କନକ ବ୍ୟୁରୋ : ସୁନା ରୂପା ଗହଣା ଅପେକ୍ଷା ଏବେ ବଜାରେରେ ହାତ ତିଆରି ଗହଣାର ଚାହିଦା ବଢୁଛି । ଆଉ ଏହାକୁ ନଜରରେ ରଖି କଉଡ଼ି, ମାଳି, ସୂତା, କୁନ୍ଦନ, କପଡ଼ା, ଘୁଙ୍ଗୁର ଓ ମାଟିକୁ ବ୍ୟବହାର କରି ଖୁବ କମ୍ ଦାମରେ ଗହଣା ତିଆରି କରୁଛନ୍ତି ବାଲେଶ୍ଵର ସହଦେବଖୁଣ୍ଟା ଅଞ୍ଚଳର ଜୟଶ୍ରୀ ପାତ୍ର । ଭଳିକି ଭଳି ଡିଜାଇନର ଚୁଡ଼ି, ହାର, କାନଫୁଲ ତିଆରି କରି ସେ କିଛି ରୋଜଗାର କରିପାରୁଛନ୍ତି । ଲୋକଙ୍କୁ ମଧ୍ୟ ତାଙ୍କ ହାତ ତିଆରି ଗହଣା ଖୁବ ପସନ୍ଦ ଆସୁଛି । ତାଙ୍କ ଗହଣାର ଦାମ ୧୫ ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏପରିକି ଗ୍ରାହକଙ୍କ ପସନ୍ଦ ଅନୁସାରେ ସେ ଗହଣା ତିଆରି କରୁଛନ୍ତି । ଗହଣା ତିଆରି ପାଈଁ ଆବଶ୍ୟକୀୟ ସାମଗ୍ରୀ ଅନଲାଇନରୁ କିଣିବାକୁ ପଡୁଛି । ୟୁଟ୍ୟୁବ୍ ଓ ନିଜ ଆଇଡିଆରେ ଗହଣା ଡିଜାଇନ କରୁଛନ୍ତି ଜୟଶ୍ରୀ । ଦେଖିବାକୁ ଖୁବ୍ ଆକର୍ଷଣୀୟ ହୋଇଥିବା ବେଳେ ଲୋକମାନେ ମଧ୍ୟ ଆଗ୍ରହର ସହ କିଣିନେଉଛନ୍ତି ।
ଯୁକ୍ତ ଦୁଇ ପାସ କରିବା ପରେ ଖୁବ୍ କମ୍ ବୟସରୁ ବିବାହ କରି ଶାଶୂଘର ଆସିଥିଲେ ଜୟଶ୍ରୀ । ଶାଶୁ, ଶଶୁର, ପରିବାର ଓ ମା ହେବା ପରେ ଦାୟିତ୍ଵ ଏତେ ବଢି ଯାଇଥିଲା ଯେ ଆଉ କିଛି କରିବାକୁ ସମୟ ମିଳିନଥିଲା । ହସଖୁସିର ସଂସାର ବି ଚାଲିଥିଲା । ହେଲେ ୮ ବର୍ଷ ତଳେ ସ୍ବାମୀ ଆରପାରିକୁ ଚାଲିଗଲେ। ପୁଅ ବି ସାନ ଥିଲା। ଏବେ ପରିବାରର ସହଯୋଗରେ ଜୟଶ୍ରୀ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଗହଣା । ପ୍ରଥମେ ଜୟଶ୍ରୀଙ୍କ ଭିତରେ ଥିବା କଳାକୁ ତାଙ୍କ ନଣନ୍ଦ ଚିହ୍ନିପାରିଥିଲେ । ସାମ୍ନାକୁ ଆଣିବାକୁ ଉତ୍ସାହିତ କରିଥିଲେ। ଅବସର ସମୟରେ ଜୟଶ୍ରୀ ବିଭିନ୍ନ ପ୍ରକାରର ଜିନିଷ ତିଆରି କରିବା ଆରମ୍ଭ କଲେ। ଅଦରକାରୀ ସାମଗ୍ରୀରୁ ଘରସଜା ସାମଗ୍ରୀ ତିଆରି କଲେ । ସିଲେଇ ଶିଖିଲେ। ପାର୍ଲର କାମ ବି ଶିଖିଲେ। ନିଜ ଭିତରେ ଥିବା ଅନ୍ତର୍ନିହିତ କଳାକୁ ଉପଯୋଗ କରି ଏବେ ସେ ଗହଣା ତିଆରି କରୁଛନ୍ତି ।
ଆଖପାଖ ଲୋକ ଓ କିଛି ଷ୍ଟଲରେ ନିଜ ହାତ ତିଆରି ଜିନିଷ ବିକ୍ରି କରୁଛନ୍ତି ଜୟଶ୍ରୀ । ଏହି କଳା ଓ ବ୍ୟବସାୟକୁ ଆହୁରି ଆଗକୁ ନେବାକୁ ସେ ଲକ୍ଷ୍ୟ ରଖିଛନ୍ତି । ମାତ୍ର ୨ରୁ ତିନି ହଜାର ଟଙ୍କାରେ କଞ୍ଚା ମାଲ୍ କିଣି ବ୍ୟବସାୟ ଆରମ୍ଭ କରିଛନ୍ତି । ୭ରୁ ୮ ମାସ ହେବ ଏହି ବ୍ୟବସାୟ ଆରମ୍ଭ କରିଥିବା ବେଳେ ନିଜ କାମ ଜୟଶ୍ରୀଙ୍କୁ ଆତ୍ମସନ୍ତୋଷ ଦେଉଛି ବୋଲି ସେ କହିଛନ୍ତି ।