କନକ ବ୍ୟୁରୋ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ବୁଧବାର, ଜୁଲାଇ ୨ରୁ ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯିବ । ଏହା ପୂର୍ବରୁ ମଙ୍ଗଳବାର ଦିନ, ଭାରତର ସହାୟକ ପ୍ରଶିକ୍ଷକ ରିଆନ ଟେନ ଡୋସେଟ୍ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ, ଯେଉଁଥିରେ ସେ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ରଣନୀତି ଏବଂ ପରିବର୍ତ୍ତନ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ । ରିଆନ ଟେନ ଡୋସେଟ୍ ସ୍ପଷ୍ଟ ଭାବରେ କହିଥିଲେ ଯେ ଦ୍ୱିତୀୟ ଟେଷ୍ଟରେ ଅତି କମରେ ଦୁଇଟି ପରିବର୍ତ୍ତନ ହେବ । ଦଳ ଏକ ନୂଆ ରଣନୀତି ସହିତ ବର୍ମିଂହାମ ଟେଷ୍ଟରେ ପ୍ରବେଶ କରିପାରିବ ।

Advertisment

ରିଆନ୍ ଟେନ୍ ଡୋସେଟ୍ କହିଛନ୍ତି ଯେ ଭାରତର ଷ୍ଟାର ଦ୍ରୁତ ବୋଲର ଯଶପ୍ରିତ ବୁମରାହଙ୍କୁ ବର୍ମିଂହାମ ଟେଷ୍ଟ ପାଇଁ ବିଶ୍ରାମ ଦିଆଯାଉଛି । ତାଙ୍କୁ କାର୍ଯ୍ୟଭାର ପରିଚାଳନା ଅଧୀନରେ ଏହି ବିରତି ଦିଆଯାଇଛି ଏବଂ ସେ ତୃତୀୟ ଟେଷ୍ଟରେ (ଲର୍ଡସରେ) ଫେରିବା ପାଇଁ ଉପଲବ୍ଧ ହେବେ । ବୁମରାହ ପ୍ରଥମ ଟେଷ୍ଟରେ ପାଞ୍ଚଟି ୱିକେଟ ନେଇ ଚମତ୍କାର ପ୍ରଦର୍ଶନ କରିଥିଲେ, ହେଲେ ଲଗାତାର କ୍ରିକେଟକୁ ବିଚାର କରି, ତାଙ୍କୁ ବିରତି ଦେବା ଆବଶ୍ୟକ ବୋଲି ବିବେଚନା କରାଯାଇଥିଲା ।

ପ୍ରଥମ ଟେଷ୍ଟରେ ଯୁବ ଓପନର ଯଶସ୍ୱୀ ଜୟସ୍ୱାଲ ଚାରୋଟି କ୍ୟାଚ୍ ଛାଡ଼ିଥିଲେ, ଯାହା ଇଂଲଣ୍ଡକୁ ବଡ଼ ରନ୍ ସ୍କୋର କରିବାରେ ସାହାଯ୍ୟ କରିଥିଲା । ଏବେ ଦଳ ପରିଚାଳନା ନିଷ୍ପତ୍ତି ନେଇଛି ଯେ ଜୟସ୍ୱାଲଙ୍କୁ ସ୍ଲିପ୍ କର୍ଡନରୁ ହଟାଇ ଦିଆଯାଇଛି ଏବଂ ସେ ବର୍ତ୍ତମାନ ପାଇଁ ଆଉଟଫିଲ୍ଡରେ ନିୟୋଜିତ ହେବେ । ଜୟସ୍ୱାଲ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଶତକ ମାରିଥିଲେ, କିନ୍ତୁ ଫିଲ୍ଡିଂରେ ତାଙ୍କର ଭୁଲ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ।

ଗତ ମ୍ୟାଚ୍‌ରେ ଶାର୍ଦ୍ଦୁଳ ଠାକୁର ବଲ୍ ଏବଂ ବ୍ୟାଟ୍ ଉଭୟରେ ବିଶେଷ ପ୍ରଭାବ ପକାଇପାରି ନଥିଲେ । ଏବେ ତାଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦିଆଯାଉଛି ଏବଂ ତାଙ୍କ ସ୍ଥାନରେ ଆନ୍ଧ୍ର ପ୍ରଦେଶର ଯୁବ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କୁ ଦଳରେ ସାମିଲ କରାଯାଇପାରେ । ସେହିପରି, ଏଥର ବର୍ମିଂହାମ ପିଚ୍‌ରେ ଉଷ୍ମ ପାଗ ଏବଂ ଖୁଖିଲା ପିଚକୁ ବିଚାରକୁ ନେଇ, ଭାରତ ପ୍ଲେଇଂ ଇଲେଭେନରେ ଦୁଇଜଣ ସ୍ପିନ୍ ବୋଲରଙ୍କୁ ସାମିଲ କରିପାରେ ।

ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ ଏବଂ ୱାଶିଂଟନ ସୁନ୍ଦର - ଏହି ତିନି ଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ ସୁଯୋଗ ମିଳିବାର ସମ୍ଭାବନା ଅଛି । ପ୍ରଥମ ଟେଷ୍ଟରେ ରବିନ୍ଦ୍ର ଜାଡେଜାଙ୍କୁ ଏକମାତ୍ର ସ୍ପିନର ଭାବରେ ଖେଳାଯାଇଥିଲା, କିନ୍ତୁ ଏବେ ପରିବର୍ତ୍ତନ ପାଇଁ ଯୋଜନା ରହିଛି । ରିଆନ କୁଲଦୀପ ଯାଦବଙ୍କ ନେଟ୍ ବୋଲିଂକୁ ପ୍ରଶଂସା କରି କହିଛନ୍ତି ଯେ ସେ ବହୁତ ଲୟରେ ଅଛନ୍ତି ଏବଂ ୱିକେଟ ନେବାର ଭୋକ ସହିତ ଦଳରେ ସାମିଲ ହେବାକୁ ସେ ପ୍ରସ୍ତୁତ । 

ପ୍ରଥମ ଟେଷ୍ଟରେ ଭାରତକୁ 5 ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏବେ ଦଳ ଦ୍ୱିତୀୟ ଟେଷ୍ଟରେ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିବ । ଏହା ଅଧିନାୟକ ଶୁବମନ ଗିଲଙ୍କ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହେବ କାରଣ ଏହା ଅଧିନାୟକ ଭାବରେ ତାଙ୍କର ପ୍ରାରମ୍ଭିକ ପର୍ଯ୍ୟାୟ ଏବଂ ପ୍ରତ୍ୟେକ ମ୍ୟାଚ୍ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।