କନକ ବ୍ୟୁରୋ : ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁନାହାଁନ୍ତି ବାଲି ମାଫିଆ । ବେଫିକର ଚାଲିଛି ବାଲି ଚାଲାଣ । ପୁରୀ ନିମାପଡ଼ା ଗୋପ ମୁଖ୍ୟରାସ୍ତା ଦିଘାଳୋ ମନସାକାନନ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବେଧଡକ ବେଆଇନ ବାଲି ଓ ମାଟି ଉଠାଣ ହେଉଛି । ପ୍ରତିଦିନ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜେସିବି ଦ୍ଵାରା ବାଲି ଓ ମାଟି ଉଠାଇ ଟ୍ରାକ୍ଟର ଏବଂ ହାଇୱା ଦ୍ଵାରା ନିମାପଡ଼ା ମୁଖ୍ୟ ବଜାର ଦେଇ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି ।
ହେଲେ କୌଣସି ପ୍ରଶାସନିକ ଅଧିକାରୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଦେଖିବାକୁ ମିଳିଛି । ସରକାରଙ୍କ ତରଫରୁ ବାଲିଘାଟ ଖୋଲା ଯାଇନଥିଲେ ମଧ୍ୟ ବାଲି ମାଫିଆ ବେଆଇନ ଭାବେ ଚୋରା ଚାଲାଣ କରୁଛନ୍ତି । ଫଳରେ ଦିନକୁ ଦିନ ଏହି ଚୋରାଚାଲାଣ ବଢ଼ି ଚାଲୁଥିବା ବେଳେ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବହାନୀ ହେଉଛି । ନଦୀ କୂଳିଆବାସୀ ନଦୀକୁ ତାଙ୍କର ଜୀବନ ରେଖା ବୋଲି ଭାବୁଥିଲେ ମଧ୍ୟ ନଦୀଶଯ୍ୟା ଏବେ ବିପଦ ସଙ୍କୁଳ ଅବସ୍ଥାରେ ଅଛି ।