କନକ ବ୍ୟୁରୋ;  ବିହାର ରାଜନୀତିରେ ହେଲିକପ୍ଟରଗୁଡ଼ିକ ନେତାଙ୍କ ସ୍ବପ୍ନର ଉଡ଼ନ୍ତା ଯନ୍ତ୍ର । କାରଣ ଦାମୀ କାରରୁ ଓହ୍ଲାଇବା ଏବଂ ହେଲିକପ୍ଟରରୁ ଓହ୍ଲାଇବା ମଧ୍ୟରେ ବହୁତ ବଡ଼ ପାର୍ଥକ୍ୟ ରହିଛି । ନେତା ନିଜ ଠାଣିରେ ଓହ୍ଲାଇବେ ଏବଂ ଜନତା ତାଙ୍କୁ ଦେଖିବା ପାଇଁ ଭିଡ଼ ଜମାଇବେ । ଆଉ ଖଟିରେ ଗଣମାଧ୍ୟରେ କଥା ପଡ଼ିବ ଆମ ଗାଁକୁ ଅମୁକ ନେତା ହେଲିକପ୍ଟରରେ ଆସିଥିଲେ ।ଲୋକ ଖୁସ୍‌ ନେତା ବି ଖୁସ୍‌ । ଏଥର ବିହାର ପ୍ରତିଯୋଗିତା ଟିକେ ଅଧିକ କଠିନ, ତେଣୁ ନିର୍ବାଚନରେ  ପ୍ରଚାରରେ ନେତା ଅଧିକ ସମୟ ଦେବେ । ଏହି କାରଣରୁ ହେଲିକପ୍ଟର ବୁକିଂ ତୁଳନାତ୍ମକ ଭାବରେ ଅଧିକ ହେଉଛି। ସୂଚନା ଅନୁସାରେ ଏଥର ରାଜନୈତିକ ଦଳଗୁଡ଼ିକ ଦ୍ୱାରା ୨୧ଟି ହେଲିକପ୍ଟର ବୁକ୍ କରାଯାଉଛି। ଏଥିମଧ୍ୟରୁ ତିନି ଚତୁର୍ଥାଂଶ ହେଲିକପ୍ଟର ଏନ୍‌ଡିଏର ହେବ, ବାକି ମହାଗଠବନ୍ଧନର ହେବ ।

Advertisment

 ଅର୍ଥାତ ଅବତରଣ ଏବଂ ଉଡ଼ାଣ ସଂଖ୍ୟା ବୃଦ୍ଧି ପାଇବ, ଭୂମିରେ ମାଟି ବାଲି ଉଡ଼ିବ ଏବଂ ଆକାଶରେ ବହୁତ ଘଡ଼ଘଡ଼ି ଶବ୍ଦ ଶୁଭିବ। ୨୦୨୦ ମସିହାରେ, କରୋନା ଯୋଗୁଁ, ନିର୍ବାଚନ ପ୍ରଚାର ପାଇଁ କିଛି ଅତିରିକ୍ତ ନିର୍ଦ୍ଦେଶାବଳୀ ଥିଲା। ସେତେବେଳେ ନିର୍ବାଚନ କମିସନ ଦ୍ୱାରା ହେଲିକପ୍ଟର ଅବତରଣ ପାଇଁ ସ୍ଥାନ ଚୟନ କରାଯାଉଥିଲା।ସାଧାରଣ ସଭା ପାଇଁ ପଡ଼ିଆର ସଂଖ୍ୟା ସୀମିତ ଥିଲା। ସେହି ବର୍ଷରେ ତେଜସ୍ୱୀ ୧୯ଟି ସାଧାରଣ ସଭା କରି ଏକ ରେକର୍ଡ ସୃଷ୍ଟି କରିଥିଲେ, ଯାହା କେବଳ ଏକ ହେଲିକପ୍ଟର ସାହାଯ୍ୟରେ ସମ୍ଭବ ହୋଇଥିଲା। ଏଥର ମଧ୍ୟ, ତେଜସ୍ୱୀ ବିଶାଳ ରାଲି କରିବାକୁ ଯାଉଛନ୍ତି। ସେପଟେ ଆରଜେଡି ପୂର୍ବରୁ ଦୁଇଟି ହେଲିକପ୍ଟର ବୁକ୍ କରିଛି, କଂଗ୍ରେସ ମଧ୍ୟ ଦୁଇଟି ହେଲିକପ୍ଟର ବୁକ୍ କରିଛି ଏବଂ ଭିଆଇପି ଦଳ ଗୋଟିଏ ବ୍ୟବସ୍ଥା କରିବାକୁ ଯାଉଛି। ମହାଗଠବନ୍ଧନରେ ସାମିଲ ବାମପନ୍ଥୀ ଦଳଗୁଡ଼ିକ କେବଳ ଚାରିଚକିଆ ଯାନ ଉପରେ ନିର୍ଭର କରିବେ ।

ମିଳିତ ସାଧାରଣ ସଭା ପାଇଁ, ଏହାର ବଡ଼ ନେତାମାନଙ୍କୁ ଆରଜେଡି-କଂଗ୍ରେସର ହେଲିକପ୍ଟର ଉପରେ ନିର୍ଭର କରିବାକୁ ପଡିବ। ପପୁ ଯାଦବ ମଧ୍ୟ ନିଜେ ଏକ ହେଲିକପ୍ଟର ବ୍ୟବସ୍ଥା କରିବେ ବୋଲି ଚର୍ଚ୍ଚା ହେଉଛି।ଜଣେ ରାଜନେତାଙ୍କ ପାଇଁ ପ୍ରତିଦିନ ସଡ଼କ ପଥରେ ଆଠରୁ ଦଶଟି ସାଧାରଣ ସଭା କରିବା ସମ୍ଭବ ନୁହେଁ। ସେଥି ପାଇଁ ହେଲିକପ୍ଟର ହିଁ ଏକମାତ୍ର ବିକଳ୍ପ। ହେଲିକପ୍ଟର ଚାହିଦା ବୃଦ୍ଧି ପାଇବା ସହିତ ଭଡ଼ା ମଧ୍ୟ ବୃଦ୍ଧି ପାଉଛି।  ସିଙ୍ଗଲ ଇଞ୍ଜିନ୍ ହେଲିକପ୍ଟର ଘଣ୍ଟା ପ୍ରତି ପ୍ରାୟ ୧.୨୫ ରୁ ୧.୫ ଲକ୍ଷ ଟଙ୍କା ଦରରେ ଉପଲବ୍ଧ। ଡବଲ ଇଞ୍ଜିନ୍ ହେଲିକପ୍ଟର ପାଇଁ, ୨.୫ ରୁ ୩ ଲକ୍ଷ ଟଙ୍କା। ଏଥିରେ ୧୮ ପ୍ରତିଶତ ଅତିରିକ୍ତ ଜିଏସ୍‌ଟି ଦେବାକୁ ପଡ଼ିବ। ଦେଖିବାକୁ ବାକି ରହିଲା ହାଇ ପ୍ରୋଫାଇଲ୍‌ ଲଢେଇ ଭିତରେ ହେଲିକପ୍ଟର କେଉଁ ନେତାଙ୍କୁ ଜଲଦି ପହଞ୍ଚାଇ ସମୟ ବଂଚାଇ ପାରୁଛି  ।