କନକବ୍ୟୁରୋ : ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ଅନ୍ତିମ ସଂସ୍କାରର ସୁବିଧା ପାଇଁ ପ୍ରତ୍ୟେକ ଗାଁରେ ପ୍ରଶାସନ ତରଫରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ନୂତନ ପକ୍କା ଘର ଶ୍ମଶାନ ଗୃହ ନିର୍ମାଣ ହୋଇଛି । ହେଲେ ନିର୍ମାଣ ହେବା ପରେ କାହା କାମରେ ଆସୁନି ଏହି ଶ୍ମଶାନ । ଅନ୍ତିମ ସଂସ୍କାରର ସୁବିଧା ପାଇଁ ଗାଁରେ ଗାଁରେ ତିଆରି ହୋଇଛି ଶ୍ମଶାନ ଗୃହ । ହେଲେ ଏହା ବର୍ଷ ବର୍ଷ ହେଲା ବ୍ୟବହାର ନହୋଇ ଭୂତକୋଠିରେ ପରିଣତ ହେଲାଣି । ତେବେ ଏଠାରେ ପ୍ରଶ୍ନ ଉଠୁଛି କାହା ସ୍ବାର୍ଥରେ ଖର୍ଚ୍ଚ ହୋଇଛି ଲକ୍ଷାଧିକ ଟଙ୍କା । ନିମ୍ନମାନର କାମ କରି ଠିକାଦାର ଛୁ’ ମାରିଥିବା ବେଳେ ଶ୍ମଶାନ ଯିବାକୁ ବାଟ ନାହିଁ ।
ଫଳରେ ବ୍ୟବହାର ନହୋଇ ଜଙ୍ଗଲ ପାଲଟିଗଲାଣି । ସରୀସୃପଙ୍କ ବାସସ୍ଥଳ ପାଲଟିଛି । ଅନାବନା ଘାସରେ ଭର୍ତ୍ତି ହୋଇଛି ଶ୍ମଶାନ ପରିସର । ରାଜ୍ୟର ଅନେକ ସ୍ଥାନରେ ଏଭଳି ସମସ୍ୟା ଥିବା ବେଳେ ପିପିଲି ତେଇଶିପୁର ପଂଚାୟତର ନିର୍ମଳା ଓ ତେଇଶିପୁର ଗାଁରୁ ଆସିଛି ଏଭଳି ଅଭିଯୋଗ । ୨୦୨୨-୨୩ ରେ ଶ୍ମଶାନ ନିର୍ମାଣ ହୋଇଛି । ଗୋଟିଏ ଗୋଟିଏ ଶ୍ମଶାନ ପାଇଁ ଖର୍ଚ୍ଚ ହୋଇଛି ୩-୫ ଲକ୍ଷ ଟଙ୍କା । ଗୃହ ନିର୍ମାଣ ପୂର୍ବରୁ ଉପଯୁକ୍ତ ଭାବେ ଯୋଜନା କରାଯାଇନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଅନ୍ୟପଟେ ବିଡିଓଙ୍କ ସହ ଆଲୋଚନା କରି ଖୁବ୍ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ପିପିଲି ବିଧାୟକ ।