କନକ ବ୍ୟୁରୋ: ଉପାନ୍ତ ଇଲାକାର କୁବେର ଯନ୍ତ୍ରୀ, ପିସି ଅର୍ଥରେ ମାଲେମାଲ ସରକାରୀ ବାବୁ । ଯେତେ ଖୋଳିଲେ ସେତେ ଲମ୍ବୁଛି ବେଆଇନ ସମ୍ପତ୍ତି ତାଲିକା । ମାଲକାନଗିର ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ପବିତ୍ର ମୋହନ ପାଣିଗ୍ରାହୀ । ୫ ଲକ୍ଷ ୭ ହଜାର ଟଙ୍କା ନେଇ ବାବୁ ଜଣକ ଶୁକ୍ରବାର କାର ଯୋଗେ ରାଜଧାନୀକୁ ଆସୁଥିବା ସମୟରେ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି । ପରେ ଭୁବନେଶ୍ବର, ଆସ୍କା, ଚିତ୍ରକୋଣ୍ଡା ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଠାବ ହୋଇଛି ଦାମୀ ପ୍ଲଟ୍ ସାଙ୍ଗକୁ ୧୩ ଲକ୍ଷ ୫୦ ହଜାର ନଗଦ ଟଙ୍କା ସହ ୪୦୦ ଗ୍ରାମ୍ ସୁନା ଗହଣା ।
ବହୁ ସରକାରୀ ଚାକିରିଆଙ୍କ ପାଖରେ ମାସ ଶେଷବେଳକୁ ହଜାରେ ଟଙ୍କା ରହୁନଥିବାବେଳେ ଏହି ବାବୁ ଜଣଙ୍କୁ କେଉଁଠୁ ଏତେ ଟଙ୍କା ଆଣିଲେ ତାହା ଚର୍ଚ୍ଚାର ବିଷୟ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମିଥ୍ୟା ବିଲ୍ କରି ସମ୍ପତ୍ତି ବୃଦ୍ଧି କରୁଥିଲେ ଲାଞ୍ଚଖିଆ ବାବୁ । ବିଭିନ୍ନ ପ୍ରକଳ୍ପରୁ ନିଜ ପକେଟକୁ ନେଉଥିଲେ ୫୦ ପ୍ରତିଶତ ଅର୍ଥ । ଯନ୍ତ୍ରୀଙ୍କ ହ୍ବାଟ୍ସଆପ୍ ଚାଟ୍ରୁ ଭିଜିଲାନ୍ସକୁ ମିଳିଛି କିଛି ଏଭଳି ସୁରାକ୍ । କେବଳ ଏହି ଜଣେ ଅଧିକାରୀ ନୁହେଁ, ତାଳୁରୁ ତଳିପା ଯାଏ ବିଭିନ୍ନ ବିଭାଗର କର୍ମଚାରୀଙ୍କର ମଧ୍ୟ ଲାଞ୍ଚ କାରବାରରେ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି । ଖୁଲମଖୁଲା ପିସି କାରବାର ଚାଲୁଥିବା ବେଳେ, ସରକାରଙ୍କ ନିର୍ଦ୍ଦେଶନାମାକୁ ବାଏଁ ବାଏଁ ଉଡାଇଦେଉଛନ୍ତି ଲାଞ୍ଚଖିଆ ସରକାରୀ ଅଧିକାରୀ ।
ପୂର୍ବରୁ ୨୦୨୧ରେ ଦୁର୍ନୀତି ଅଭିଯୋଗରେ ତତ୍କାଳୀନ ବିଡିଓ ଲରିମନ ଖର୍ସେଲ ହୋଇଥିଲେ ନିଲମ୍ବିତ । ୨୦୨୨ ମାର୍ଚ୍ଚରେ ଗ୍ରାମ୍ୟ ଉନ୍ନୟନ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାଶଙ୍କଠାରୁ ଜବତ ହୋଇଥିଲା ୪୫ କୋଟି ଟଙ୍କା ସହ ଅଢ଼େଇ କେଜିର ସୁନା ଗହଣା । ଗତ ଫେବୃଆରୀ ମାସରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ମାଲକାନଗିରି ଜଳଛାୟା ପ୍ରକଳ୍ପର ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ।