କନକ ବ୍ୟୁରୋ : ରକ୍ତଦାନ କରିବ ଏକ ମହତ୍ୱ କାମ, ଏହାକୁ ସମାଜ ସେବା ମଧ୍ୟ କୁହାଯାଇପାରିବ । କାରଣ ରକ୍ତଦାନ କରିବା ଦ୍ୱାରା ଅନ୍ୟ ଜଣଙ୍କର ଜୀବନ ବଞ୍ଚିଯାଇଥାଏ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କର ଦୁର୍ଘଟଣା, ଅପରେସନ, ଥାଲାସେମିଆ, ଏନିମିୟା, କ୍ୟାନ୍ସର ଭଳି ଅନେକ କାରଣରୁ ରକ୍ତର ଆବଶ୍ୟକତା ପଡିଥାଏ । ହେଲେ ଆପଣ ଜାଣିଛନ୍ତି କି, କିଛି ଲୋକ ଏଭଳି ଅଛନ୍ତି, ଯେଉଁମାନେ ଇଚ୍ଛାକରି ବି ରକ୍ତଦାନ କରିପାରିବେ ନାହିଁ । ଏହାର ପଛର କାରଣ ସ୍ୱାସ୍ଥ୍ୟ ସମସ୍ୟା ସହ ଜଡିତ ଥାଉ କି, ସଂକ୍ରମଣ ପାଇଁ ହେଉ । ଏହା ଜାଣିବା ସମସ୍ତଙ୍କ ପାଇଁ ଜରୁରୀ, କାରଣ ସମୟ ପୂର୍ବରୁ ନିଷ୍ପତ୍ତି ନେଇପାରିବେ ।
ଭାରତରେ ରକ୍ତାଦନ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ଓ ସର୍ବନିମ୍ନ ଓଜନ ୪୫ କିଲୋ ହୋଇଥିବା ଦରକାର । ୧୮ ବର୍ଷରୁ କମ୍ ବୟସର ଲୋକ ଓ ୪୫ କିଲୋରୁ କମ ଓଜନର ଲୋକମାନେ ରକ୍ତଦାନ କରିପାରିବେ ନାହିଁ । ଏହା ବ୍ୟତୀତ ଏଭଳି କିଛି ଲୋକ ଅଛନ୍ତି ସେମାନଙ୍କର ଇଚ୍ଛା ଥିଲେ ବି ସେମାନେ ମଧ୍ୟ ରକ୍ତଦାନ କରିପାରିବେ ନାହିଁ ।
ଯଦି କୌଣସି ବ୍ୟକ୍ତିଙ୍କ ରକ୍ତରେ ହିମୋଗ୍ଲୋବିନର ମାତ୍ରା କମ୍ ଥାଏ (ପୁରୁଷମାନଙ୍କ କ୍ଷେତୟରେ ୧୩ ଗ୍ରାମ (ପ୍ରତି ଡେସିମିଲ) ଓ ମହିଳାମାନଙ୍କ କ୍ଷେତ୍ରରେ ୧୨.୫ ଗ୍ରାମ (ପ୍ରତି ଡେସିମିଲ)), ଥିଲେ ସେମାନଙ୍କୁ ରକ୍ତଦାନରୁ ବିରତ ରହିବା ଆବଶ୍ୟକ ।
ଏହାସହ ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉଥିବା ମହିଳାମାନେ ରକ୍ତଦାନ କରିପାରିବେ ନାହିଁ । କାରଣ ଏହି ସମୟରେ ସେମାନଙ୍କ ଶରୀର ଦୁର୍ବଳ ଥାଏ । ରକ୍ତଦାନ କଲେ ମହିଳାଙ୍କ ଶରୀର ଉପରେ ଏହାର ପ୍ରଭାବ ପଡିଥାଏ ।
ଯଦି କୌଣସି ବ୍ୟକ୍ତିଙ୍କୁ ସଂକ୍ରମଣ ଜ୍ୱର ଯଥା, ଟାଇଫଏଡ, ମ୍ୟାଲେରିଆ, ଡେଙ୍ଗୁ କିମ୍ବା ଅନ୍ୟ ସଂକ୍ରାମକ ରୋଗ ହୋଇଥାଏ ସେମାନେ ରକ୍ତଦାନ କରିପାରିବେ ନାହିଁ ।
ଯଦି କୌଣସି ବ୍ୟକ୍ତି ହେପାଟାଇଟସ୍ କିମ୍ବା ଏଚଆଇଭି ଭୂତାଣୁ ଦ୍ୱାରା ସଂକ୍ରମିତ ସେମାନେ ଆଜୀବନ ରକ୍ତଦାନ କରିପାରିବେ ନାହିଁ । ଏହି ରୋଗର ଭୂତାଣୁ ରକ୍ତ ମାଧ୍ୟମରେ ଜଣେ ଲୋକ ଠାରୁ ଅନ୍ୟଜଣଙ୍କୁ ବ୍ୟାପିବାର ସମ୍ଭାବନା ରହିଛି ।
ସେହିଭଳି ଡ୍ରଗ୍ସ କିମ୍ବା ମଦ୍ୟପାନ କରୁଥିବା ଲୋକମାନଙ୍କ ପାଇଁ ରକ୍ତଦାନ କରିବା ସୁରକ୍ଷିତ ନୁହେଁ । ସେମାନଙ୍କ ରକ୍ତରେ ସଂକ୍ରମଣ ରହିଥାଏ । ଯାହା କି ରକ୍ତ ନେଉଥିବା ଲୋକଙ୍କୁ ସଂକ୍ରମିତ କରିବାର ଅନେକ ସମ୍ଭାବନା ରହିଛି ।