୁ ୫ଶହ ଟଙ୍କା ଦେବାକୁ ପଡ଼େ।   
 ଗାଁରୁ ପଞ୍ଚାୟତ ୫୦ କିମି 
ଥରେ ଚାଉଳ ନନେଲେ ଯୋଜନାରୁ କଟିଯିବ ନାଁ 
ସରଳ ଲୋକଙ୍କ ପାଇଁ ଜଟିଳ ହୋଇଛି ପ୍ରକ୍ରିୟା
ସରକାରଙ୍କ ନିୟମ ଅନୁସାରେ ପ୍ରତିମାସରେ ଚାଉଳ ନନେଲେ ରାସନକାର୍ଡରୁ ନାଁ କଟିଯିବ। ତେଣୁ ଗଲେ ଅସୁବିଧା ନଗଲେ ନାଁ କଟିଯିବାର ଭୟ। ତେଣୁ ଏହି ସରଳ ଲୋକଙ୍କ ପାଇଁ ଜଟିଳ ହୋଇଛି ସରକାରୀ ପ୍ରକ୍ରିୟା। ତେଣୁ ପିଲାଛୁଆଙ୍କୁ ଘରେ ଛାଡ଼ି ବାପା-ମାଆମାନେ ଚାଉଳ ପାଇଁ ସକାଳୁ ଚାଲନ୍ତି। ପଞ୍ଚାୟତ ଅଫିସରେ ଆଇ ସ୍କାନ କରି ଚାଉଳ ମୁଣ୍ଡେଇ ଘରକୁ ଫେରିବା ବେଳକୁ ରାତି ହେଉଥିବା ଅଭିଯୋଗ ହୋଇଛି।