କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀର ଘାଟିରେ ବଢୁଛି ଆତଙ୍କବାଦୀ ଆକ୍ରମଣ । ଏହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା । ଲଗାତର କିଛିଦିନ ହେବ ଲାଗି ରହିଥିବା ଆତଙ୍କୀ ଆକ୍ରମଣ ପଛରେ ଷଡଯନ୍ତ୍ର ରହିଥିବା ଫାରୁକ କହିଛନ୍ତି । ସେ କହିଛନ୍ତି କି ନ୍ୟାସନାଲ କନଫରେନ୍ସ ସରକାରକୁ ଅସ୍ଥିର କରିବାକୁ ଏଭଳି ଯୋଜନା କରାଯାଉଛି । ଏନେଇ କେନ୍ଦ୍ର ସରକାର ସ୍ୱତନ୍ତ୍ର ଯାଂଚ କରନ୍ତୁ ବୋଲି ଫାରୁକ୍ ଦାବି କରିଛନ୍ତି । ଏହାସହ ଆତଙ୍କବାଦୀଙ୍କୁ ନ ମାରି ସେମାନଙ୍କୁ ଗିରଫ କରାଯାଉ । ସେମାନଙ୍କ ଠାରୁ ଏହି ଆକ୍ରମଣ ପଛରେ କିଏ ରହିଛି ସେ ବାବଦରେ ସୂଚନା ଆଦାୟ କରାଯାଉ ବୋଲି ଫାରୁକ କହିଛନ୍ତି । 

Advertisment

ଫାରୁକ ଅବଦୁଲ୍ଲାଙ୍କ ଏହି ବୟାନ ଉପରେ ଜବାବ ରଖିଛି ବିଜେପି । ବିଜେପି କହିଛି କି, ନ୍ୟାସନାଲ କନଫରେନ୍ସ କ୍ଷମତାକୁ ଆସିବା ପରେ ବୋଧେ ଅନୁଭବ କରୁଛି କି, ଆତଙ୍କୀ ଆକ୍ରମଣ ପଛରେ ବିଦେଶୀ ଶକ୍ତି ସକ୍ରିୟ ରହିଛି । ଏହାସହ କେନ୍ଦ୍ର ସରକାର ସହ ମିଶି ଆତଙ୍କୀ ଆକ୍ରମଣ ରୋକିବାରେ ନ୍ୟାସନାଲ କନଫରେନ୍ସ କାମ କରୁ ବୋଲି ବିଜେପି ପରାମର୍ଶ ଦେଇଛି । 

ଶନିବାର ସକାଳେ ଜାମ୍ମୁ-କାଶ୍ମୀରର ଭିନ୍ନ ଭିନ୍ନ ସ୍ଥାନରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଅନନ୍ତନାଗ ଜିଲ୍ଲାରେ ସେନା ଗୁଳିରେ ୨ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି ।