କନକ ବ୍ୟୁରୋ: ବାତ୍ୟା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା । ଆଇଏମଡି ଡିଜିଙ୍କ ସୂଚନା ଅନୁସାରେ ମଧ୍ୟ ରାତିରୁ ଆସନ୍ତାକାଲି ସକାଳ ଭିତରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା । ଏହାର ପ୍ରଭାବରେ ବର୍ଷା ଜାରି ରହିଛି । ସାମୁଦ୍ରିକ ଜୁଆର ମଧ୍ୟ ବଢିବାରେ ଲାଗିଛି । ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରେ ସାମୁଦ୍ରିକ ଜୁଆର ବଢିଛି । ଧାମରା ପାଖରୁ ୧୩୦ କିମି ଓ ଉପକୂଳଠାରୁ ପ୍ରାୟ ୧୦୦ କିମି ଦୂରରେ ରହିଛି । ଲ୍ୟାଣ୍ଡଫଲ ପୂର୍ବର ଓ ପରବର୍ତ୍ତୀ ୬ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ସବୁଠୁ ଅଧିକ ପ୍ରଭାବ ରହିଥାଏ । ବାତ୍ୟାର ଗତି ଉପରେ ଲ୍ୟାଣ୍ଡଫଲର ସମୟ ନିର୍ଭର କରେ । ଏବେ ବାତ୍ୟା ହାରା ହାରି ୧୦ରୁ ୧୨ କିମି ବେଗରେ ଗତି କରୁଛି । ଏବେ ଜଗତସିଂପୁର ଓ କେନ୍ଦ୍ରାପଡାରେ ସବୁଠାରୁ ଅଧିକ ବେଗରେ ପବନ ବହୁଛି । କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲା ବାତ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହେବ । ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲା ମଧ୍ୟ ପ୍ରଭାବିତ ହେବ ।
ଆହୁରି ମଧ୍ୟ କହିଛନ୍ତି ଫନି ସମୟରେ ୨୦୦ରୁ ୨୧୦ କିମି ବେଗରେ ପବନ ବହିଥିଲା । ଦାନା ବାତ୍ୟାର ତୁଳନୀୟ ବାତ୍ୟା ହେଉଛି ୟଶ । ଛଣ ଛପର ଘର ପ୍ରଭାବିତ ହେବାର ଆଶଙ୍କା ରହିଛି । ବିଦ୍ୟୁତ ଖୁଣ୍ଟ ଉପୁଡିବାର ଆଶଙ୍କା ମଧ୍ୟ ରହିଛି । ଏହି ବାତ୍ୟା ଦାନା ସ୍ୱାଭାବିକ ବେଗଠାରୁ କମ ବେଗରେ ଗତି କରୁଛି । ଏହି ବାତ୍ୟାର ଦିଗ ମଧ୍ୟ ଏକ ଭିନ୍ନ ଧରଣର ରହୁଛି । ବାତ୍ୟାର ଦିଗ ଓ ବେଗ, ଯେଉଁ ବାୟୁମଣ୍ଡଳରେ ସୃଷ୍ଟି ହୁଏ, ତାଉପରେ ନିର୍ଭର କରେ । ସବୁ ବାତ୍ୟାର ଆଖି ସୃଷ୍ଟି ହୁଏ ନାହିଁ । ଅତି ଭୀଷଣ ବାତ୍ୟା ବେଳେ ସାଧାରଣ ଭାବେ ଆଖି ସୃଷ୍ଟି ହୁଏ । ଜରୁରୀ ନୁହେଁ ଯେ, ସବୁ ବାତ୍ୟାର ଆଖି ରହିବ ।