କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଜଗନ୍ନାଥପୁର ଗାଁର ଉଦୟନାଥ କର । ପେଶାରେ ସେ ଜଣେ ଇଞ୍ଜିନିୟର । ହେଲେ ନିଶା ତାଙ୍କର ଚାଷ କାମ । ୨୨ ଏକର ପରିମିତ ଜମିରେ କରିଛନ୍ତି ବହୁମୁଖୀ ଚାଷ କରିଛନ୍ତି ଉଦୟନାଥ । ୧୦ଟି ପୋଖରୀରେ ମାଛ ଚାଷ କରିବା ସହ ଏଥିରୁ ସେ ବର୍ଷକୁ ୪ଶହ କ୍ଵିଣ୍ଟାଲ ମାଛ ଉତ୍ପାଦନ କରୁଛନ୍ତି । ଏହାସହ ଗୋପାଳନ, ଧଳା ଘୁଷୁରୀ ଚାଷ ମଧ୍ୟ କରିଛନ୍ତି ଉଦୟନାଥ । କେବଳ, ଏତିକି ନୁହେଁ, ୨ ଏକର ଜମିରେ ଉନ୍ନତ କିସମର ପିଜୁଳି ଚାଷ ମଧ୍ୟ କରିଛନ୍ତି । କରୋନା ସମୟରୁ ସମନ୍ବିତ ଚାଷ ଆରମ୍ଭ କରି ଏଥିରୁ ସେ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ବେଳେ, ୩୦ଟି ପରିବାରକୁ ଯୋଗାଉଛନ୍ତି ରୋଜଗାର ।
୧୯୯୫ ମସିହାରେ ଚେନ୍ନାଇରେ ମେକାନିକାଲ୍ ଇଞ୍ଜିନିୟରିଂରେ ଡିଗ୍ରି ଶେଷ କରିବା ପରେ ସେଠାରେ ଏକ ଘରୋଇ କମ୍ପାନିରେ ଚାକିରି କରିଥିଲେ ଉଦୟନାଥ । ହେଲେ ଅନ୍ୟ ଅଧିନରେ ରହି କାମ କରିବା ଅପେକ୍ଷା ନଜସ୍ବ ଉଦ୍ୟମରେ କିଛି କରିବା ନିଶା ତାଙ୍କୁ ଗାଁକୁ ଟାଣି ଆଣିଥିଲା । ଗାଁରେ ଥିବା ଟାଙ୍ଗରା ଭୂଇଁକୁ କିପରି ନିଜ କାମରେ ଲଗାଇବେ ସେନେଇ ସେ ପ୍ରଚେଷ୍ଟା ଆରମ୍ଭ କରିଥିଲେ l ସେଠାରେ ପ୍ରଥମ କରି ସେ ୧୦ଟି ଗାଈ ରଖି ଗୋପାଳନ ଆରମ୍ଭ କରିଥିଲେ । ପରେ ୧୦ ଏକର ପରିମିତ ଜମିରେ ୧୦ଟି ପୋଖରୀ ଖୋଳି ମାଛଚାଷ କଲେ । କିଛି ନୂଆ କରିବା ଲକ୍ଷ୍ୟରେ ରାଜସ୍ଥାନ ଯାଇ ଧଳା ଘୁଷୁରି ଚାଷ ପାଇଁ ପ୍ରଶିକ୍ଷଣ ନେଇ ଘୁଷୁରି ଚାଷ କଲେ । କେବଳ ସମନ୍ୱିତ ଚାଷରେ ସୀମିତ ନରହି, ସେ ଏକ ଶିକ୍ଷାନୁଷ୍ଠାନ ଖୋଲି ଅଞ୍ଚଳରେ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ କରୁଛନ୍ତି । ନିଜେ ରୋଜଗାର କରିବା ସହ ଅନ୍ୟ ୩୦ଟି ପରିବାରକୁ କାମ ଯୋଗାଇଥିବାରୁ ଖୁସି ପ୍ରକାଶ କରିଛନ୍ତି ଉଦୟନାଥ ।