କନକ ବ୍ୟୁରୋ: ସମୟ ଗଡୁଛି ହେଲେ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଲଗ୍ନ ବାହାରିପାରୁନି। ତିନି ଥର ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଶୁଭସ୍ତମ୍ଭ ସ୍ଥାପନ ହେଲାଣି। କିନ୍ତୁ ସୁବର୍ଣ୍ଣପୁର ବସଷ୍ଟାଣ୍ଡ କାମ ଆରମ୍ଭ କରିବା ପାଇଁ ସମୟ ପାଉନି ପ୍ରଶାସନ। ଫଳରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ। ନୂଆ ବସଷ୍ଟାଣ୍ଡ ଦାବି ଜୋର୍ ଧରିଥିବା ବେଳେ ରାଜନୈତିକ ଷଡ଼ଯନ୍ତ୍ର ପାଇଁ କାମ ଆଗେଇପାରୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ନୂଆ ହାଇଟେକ ବସଷ୍ଟାଣ୍ଡ କରିବେ ବୋଲି ପୂର୍ବତନ ସରକାର ସୁବର୍ଣ୍ଣପୁରର ପୁରୁଣା ବସଷ୍ଟାଣ୍ଡକୁ ଭାଙ୍ଗି ଦେଲେ। ଥରେ କି ଦୁଇ ଥର ନୁହେଁ ତିନି ତିନି ଥର ଶିଳାନ୍ୟାସ ମଧ୍ୟ କଲେ। କିନ୍ତୁ ବଡ଼ ବିଡ଼ମ୍ବନା, ଏପର୍ୟ୍ୟନ୍ତ ନିର୍ମାଣ କାମ ଆରମ୍ଭ ହୋଇପାରିନାହିଁ। ସ୍ଥାନୀୟ ଲୋକ ତାତ୍ସଲ୍ୟ କରି କହୁଛନ୍ତି ବସଷ୍ଟାଣ୍ଡ ନିର୍ମାଣ କାମ କରିବା ପାଇଁ ବୋଧେ ଲଗ୍ନ ବାହାରି ପାରୁନାହିଁ। ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ ଓ ବସ ମାଲିକ ଏବଂ କର୍ମଚାରୀ।
ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଜମି ହସ୍ତାନ୍ତର କାର୍ୟ୍ୟ ବି ସରିଛି। କିନ୍ତୁ କାହିଁକି ନିର୍ମାଣ କାମ ଆରମ୍ଭ ହୋଇପାରୁନି? କେଉଁଠି ରହିଛି ସମସ୍ୟା? ଏମିତି କିଛି ପ୍ରଶ୍ନ ନେଇ ଅନେକ ବାରାମ୍ବାର ବିଭିନ୍ନ ସଂଗଠନ ଆନ୍ଦୋଳନ କରୁଛନ୍ତି। ତଥାପି ସରକାର ଚେତୁନାହାଁନ୍ତି। ଯେଉଁଠି ବସଷ୍ଟାଣ୍ଡ ଅଛି ସେହିଠାରେ ନୂଆ ବସଷ୍ଟାଣ୍ଡ ସ୍ଥାପନ ପାଇଁ ବସ ମାଲିକ ସଂଘ ଦାବି କରିଛି। ଅନ୍ୟପଟେ ତୁରନ୍ତ ସ୍ଥାନ ନିରୂପଣ କରାଯାଇ ବସଷ୍ଟାଣ୍ଡ ନିର୍ମାଣ କରାଯିବ ବୋଲି କହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ। ସୁବର୍ଣ୍ଣପୁର ଭଳି ଐତିହ୍ୟ ସମ୍ପନ୍ନ ଜିଲ୍ଲାରେ ବସ ଷ୍ଟାଣ୍ଡ ନିର୍ମାଣରେ ଅବହେଳା ପଛରେ ରାଜନୈତିକ ଷଡୟନ୍ତ୍ର ଥିବା ସନ୍ଦେହ କରାଯାଉଛୁ।
Follow Us