କନକ ବ୍ୟୁରୋ : ପ୍ରଶାସନ ନ ଶୁଣିବାରୁ ଗାଁ ଲୋକେ ଏକାଠି ହୋଇ ରାସ୍ତା ନିର୍ମାଣ କରୁଛନ୍ତି, ତାହା ପୁଣି ବାହାଘର ପାଇଁ । ଗାଁରେ ଧିରେନ କାଡ୍ରାକାଙ୍କ ବାହାଘର ହେବାର ଥିଲା । କିନ୍ତୁ ରାସ୍ତା ଅବସ୍ଥା ଠିକ ନଥିଲା । ଆଉ ନିଜ ବାହାଘର ପାଇଁ ଗାଁ ଲୋକଙ୍କୁ ଏକାଠି କରିଥିଲେ ଧିରେନ। ଆଉ ପିଲାଠୁ ବୁଢ଼ା ସମସ୍ତଙ୍କୁ ଏକାଠି କରି ନିଜେ ଗାଁ ପାଇଁ ରାସ୍ତା ତିଆରି କଲେ। ପ୍ରଥମ ଥର ପାଇଁ ଗାଁକୁ ଆସିପାରିଲା ବସ୍‌ । ଏହାପରେ ଲୋକଙ୍କ ଖୁସି କହିଲେ ନସରେ। ନାଚିଲେ, ଗାଇଲେ ଆଉ ବସରେ ବସି କନ୍ୟା ଆଣିବାକୁ ଗଲେ । 

Advertisment

 ବିଷମ କଟକ ବ୍ଲକଠାରୁ ମାତ୍ର ୧୧ କିଲୋମିଟର ଦୂରରେ ରହିଛି ଜାମ୍ବୁଗୁଡା ଗାଁ । ୭୦ ପରିବାର ସହ ଗାଁରେ ରହୁଛନ୍ତି ୫୦୦ରୁ ଅଧିକ ଲୋକ ।  କିନ୍ତୁ ଏଠି ବିକାଶ ଯେମିତି ବାଟ ହୁଡ଼ିଛି । ଏଯାଏ ଗାଁକୁ ନାହିଁ ପକ୍କା ରାସ୍ତା ଖଣ୍ଡେ । ଯେଉଁଥିପାଇଁ ଗାଁରୁ କନ୍ୟା ନେବାକୁ ମିଳୁନି ପ୍ରସ୍ତାବ । ବର୍ଷା ଦିନେ ରୋଗୀଙ୍କ ପାଇଁ ଭାରା ପାଲଟୁଛି ଏକମାତ୍ର ସାହାରା । ଏନେଇ ବହୁବାର ଅଭିଯୋଗ କରିଥିଲେ ବି ପ୍ରଶାସନ ଗୁହାରି ଶୁଣୁନଥିବା କହିଛନ୍ତି  ଲୋକେ । 

ଆଦିବାସୀ ଅଞ୍ଚଳର ବିକାଶ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ରାସ୍ତା ପାଇଁ ଆସୁଛି ଅନୁଦାନ । କିନ୍ତୁ ଯେଉଁଠି ପ୍ରଶାସନ ଫେଲ ମାରୁଛି ସେଠି ଜଣେ ଆଦିବାସୀ ଯୁବକ ଗାଁ ଲୋକଙ୍କୁ ଏକାଠି କରି ରାସ୍ତା ତିଆରି କରିବା ଚର୍ଚ୍ଚାର ବିଷୟ ହୋଇଛି ।