କନକ ବ୍ୟୁରୋ : ତିନି ରାଜ୍ୟକୁ ସଂଯୋଗ କରିବ ଭାରତମାଲା ଏକ୍ସପ୍ରେସ ୱେର ୨ଟି ଉଚ୍ଚତମ ଟନେଲ । ପୂର୍ବରୁ ୬୦୫ କିମି ରାସ୍ତା ଅତିକ୍ରମ କରିବାକୁ ପଡ଼ିଥିଲା ଏବେ ତାହା ହେବ ୪୧୫ କିମି । ଫଳରେ ବେକାରୀ କମିବ, ବ୍ୟବସାୟ ବଢ଼ିବ, ରୋଜଗାର ମିଳିବ । କୋରାପୁଟ ପାଇଁ ସୃଷ୍ଟି କରିବ ଆଉ ଏକ ପରିଚୟ ।
ଭାରତମାଲା ପ୍ରକଳ୍ପ ଅଧୀନରେ ନିର୍ମାଣ ହେଉଛି ୬ ଲାଇନ୍ ବିଶିଷ୍ଟ ରାଜପଥ । ଓଡିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼କୁ ସଂଯୋଗ କରିବ ଏହି ରାସ୍ତା । ପୂର୍ବରୁ ରାୟପୁରରୁ ବିଶାଖାପାଟଣା ଯିବାକୁ ୧୨ ଘଣ୍ଟା ଲାଗୁଥିଲା, ଏବେ ଲାଗିବ ମାତ୍ର ୬ ଘଣ୍ଟା । ସୁଙ୍କିଘାଟିରେ ହେଉଛି ୨ଟି ସୁଡ଼ଙ୍ଗ । ଯାହାର ଲମ୍ବ ୩.୪୨ କିମି ଓ ୨.୮ କିମି । ସୁଡ଼ଙ୍ଗ ଦୁଇଟି ଅତ୍ୟାଧୁନିକ ଢଙ୍ଗରେ ହୋଇଛି । ଆଲୋକିକରଣ ବ୍ୟବସ୍ଥା କରାଯାଇଛି । ୨୦୨୫ ଶେଷ ସୁଦ୍ଧା ଏହି ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରହିଛି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୬ ହଜାର କୋଟି ଟଙ୍କାରେ ନିର୍ମାଣ ହେଉଛି ୨ଟି ଉଚ୍ଚତମ ଟନେଲ୍ । କୋରାପୁଟରେ ଖର୍ଚ୍ଚ ହେବ ୪୬ଶହ କୋଟି ଟଙ୍କା । ଏଥିପାଇଁ କୋରାପୁଟ ଓ ନବରଙ୍ଗପୁର ଜିଲ୍ଳାର ୮୭୩ ହେକ୍ଟର ବେସରକାରୀ ଜାଗା, ୩୦୭ ହେକ୍ଟର ସରକାରୀ ଜମି ଏବଂ ୩୬୩ ହେକ୍ଟର ଜଙ୍ଗଲ ଜାଗା ଅଧିଗ୍ରହଣ କରାଯାଇଛି ।
ଓଡ଼ିଶା ପଟୁ ଆନ୍ଧ୍ରକୁ ଯିବା ଟନେଲ ରାସ୍ତା ଚନ୍ଦକା ନିକଟ ବାରଜ ଗାଁଠାରୁ ଆରମ୍ଭ ହୋଇ କାନ୍ଦିଲିଠାରେ ଶେଷ ହୋଇଛି । ସେହିପରି ଆନ୍ଧ୍ର ପଟୁ ଓଡ଼ିଶାକୁ ଆସୁଥିବା ଟନେଲ ରାସ୍ତା କୁରୁଲି ଠାରୁ ଆରମ୍ଭ ହୋଇ ଅମ୍ଫାବାଲି ଗାଁରେ ଶେଷ ହୋଇଛି । ଏହି ପ୍ରକଳ୍ପ ଦ୍ଵାରା କୋରାପୁଟ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ପର୍ଯ୍ୟଟନ କ୍ଷେତ୍ର ବି ବେଶ ସୁଦୃଢ଼ ହେବ ବୋଲି ଆଶା ରଖାଯାଇଛି ।