କନକବ୍ୟୁରୋ : ରବିବାର ପ୍ରତ୍ୟୁଷରେ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ଏୟାର୍ ଷ୍ଟ୍ରାଇକ୍ କରିଥିଲା । ଏହା ଦ୍ବାରା ପୁଣି ଥରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଆଫଗାନିସ୍ତାନର ତାଲିବାନ ସରକାର ପାକିସ୍ତାନ ଉପରେ ମହିଳା ଓ ଶିଶୁ ସମେତ ସାଧାରଣ ନାଗରିକଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଇଥିବା ଅଭିଯୋଗ କରିଛି । ତେବେ ପାକିସ୍ତାନ ଆକ୍ରମଣକୁ ସମର୍ଥନ କରି କହିଛି, କେବଳ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରାଯାଇଛି।
ଅଧିକ ପଢନ୍ତୁ... ଏନ୍ଏଚ୍-୪୫ରେ ବଡ଼ ଦୁର୍ଘଟଣା: ଶାହପୁରା ରେଳ ଓଭରବ୍ରିଜର ଦ୍ୱିତୀୟ ଅଂଶ ଭୁଶୁଡ଼ିଲା
ଏହି ଘଟଣା ପରେ ଏବେ ଆଫଗାନିସ୍ତାନ ଗୃହମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି, ଅନ୍ତିମ ଚେତାବନୀର ସମୟ ଶେଷ ହୋଇଛି। ହକ୍କାନି ଧମକ ଦେଇଛନ୍ତି, ଯଦି ଆମେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ତେବେ "ପାକିସ୍ତାନର କୌଣସି ଚିହ୍ନ ବର୍ଣ୍ଣ ରହିବ ନାହିଁ। ଏହି ବିବୃତି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଖରାପ କରିପାରେ ବୋଲି କୁହାଯାଉଛି।
ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର୍ ଷ୍ଟ୍ରାଇକ୍ ନେଇ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହି କାର୍ଯ୍ୟକୁ ଅନୈତିକ ଓ କାପୁରୁଷତାପୂର୍ଣ୍ଣ ବୋଲି କହିଛି। ପାକିସ୍ତାନ ନିଜର ଆଭ୍ୟନ୍ତରୀଣ ବିଫଳତାକୁ ଲୁଚାଇବା ପାଇଁ ଏପରି ଆକ୍ରମଣ କରିଥିବା ଭାରତ ଅଭିଯୋଗ କରିଛି। ମନ୍ତ୍ରଣାଳୟ କହିଛି, ଏହି ଆକ୍ରମଣ ପବିତ୍ର ରମ୍ଜାନ୍ ମାସରେ ହୋଇଛି। ଏଥିରେ ଅନେକ ନିରୀହ ନାଗରିକ, ବିଶେଷକରି ମହିଳା ଓ ଶିଶୁ, ପ୍ରାଣ ହରାଇଥିବା ବେଳେ ବହୁ ଲୋକ ଆହତ ହୋଇଥିଲେ। ପାକିସ୍ତାନର କାର୍ଯ୍ୟକୁ ଭାରତ ଅନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ଉପରେ ପ୍ରତିକୂଳ ପ୍ରଭାବ ପକାଉଛି ବୋଲି କହିଛି।
ଭାରତ ସ୍ପଷ୍ଟ କରିଛି, ଆମେ ଆଫଗାନିସ୍ତାନର ସାର୍ବଭୌମତ୍ୱ, କ୍ଷେତ୍ରୀୟ ଅଖଣ୍ଡତା ଓ ସ୍ୱାଧୀନତାକୁ ପୂର୍ଣ୍ଣ ସମର୍ଥନ କରୁ। ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ, ପାକିସ୍ତାନ ନିଜର ଘରୋଇ ସମସ୍ୟାରୁ ଧ୍ୟାନ ହଟାଇବା ପାଇଁ ପଡ଼ୋଶୀ ଦେଶଗୁଡ଼ିକ ବିରୋଧରେ ବାରମ୍ବାର ଆକ୍ରମଣାତ୍ମକ ପଦକ୍ଷେପ ଗ୍ରହଣ କରୁଛି। ଏହି ପରିପ୍ରେକ୍ଷୀରେ, ଭାରତ ପୁନରାବୃତ୍ତି କରିଛି, କୌଣସି ଦେଶର ସାର୍ବଭୌମତ୍ୱ ଉଲ୍ଲଂଘନ ଗ୍ରହଣୀୟ ନୁହେଁ। ଆଞ୍ଚଳିକ ଶାନ୍ତି ବଜାୟ ରଖିବା ସମସ୍ତ ଦେଶର ଦାୟିତ୍ୱ।
ଆଫଗାନିସ୍ତାନ ମଧ୍ୟ ପାକିସ୍ତାନର ଏହି କାର୍ଯ୍ୟକୁ କଡ଼ା ସମାଲୋଚନା କରିଛି। ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ ଏହାକୁ ଆଫଗାନିସ୍ତାନର ସାର୍ବଭୌମତ୍ୱ ଓ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି କହିଛନ୍ତି। ସେ ଅଭିଯୋଗ କରିଛନ୍ତି, ନାଙ୍ଗରହାର ଓ ପାକଟିକାରେ ଧାର୍ମିକ ସ୍ଥଳ ତଥା ଆବାସିକ ଅଞ୍ଚଳଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ଯେଉଁଥିରେ ୧୨ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଆଫଗାନିସ୍ତାନ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଚେତାବନୀ ଦେଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/23/pakistan-2026-02-23-12-25-38.jpg)