କନକ ବ୍ୟୁରୋ : ଦରଦାମ୍ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ଉପରେ ବିରୋଧୀ ଦୋଷ ଲଦିଥିବା ବେଳେ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିରୋଧୀ ଦଳର ବିଧାୟକ ଅରୁଣ ସାହୁ ବିଜେପି ସରକାରକୁ ସିଧା ସଳଖ ଟାର୍ଗେଟ୍ କରିଛନ୍ତି । ଦରଦାମ୍ ବୃଦ୍ଧି ନେଇ କହିଛନ୍ତି, ଏମାନେ ଶପଥ କରିଥିଲେ ସବୁଥିରେ ଆଗରେ ରହିବେ ବୋଲି । ଆଜି ଦରଦାମ ବୃଦ୍ଧିରେ ସରକାର ଆଗରେ ଅଛନ୍ତି । ପେଟ୍ରୋଲ୍ ଦର ଆଗରେ, ଖାଇବା ତେଲଠୁ ନେଇ ସବୁ ସାମଗ୍ରୀ ଦର ଆଗରେ, ଚୋରି, ଡକାୟତି, ରାହାଜାନୀ ବି ବଢିଚାଲିଛି । ଏ ସରକାର ନକାରାତ୍ମକ କାମରେ ଆଗରେ ଅଛନ୍ତି ବୋଲି କହି ଅରୁଣ ସାହୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଯାହାରା ଉତ୍ତର ରଖିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ସେ କହିଛନ୍ତି, ବର୍ତ୍ତମାନ ଦରଦାମ ନିୟନ୍ତ୍ରଣରେ ଅଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଦରଦାମ ସ୍ଥିର ଅଛି । ବିଜେଡ଼ି ସରକାର ସମୟରେ ଦରଦାମ ବୃଦ୍ଧି ପାଇଥିଲା । ବିଜେଡ଼ି ସମୟରେ ମୁଦ୍ରାସ୍ଫିତି ୮.୩ ଥିଲା, ଏବେ ୬.୭ ପ୍ରତିଶତ ଅଛି । ଯଦି ଜମିକୁ ଜଳସେଚନ ଓ ଶୀତଳ ଭଣ୍ଡାର ଥାଆନ୍ତା, ତାହେଲେ ଦରଦାମ ଏତେ ବଢି ନଥାନ୍ତା । ୨୪ ବର୍ଷରେ ବିଜେଡ଼ି କିଛି କରିନଥିବାରୁ, ଦରଦାମ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ୩୬ଟି ଶୀତଳ ଭଣ୍ଡାର ଥିବା ବେଳେ ପଶ୍ଚିମବଙ୍ଗରେ ୧ ହାଜର ଶୀତଳ ଭଣ୍ଡାର ଅଛି । ଯେଉଁଥିରେ ସେମାନେ ୧୦୦ ମେଟ୍ରିକ ଟନରୁ ଅଧିକ ଆଳୁ ଗଚ୍ଛିତ ରଖି ପାରୁଛନ୍ତି । ଋଣ କରି କେବଳ ଘିଅ ଖାଇଛନ୍ତି ପୂର୍ବ ସରକାର । ବର୍ତ୍ତମାନ ଦିଆଯାଇଥିବା ଇନପୁଟ ସବସିଡିରେ ଚାଷୀ ଖୁସି ଅଛନ୍ତି ।
ବିଜେଡ଼ି ଦରଦାମ ବୃଦ୍ଧିକୁ ନେଇ ଦେଇଥିବା ତଥ୍ୟ ଗୃହକୁ ବିଭ୍ରାନ୍ତ କରୁଛି । ବିଜେଡ଼ି ଯେଉଁ ଅଭିଯୋଗ କରୁଛି, ତାହା ଭିତ୍ତିହୀନ ଓ ଅମୂଳକ । ଅନ୍ତର୍ଜାତୀୟ ବଜାରରେ ଦରଦାମ ବୃଦ୍ଧିର ପ୍ରଭାବ ସ୍ଥାନୀୟ ବଜାରରେ ପଡ଼ିଥାଏ । ସେଥିପାଇଁ ଦରଦାମ ବୃଦ୍ଧି ପାଉଛି । ଆମ ରାଜ୍ୟ ଖାଉଟି ରାଜ୍ୟ । ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ ଓ ପଶ୍ଚିମବଙ୍ଗରୁ ଖାଇବା ତେଲ, ଚିନି, ଆଳୁ ଆଦି ଆମେ ଆମଦାନୀ କରିଥାଉ । ବର୍ତ୍ତମାନ ଦରଦାମ ସ୍ଥିତି ଠିକ୍ ଅଛି । ଗତ ବର୍ଷ ତୁଳନାରେ ଡାଲି ଦର ହ୍ରାସ ପାଇଛି । ଗହମ ଏବଂ ତୈଳ ଜାତ ଦ୍ରବ୍ୟ ଉପରେ କେନ୍ଦ୍ର ସରକାର ଏମଏସପି ବୃଦ୍ଧି କରିଥିବାରୁ ଗହମ ଦରରେ ସାମାନ୍ୟ ବୃଦ୍ଧି ପାଇଛି । ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ବ୍ୟବସାୟୀ ମାନଙ୍କ ସହ ରୀତିମତ ବୈଠକ କରୁଛନ୍ତି । ଆଳୁ, ପିଆଜ ଷ୍ଟକ୍ ଉପରେ ନଜର ରଖିଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ବେଆଇନ ଗଚ୍ଛିତ ରୋକିବା ପାଇଁ ଧରପକଡ କରାଯାଉଛି ବୋଲି ମୁଲତବୀ ପ୍ରସ୍ତାବକୁ ନେଇ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।