କନକ ବ୍ୟୁରୋ : ଲର୍ଡସ୍ ଟେଷ୍ଟ୍ରେ ଇଂଲଣ୍ଡ ବିପକ୍ଷରେ ଭାରତର ୨୨ ରନ୍ରେ ପରାଜୟକୁ ଏଯାଏଁ ଭୁଲି ପାରିନାହାନ୍ତି ଭାରତୀୟ କ୍ରିକେଟ ପ୍ରଶଂସକ । ଏହି ମ୍ୟାଚ୍ ହାରିବା ପରେ କୋଟି କୋଟି ଭାରତୀୟ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗି ଚୂରମାର୍ ହୋଇଯାଇଛି । ଏକଦା ଭଲ ସ୍ଥିତିରେ ଥିଲେ ମଧ୍ୟ ପଞ୍ଚମ ତଥା ଶେଷ ଦିନରେ ଏହି ମ୍ୟାଚ୍ ଜିତିବା ପାଇଁ ଆବଶ୍ୟକ ମାତ୍ର ୧୩୫ ରନ୍ କରି ନପାରି ଶୁବମନ୍ ଗିଲ୍ଙ୍କ ଦଳ ପରାଜିତ ହେବା ପ୍ରଶଂସକଙ୍କୁ ବ୍ୟଥିତ କରିଛି । ଏହି ଚର୍ଚ୍ଚିତ ମୁକାବିଲାକୁ ଭାରତ ଏହି ସବୁ କାରଣ ପାଇଁ ହାରିଲା ବୋଲି କ୍ରିକେଟ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।
ପନ୍ତଙ୍କ ରନ୍ଆଉଟ୍
ପ୍ରଥମ ପାଳିରେ ୱିକେଟ୍ରକ୍ଷକ ଋଷଭ ପନ୍ତଙ୍କ ରନ୍ଆଉଟ୍ ଏହି ମ୍ୟାଚ୍ର ଅନ୍ୟତମ ନିର୍ଣ୍ଣାୟକ ମୋଡ଼ ଥିଲା। ଏକଥା ଅଧିନାୟକ ଶୁବମନ ଗିଲ୍ ମଧ୍ୟ ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ସ୍ୱୀକାର କରିଥିଲେ । ଚମତ୍କାର ବ୍ୟାଟିଂ କରୁଥିବା ବେଳେ ସିଙ୍ଗଲ୍ ଚୋରାଇ ନେଇ କେଏଲ୍ ରାହୁଲଙ୍କୁ ଶତକ ପୂରଣ କରିବା ସୁଯୋଗ ଦେବା ପ୍ରୟାସରେ ପନ୍ତ ନିଜ ୱିକେଟ୍ ହରାଇଥିଲେ । ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ସିଧା ଥ୍ରୋ ଷ୍ଟମ୍ପ୍ସରେ ବାଜିବା ବେଳକୁ ସେ କ୍ରିଜ୍ରେ ପହଞ୍ଚି ନଥିଲେ । ଫଳରେ ୭୪ ରନ୍ରେ ରନ୍ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ । ରାହୁଲଙ୍କ ସହ ଚତୁର୍ଥ ୱିକେଟ୍ରେ ସେ ୧୪୧ ରନ୍ ଯୋଡ଼ିଥିଲେ । ତେବେ ପନ୍ତ ଭଲ ଫର୍ମରେ ଥିବାରୁ ସେ ରନ୍ଆଉଟ୍ ହୋଇ ନଥିଲେ ଏହି ଯୋଡ଼ି ଆହୁରି ବଡ଼ ଭାଗୀଦାରି କରିପାରିଥାଆନ୍ତେ । କାରଣ ରାହୁଲ ଓ ପନ୍ତ ଓଭର ପିଛା ସାଢ଼େ ୪ରୁ ଅଧିକ ହାରରେ ରନ୍ ସଂଗ୍ରହ କରୁଥିଲେ । ପନ୍ତଙ୍କ ରନ୍ଆଉଟ୍ ପରେ ଏକଦା ଚାପରେ ଥିବା ଇଂଲଣ୍ଡ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଭାରତକୁ ୩୮୭ ରନ୍ରେ ଅଲଆଉଟ୍ କରି ଦେଇଥିଲା । ଇଂଲଣ୍ଡ ମଧ୍ୟ ୩୮୭ ରନ୍ କରିଥିବାରୁ ପ୍ରଥମ ପାଳି ଟାଇ ରହିଥିଲା ।
ଗିଲ୍ଙ୍କ ଡବଲ୍ ବିଫଳତା !
ଭାରତ ଏଜ୍ବାଷ୍ଟନ୍ ଟେଷ୍ଟ୍ ଜିତିବାରେ ଅଧିନାୟକ ଶୁବମନ୍ ଗିଲ୍ ପ୍ରମୁଖ ଭୂମିକା ତୁଲାଇଥିଲେ । ଏକାକୀ ୪୩୦ ରନ୍ କରିଥିଲେ ସେ । ହେଲେ ଲର୍ଡସ୍ରେ ଏହି ରନ୍ ମେସିନ୍ଙ୍କୁ ଇଂଲଣ୍ଡ ସଫଳତାର ସହ ରୋକିଥିଲା । ଯୋଜନାବଦ୍ଧ ଭାବେ ବୋଲିଂ କରିବା ସହ ୱିକେଟ୍ରକ୍ଷକଙ୍କୁ ଉପରେ ରଖି ଗିଲ୍ଙ୍କୁ ବଡ଼ ସ୍କୋର୍ କରିବାର ସୁଯୋଗ ଦେଇ ନଥିଲା । ଉଭୟ ପାଳିରେ ଗିଲ୍ ୧୬ ଓ ୬ ରନ୍ କରିଥିଲେ । ଯାହା ଭାରତ ପାଳି ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା । ସେହିଭଳି ବଲ୍ ପରିବର୍ତ୍ତନ ନେଇ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା ମଧ୍ୟ ଗିଲ୍ଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିଥିଲା ।
କେବେ ଶେଷ ହେବ ନାୟରଙ୍କ ସଂଘର୍ଷ ?
ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ କରୁଣ ନାୟରଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଘରୋଇ କ୍ରିକେଟ୍ରେ ଚମତ୍କାର ପ୍ରଦର୍ଶନ କରି ୮ବର୍ଷ ପରେ ଭାରତୀୟ ଟେଷ୍ଟ୍ ଦଳକୁ ଫେରିଥିବା ନାୟରଙ୍କ ଉପରେ ଦଳୀୟ ଅଧିକାରୀମାନେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଥିଲେ । ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ୩ ନମ୍ବର ସ୍ଥାନରେ ବି ଖେଳାଇଥିଲେ । ତେବେ ତିନିଟି ଟେଷ୍ଟ୍ ପରେ ବି ସେ ଗୋଟିଏ ହେଲେ ବି ଅର୍ଦ୍ଧଶତକ ଅର୍ଜନ କରିପାରି ନାହାନ୍ତି । ଲିଡ୍ସରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍ର ପ୍ରଥମ ପାଳିରେ ଖାତା ଖୋଲି ପାରି ନଥିଲେ ସେ । ଦ୍ବିତୀୟ ଟେଷ୍ଟ୍ରେ ୨୦ ରନ୍ କରି ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ । ସେହିଭଳି ବର୍ମିଂହାମରେ ୩୧ ଓ ୨୬ ରନ୍ କରିଥିଲେ ବି ଏହାକୁ ବଡ଼ ସ୍କୋର୍ରେ ରୂପାନ୍ତର କରିପାରି ନଥିଲେ । ଲର୍ଡସ ଟେଷ୍ଟ୍ର ପ୍ରଥମ ପାଳିରେ ଲଢ଼ୁଆ ୪୦ ରନ୍ କରିବା ପରେ ଦ୍ବିତୀୟରେ ମାତ୍ର ୧୪ ରନ୍ କରିଥିଲେ ।
ଜୟସ୍ବାଲଙ୍କ ବେପରୁଆ ଆଭିମୁଖ୍ୟ
ଓପନର୍ ଯଶସ୍ବୀ ଜୟସ୍ବାଲଙ୍କ ବେପରୁଆ ସଟ୍ ଚୟନ ମଧ୍ୟ ଭାରତର ଲର୍ଡସ୍ ପରାଜୟର ଅନ୍ୟତମ କାରଣ ବୋଲି କୁହାଯାଇପାରେ। ବିଶେଷ କରି ଦ୍ବିତୀୟ ପାଳିରେ ଜୋଫ୍ରା ଆର୍ଚରଙ୍କ ଦ୍ରୁତ ଗତିକୁ ସମ୍ମୁଖୀନ ହେବା ତାଙ୍କ ପାଇଁ କାଠିକର ପାଠ ହୋଇଥିଲା। ଶେଷରେ ଏକ ଦୁର୍ବଳ ସଟ୍ ଖେଳି ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରି ଯାଇଥିଲେ। ସେହିଠାରୁ ହିଁ ଭାରତର ଅଧୋପତନ ଆରମ୍ଭ ହୋଇଥିଲା। କରୁଣ ନାୟର, ଅଧିନାୟକ ଶୁବମନ ଗିଲ୍ ଏବଂ ରାତ୍ର ଜଗୁଆଳି ଆକାଶ ଦୀପଙ୍କୁ ହରାଇ ଚତୁର୍ଥ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ହିଁ ଭାରତ ସଙ୍କଟରେ ପଡ଼ିସାରିଥିଲା। ପ୍ରଥମ ପାଳିରେ ମଧ୍ୟ ଅନୁରୂପ ଭାବେ ଏକ ଦୁର୍ବଳ ସଟ୍ ଖେଳି ମାତ୍ର ୧୩ ରନ୍ରେ ଆଉଟ ହୋଇଯାଇଥିଲେ।
ଅପ୍ରତ୍ୟାଶିତ ବିପର୍ଯ୍ୟୟ
ଦ୍ବିତୀୟ ପାଳିରେ ଲଢ଼ିଥିଲେ ମଧ୍ୟ ପ୍ରଥମରେ ଭାରତ ନିମ୍ନକ୍ରମ ପୂରା ନିରାଶ କରିଥିଲା। ଇଂଲଣ୍ଡର ୩୮୭ ରନ୍ ଜବାବରେ ଭାରତ ୬ ୱିକେଟ୍ ବିନିମୟରେ ୩୭୬ ରନ୍ କରି ନେଇଥିଲା। ଫଳରେ ପ୍ରଥମ ପାଳିରେ ଅଗ୍ରଣୀ ପାଇବ ବୋଲି ଆଶା କରାଯାଉଥିଲା। ହେଲେ ନିମ୍ନକ୍ରମ ବ୍ୟାଟର୍ଙ୍କ ଘୋର ବିଫଳତା ପାଇଁ ମାତ୍ର ୧୧ ରନ୍ରେ ଶେଷ ୪ ୱିକେଟ୍ରେ ହରାଇ ୩୮୭ ରନ୍ରେ ହିଁ ଅଲଆଉଟ୍ ହୋଇଯାଇଥିଲା। ପ୍ରଥମ ପାଳି ସ୍କୋର୍ ଟାଇ ରହିବା ଇଂଲଣ୍ଡ ପାଇଁ ମନସ୍ତାତ୍ତ୍ବିକ ବିଜୟ ଥିଲା। ଏହାର ପ୍ରତିଫଳନ ଦ୍ବିତୀୟ ପାଳିରେ ବି ଦେଖିବାକୁ ମିଳିଥିଲା। ଭାରତୀୟ ବ୍ୟାଟର୍ଙ୍କ ଉପରେ ଅସହ୍ୟ ଚାପ ସୃଷ୍ଟି କରି ଇଂଲଣ୍ଡ ୮୨ ରନ୍ରେ ୭ ୱିକେଟ୍ କରାୟତ୍ତ କରି ନେଇଥିଲା। ଶେଷରେ ଭାରତକୁ ୧୭୦ ରନ୍ରେ ଅଲଆଉଟ୍ କରି ଦେଇଥିଲା। ରବୀନ୍ଦ୍ର ଜାଡ଼େଜାଙ୍କ ଲଢ଼ୁଆ ୬୧* ରନ୍ ବି ବେକାର ଯାଇଥିଲା।
କ୍ୟାଚ୍ ଡ୍ରପ୍ ଓ ଦୁର୍ବଳ ଫିଲ୍ଡିଂ
ଭାରତୀୟ କ୍ରିକେଟ୍ ଦଳ ପୁଣି ଥରେ ଏକାଧିକ କ୍ୟାଚ୍ ହାତଛଡ଼ା କରି ଇଂଲଣ୍ଡକୁ ସମ୍ମାନଜନକ ସ୍କୋର୍ କରିବାର ସୁଯୋଗ ଦେଇଥିଲା । ଇଂଲଣ୍ଡର ପ୍ରଥମ ପାଳିରେ ହିଁ ଭାରତ ଅନ୍ୟୂନ ଚାରିଟି କ୍ୟାଚ୍ ଛାଡ଼ିଥିଲା । କେଏଲ୍ ରାହୁଲ ପ୍ରତିପକ୍ଷ ୱିକେଟ୍ରକ୍ଷକ ଜାମି ସ୍ମିଥ୍ଙ୍କ କ୍ୟାଚ୍ ଛାଡ଼ିବା ଭାରତକୁ ବେଶ୍ ବାଧିଥିଲା । ସେ ୫୧ ରନ୍ର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ । ଅଷ୍ଟମ ୱିକେଟ୍ରେ ବ୍ରାଏଡନ୍ କାର୍ସଙ୍କ ସହ ମିଶି ୮୪ ରନ୍ ଯୋଡ଼ିଥିଲେ ସ୍ମିଥ୍ । ଫଳରେ ଇଂଲଣ୍ଡ ସ୍କୋର୍ ୩୮୭ରେ ପହଞ୍ଚି ଯାଇଥିଲା । କାର୍ସ ମଧ୍ୟ ଦୁଇଟି ଜୀବନ ଦାନ ପାଇ ୫୬ ରନ୍ କରିଥିଲେ । ଏହି ଦୁଇ ଅର୍ଦ୍ଧଶତକ ଭାରତ ପରାଜୟର ଅନ୍ୟତମ କାରଣ ଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/07/16/lords-2025-07-16-09-38-09.jpg)