କନକ ବ୍ୟୁରୋ : ଚାମ୍ପିୟନ୍ସ ଟ୍ରଫି ପାଇଁ 'ହାଇବ୍ରିଡ୍ ମଡେଲ୍'କୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଗ୍ରହଣ କରିବ ନାହିଁ । ପିସିବି ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଆଇସିସିକୁ ଏହା ସ୍ପଷ୍ଟ କରିଛି । ଶୁକ୍ରବାର ହେବାକୁ ଥିବା ବୋର୍ଡ ବୈଠକରେ ଏହି ବିକଳ୍ପ ଉପରେ ଆଲୋଚନା ନ କରିବାକୁ ପିସିବି ବିଶ୍ୱ ପରିଚାଳନା ସଂସ୍ଥାକୁ ଅନୁରୋଧ କରିଛି । ଏହା ପରେ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ନ ହେବାର ଆଶଙ୍କା ବଢିଯାଇଛି ।  ପାକିସ୍ତାନରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ଭାରତ ନିଜ ଦଳ ପଠାଇବାକୁ ମନା କରିଦେଇଛି । ଏହାପରେ ଚାମ୍ପିୟନ୍ସ ଟ୍ରଫି ସହ ଜଡିତ 

Advertisment

କାର୍ଯ୍ୟସୂଚୀ ସମସ୍ୟାର ସମାଧାନ ପାଇଁ ଆଇସିସି ଏହାର କାର୍ଯ୍ୟନିର୍ବାହୀ ସଦସ୍ୟମାନଙ୍କର ଏକ ଭର୍ଚୁଆଲ୍ ବୈଠକ ଡାକିଥିଲା । ବୈଠକରେ ପିସିବି ଆଇସିସିକୁ ଜଣାଇଥିଲା ଯେ ଟୁର୍ଣ୍ଣାମେଣ୍ଟର 'ହାଇବ୍ରିଡ୍ ମଡେଲ୍' ଗ୍ରହଣୀୟ ନୁହେଁ । ଟୁର୍ଣ୍ଣାମେଣ୍ଟ ପାଇଁ ଅନ୍ୟ କୌଣସି ବିକଳ୍ପ ଖୋଜାଯାଉ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସିକୁ ଜଣାଇଦେଇଛି । ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଯେ ଭାରତୀୟ ଦଳକୁ ପାକିସ୍ତାନରେ ଖେଳିବା ପାଇଁ ଅନୁମତି ଦିଆଯାଇନାହିଁ ବୋଲି ବିସିସିଆଇ ତାଙ୍କ ସରକାରଙ୍କ ଠାରୁ ଏକ ଲିଖିତ ଚିଠି ଦାଖଲ କରିଛି କି ନାହିଁ ତାହା ଜଣାଇବାକୁ ପିସିବି ଆଇସିସିକୁ ମନେ ପକାଇଦେଇଛି । ଆଇସିସି ନିୟମ ଅନୁଯାୟୀ ଯଦି କୌଣସି ଦଳ କହୁଛି ଯେ ତାଙ୍କ ସରକାର କୌଣସି ଆଧାରରେ ଅନ୍ୟ ଦେଶରେ ଖେଳିବାକୁ ଅନୁମତି ଦେଉନାହାନ୍ତି, ତେବେ ବୋର୍ଡ ନିଜ ସରକାରଙ୍କ ଠାରୁ ଲିଖିତ ନିର୍ଦ୍ଦେଶ ନାମା ଦାଖଲ କରିବା ଆବଶ୍ୟକ, ଯାହା ଆମେ ଏପର୍ଯ୍ୟନ୍ତ ଦେଖିନାହୁଁ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ କହିଛି ।