କନକ ବ୍ୟୁରୋ: ପୁଣି ମୋବାଇଲରୁ ମୋବାଇଲକୁ ଘୁରି ବୁଲିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏଆଇ ଭିଡିଓ । ଭିଡିଓରେ ଦେଖିବାକୁ ମିଳୁଛି ପରଂପରା ବିରୋଧୀ ଅବାସ୍ତବ ଦୃଶ୍ୟ । ସିଂହଦ୍ବାର ସମ୍ମୁଖରେ ବିଶାଳ ଶ୍ରୀବିଗ୍ରହ ଉପରେ କ୍ରେନ୍ରେ କ୍ଷୀର ଢଳାଯାଉଥିବା ଦେଖିବାକୁ ମିଳୁଛି ।
ଜଗନ୍ନାଥଙ୍କ ସହ ଖେଳ!
ସଂସ୍କୃତିକୁ ଅପଭ୍ରଂଶ କରୁଛି AI!
ଭାଇରାଲ୍ ହେଉଛି କ୍ରେନ୍ରେ ଦୁଗ୍ଧସ୍ନାନ ଭିଡିଓ
ଅବାସ୍ତବ ଭିଡିଓକୁ ନେଇ ଶ୍ରଦ୍ଧାଳୁଙ୍କ ଉଦ୍ବେଗ
ଅଧିକ ପଢ଼ନ୍ତୁ:ସୋସିଆଲ୍ ମିଡିଆରେ ଶ୍ରୀଜିଉଙ୍କ ଏଆଇ ଫଟୋ
ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରନ୍ତି ଶ୍ରୀଜିଉ । କେବଳ ନବଦିନାତ୍ମକ ଯାତ୍ରା ପାଇଁ ବାହାରନ୍ତି ସିଂହଦ୍ୱାର ବାହାରକୁ । କିନ୍ତୁ ଦେଖନ୍ତୁ କୃତ୍ରିମ ବୁଦ୍ଧିମତା ବା ଏଆଇ ଦ୍ବାରା ତିଆରି ଏହି ଭିଡିଓକୁ । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କ ବିଶାଳ ବିଗ୍ରହ । କ୍ରେନ୍ରେ ଢଳାଯାଉଛି କ୍ଷୀର । ଭିଡିଓରେ ବିଗ୍ରହର ପାଦ ବି ଦେଖିବାକୁ ମିଳୁଛି । କେଉଁ ନୀତି ବା ପର୍ବକୁ ସୂଚାଉଛି ଏହି ଭିଡିଓ? କ’ଣ ଏହାର ଯଥାର୍ଥତା? କ’ଣ ଏହି ଭିଡିଓର ଉଦ୍ଦେଶ୍ୟ? ଭକ୍ତିଭାବ ନା ଭିୟୁ ବଢ଼ାଇବା? ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ପରେ, ଉଦବେଗ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ ଓ ସେବାୟତ । ଜଗନ୍ନାଥ ସଂସ୍କୃତିରେ ମହାପ୍ରଭୁଙ୍କ ଉପରେ କ୍ରେନ୍ରେ ଦୁଗ୍ଧ ଢାଳିବା ଭଳି କୌଣସି ବିଧି ନଥିବାରୁ, ଏହା ଶ୍ରୀମନ୍ଦିରର ପରମ୍ପରା ସଂପର୍କରେ ଭ୍ରମ ସୃଷ୍ଟି କରିପାରେ! ବୋଲି ଆଶଙ୍କା ପ୍ରକାଶ ପାଇଛି ।
ମହାପ୍ରଭୁ ଜଗନ୍ନାଥ ଜଗତର ଠାକୁର । ତାଙ୍କୁ ନିଜ ନିଜ ଅନୁସାରେ କଳ୍ପନା କରିବା ଅଧିକାର ସମସ୍ତଙ୍କର ଅଛି । କିନ୍ତୁ ନୀତି ଓ ପରମ୍ପରାକୁ ନେଇ ଭ୍ରମ ସୃଷ୍ଟି କରିବା କେତେ ଯୁକ୍ତିଯୁକ୍ତ? କ୍ରେନ୍ରେ ମହାପ୍ରଭୁଙ୍କୁ ଦୁଗ୍ଧ ସ୍ନାନ କରାଇବା କେତେ ଗ୍ରହଣୀୟ? ସୋସିଆଲ ମିଡିଆରେ କେତେବେଳେ ଶ୍ରୀମନ୍ଦିର ସଂପର୍କିତ ଭୁଲ୍ ତଥ୍ୟ ପ୍ରଚାର ହେଉଛି, ତ ଆଉ କେତେବେଳେ ଭ୍ରମାତ୍ମକ ଫଟୋ ଓ ଭିଡିଓ । ଶ୍ରୀମନ୍ଦିର ପ୍ରଶାସନର ତମାମ୍ ତତ୍ପରତା ସତ୍ତ୍ୱେ ବନ୍ଦ ହେଉନି ଏଭଳି କାର୍ଯ୍ୟ । ପ୍ରଶ୍ନ ଉଠୁଛି, ଭ୍ରମାତ୍ମକ ଏଆଇ ଭିଡିଓ ନିର୍ମାତାଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ? ସୋସିଆଲ ମିଡିଆରୁ ଭିଡିଓ ହଟାଇବାକୁ ନିର୍ଦ୍ଦେଶ ଦେବେ କି ସରକାର?
ଏଆଇ ଯୁଗରେ ମନଗଢ଼ା ପରଂପରା ଚିତ୍ରଣ ଉପରେ ରୋକ୍ ଲଗାଇବା ଦିଗରେ ସରକାର କଠୋର ନହେଲେ, ଯିଏ ଯେମିତି ଚାହିଁବ ସେମିତି ଭିଡିଓ ତିଆରି କରି ଭାଇରାଲ୍ କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/01/19/37-2026-01-19-21-07-48.jpg)