କନକ ବ୍ୟୁରୋ : ଅବ୍ୟବସ୍ଥା ଘେରରେ ବଲାଙ୍ଗୀରର କଣ୍ଟାବାଞ୍ଜିରେ ଥିବା ଶିଶୁ ଉଦ୍ୟାନ । ଲକ୍ଷଲକ୍ଷ ଟଙ୍କାର ପାର୍କ ଏଠି ଖତ ଖାଉଛି। ଲୋକଙ୍କ କଥା ତ’ ଜଣାନାହିଁ, କିନ୍ତୁ ସନ୍ଧ୍ୟା ହେଲେ ଏଠାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଛି । ଆଉ ଏଥିପାଇଁ ଏନ୍‌ଏସିର ଅବହେଳାକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ଦିନେ ଲୋକଙ୍କ ଭିଡ଼ ଜମୁଥିଲା । ପିଲାଙ୍କ କୋଳାହଳରେ ଫାଟି ପଡ଼ୁଥିଲା ପରିବେଶ। ଆଜି ପରିବେଶ ଖାଁ ଖାଁ । ନା ଲୋକ ଅଛନ୍ତି, ନା ପାର୍କର ଅବସ୍ଥା ଭଲ ଅଛି । ଗତ ୨୦୧୯ ଡିସେମ୍ବରରୁ ଆରମ୍ଭ ହୋଇଥିବା କଣ୍ଟାବାଞ୍ଜି ଆଶ୍ରମପଡ଼ାର ଏହି ଶିଶୁ ଉଦ୍ୟାନ ଆଜି ଜରାଜୀର୍ଣ୍ଣ । ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ଅଦରକାରୀ ଗଛ ଉଠିଗଲାଣି । ପଶୁ ପକ୍ଷୀଙ୍କ ମୂର୍ତ୍ତି ସବୁ ଭାଙ୍ଗିଗଲାଣି । ଉଦ୍ୟାନ ପରିସରରେ ପଡ଼ିଛି ମାଳମାଳ ମଦ ବୋତଲ। ଲୋକ ମାନେ ଉଦ୍ୟାନକୁ ଶିଶୁ ମାନଙ୍କୁ ନେଇ ଆସୁଛନ୍ତି, କିନ୍ତୁ ଅବସ୍ଥା ଦେଖି ଫେରିଯାଉଛନ୍ତି ।

Advertisment

ଲକ୍ଷ ଲକ୍ଷ ଟଙ୍କା ଅନୁଦାନରେ ନିର୍ମିତ ଶିଶୁ ଉଦ୍ୟାନର ରକ୍ଷଣାବେକ୍ଷଣ କରିବାରେ ବିଫଳ ହୋଇଛି ଏନ୍‌ଏସି ପ୍ରଶାସନ। ଉଦ୍ୟାନର ପାଚେରୀ ଗତ ୨ ମାସ ହେଲା ଭାଙ୍ଗିଯାଇଛି। ଗାଈଗୋରୁ ଉଦ୍ୟାନ ଭିତରକୁ ପଶି ଆସୁଛନ୍ତି। ୩ ବର୍ଷ ହେଲାଣି ଖଣ୍ଡିଆ ଖାବରା ହୋଇପଡ଼ିଛି ମହାତ୍ମାଗାନ୍ଧୀଙ୍କ ଦାଣ୍ଡିଯାତ୍ରା ମୂର୍ତ୍ତି। ଅନ୍ୟପଟେ ଉଦ୍ୟାନ ପରିଦର୍ଶନରେ ଯାଇ ସମସ୍ୟା ଦେଖି ପୁନରୁଦ୍ଧାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଟିଟିଲାଗଡ଼ ଉପଜିଲ୍ଲାପାଳ । ସୁନ୍ଦର ପରିବେଶ ସୃଷ୍ଟି କରିବାକୁ କରାଯାଇଥିବା ଉଦ୍ୟାନ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଏନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଶିଶୁ ଉଦ୍ୟାନର ତୁରନ୍ତ ପୁନରୁଦ୍ଧାର ପାଇଁ ଦାବି ହୋଇଛି ।

ଅଧିକ ପଢ଼ନ୍ତୁ---ଗାଁକୁ ନାହିଁ ମୌଳିକ ସୁବିଧା ; ଖବର ପ୍ରସାରଣ ପରେ ପହଞ୍ଚିଲେ ଉପଜିଲ୍ଲାପାଳ