କନକ ବ୍ୟୁରୋ: ଓଡ଼ିଶାରେ ରହିଛି ଭୂମିକମ୍ପ ବିପଦ। ଏହାକୁ ନେଇ ଗୃହରେ ବିବୃତ୍ତି ରଖି ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ। ଓଡ଼ିଶାରେ ୧୪ ଜିଲ୍ଲାକୁ ରହିଛି ଭୂମିକମ୍ପ ବିପଦ। ସେହିପରି ଗଜପତି ଜିଲ୍ଲାକୁ ଭୂସ୍ଖଳନ ପ୍ରବଣ ଜୋନ କହିଛନ୍ତି ମନ୍ତ୍ରୀ। ଗଜପତି ଜିଲ୍ଲାରେ ୧୨୯ଟି ଭୂସ୍ଖଳନ ପ୍ରବଣ ଜୋନ ରହିଛି।

  • ରାଜ୍ୟର ୧୪ ଜିଲ୍ଲାକୁ ରହିଛି ଭୂମିକମ୍ପ ଭୟ
  • ଗଜପତିରେ ୧୨୯ ଜାଗା ଭୂ-ସ୍ଖଳନ ପ୍ରବଣ

ଜୁଲାଇ ୩୦ ତାରିଖରେ କେରଳର ୱାଏନାଡରେ ପ୍ରବଳ ବର୍ଷା ଓ ଭୂ-ସ୍ଖଳନ ପରେ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲା, ୨୦୦ରୁ ଅଧିକ ଲୋକଙ୍କ ପତ୍ତା ମିଳିଲାନି। ହେଲେ ପ୍ରାକୃତିକ ଦୁର୍ବିପାକ ପ୍ରବଣ ଓଡ଼ିଶାରେ କେବେ ଏଭଳି ବିପତ୍ତି ମାଡ଼ିଆସିବ ନାହିଁ ତ? ବିଧାନସଭାରେ ଦିଆଯାଇଥିବା ଏକ ଲିଖିତ ପ୍ରଶ୍ନର ଉତ୍ତର ଏହି ଆଶଙ୍କାକୁ ବଢ଼ାଇ ଦେଇଛି। ଲକ୍ଷ୍ମୀପୁର କଂଗ୍ରେସ ବିଧାୟକ ପବିତ୍ର ସାଉଁତା ପ୍ରଶ୍ନ କରିଥିଲେ ଯେ, ଓଡ଼ିଶାର କେଉଁ ଅଞ୍ଚଳ ଭୂ-ସ୍ଖଳନ ପ୍ରବଣ? ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଏହାର ଉତ୍ତର ରଖିଛନ୍ତି....

  • ଗଜପତି ଜିଲ୍ଲାରେ ୧୨୯ଟି ସମ୍ଭାବ୍ୟ ଭୂ-ସ୍ଖଳନ ସ୍ଥାନ ଚିହ୍ନଟ ହୋଇଛି
  • ଭୂ-ସ୍ଖଳନ ହ୍ରାସ ପାଇଁ ଅମୃତା ବିଶ୍ୱ ବିଦ୍ୟାପୀଠମ୍, କେରଳ ସହିତ ସମନ୍ୱୟ ବୈଠକ ହେଉଛି
  • ନିୟମିତ ସମନ୍ୱୟ ବୈଠକ କରୁଛନ୍ତି ବିଭିନ୍ନ ବିଭାଗ, ଆଇଏମଡି ଓ ଅମୃତା ବିଶ୍ୱ ବିଦ୍ୟାପୀଠମ୍
  • ଏକ ସର୍ଭେ କରିବା ପାଇଁ ଅମୃତା ବିଶ୍ୱ ବିଦ୍ୟାପୀଠମ୍ ସହ ରାଜିନାମା କରିଛି ଓସଡମା  

ସେହିପରି ଲକ୍ଷ୍ମୀପରୁ କଂଗ୍ରେସ ବିଧାୟକ ପବିତ୍ର ସାଉଁତାଙ୍କ ଭୂମିକମ୍ପ ପ୍ରବଣ ଅଞ୍ଚଳ ସଂପର୍କୀତ ପ୍ରଶ୍ନର ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଭୂମିକମ୍ପ ପ୍ରବଣ ଜୋନ-୩ ଅର୍ଥାତ ମଧ୍ୟମ କ୍ଷୟକ୍ଷତି ବିପଦ ଜୋନରେ ଆସୁଛି ରାଜ୍ୟର ୧୪ଟି ଜିଲ୍ଲା। ଏଗୁଡିକ ହେଉଛି, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ୱଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ବାଲେଶ୍ୱର ଓ ମୟୂରଭଞ୍ଜ।

ସୂଚନାଯୋଗ୍ୟ ଯେ, ଗତ ୧୦ ବର୍ଷରେ ୨୦୨୨ ଅକ୍ଟୋବର ୧୪ରେ ସର୍ବାଧିକ ୪.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ରାଉରକେଲାଠାରୁ ୨୮୦ କିଲୋମିଟର ଦୂରରେ ଥିଲା ଏହାର କେନ୍ଦ୍ରସ୍ଥଳ। କୁହାଯାଉଛି ପୂର୍ବାଞ୍ଚଳ ରାଜ୍ୟ ସମେତ ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକ ସେସମିକ ଜୋନ୍ ୨ ଓ ୩ ଅଧିନରେ ଆସୁଥିବାରୁ ଏହା ଭୂମିକମ୍ପ ପ୍ରବଣ। କିନ୍ତୁ ଏଠାରେ ମୃଦୁ ଭୂମିକମ୍ପ ଅନୁଭୂତ ହେବାସହ କ୍ଷୟକ୍ଷତି କମ୍ ରହିବା ନେଇ ଆକଳନ କରାଯାଉଛି।